୧୫ ବର୍ଷ ପୁରୁଣା ଗାଡ଼ି ପଞ୍ଜୀକରଣ ନବୀକରଣ ଫି’ରେ ୮ ଗୁଣା ବୃଦ୍ଧି: ୨୦୨୨ ଏପ୍ରିଲ୍‌ରୁ ଲାଗୁ ହେବ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଗାଡ଼ି ସ୍କ୍ରା‌ପେଜ୍ ନୀତି ସମ୍ପର୍କିତ ଏକ ବିଜ୍ଞପ୍ତି ଜାରି କରାଯାଇଛି। ପନ୍ଦର ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକ ପାଇଁ ବିଭିନ୍ନ ଫି’ରେ ବୃଦ୍ଧି ଘୋଷଣା କରାଯାଇଛି। ଏହି ବର୍ଗର ଗାଡ଼ିଗୁଡ଼ିକର ଫିଟ୍‌ନେସ୍‌ ପରୀକ୍ଷା, ଫିଟ୍‌ନେସ୍ ସାର୍ଟିଫିକେଟ୍ ପାଇଁ ଆବେଦନ ଓ ପଞ୍ଜୀକରଣର ନବୀକରଣ ଫି’କୁ ବୃଦ୍ଧି କରାଯାଇଛି। ପୁରୁଣା ଗାଡ଼ିର ପଞ୍ଜୀକରଣ ନବୀକରଣ ଫି’‌ରେ ୮ ଗୁଣା ବୃଦ୍ଧି ହୋଇଛି। ପୁରୁଣା କାର୍‌ ପଞ୍ଜୀକରଣ ନବୀକରଣ ଲାଗି ୫୦୦୦ ଟଙ୍କା ଦେବାକୁ ପଡ଼ିବ। ବର୍ତ୍ତମାନ ଏହି ଫି’ ମାତ୍ର ୬୦୦ ଟଙ୍କା ରହିଛି। ପୁରୁଣା ବାଇକ୍‌ ପାଇଁ ଏହି ଫି’କୁ ୩୦୦ ଟଙ୍କାରୁ ବଢ଼ାଇ ୧୦୦୦ ଟଙ୍କା କରାଯାଇଛି। ୧୫ ବର୍ଷରୁ ଅଧିକ ପୁରୁଣା ବସ୍ ଓ ଟ୍ରକ୍‌ର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନବୀକରଣ ଫି’କୁ ବର୍ତ୍ତମାନର ୧୫୦୦ ଟଙ୍କାରୁ ବଢ଼ାଇ ୧୨,୫୦୦ ଟଙ୍କା କରାଯାଇଛି।

ପଞ୍ଜୀକରଣ ନବୀକରଣରେ ବିଳମ୍ବ ହେଲେ ପ୍ରାଇଭେଟ୍ ଗାଡ଼ି ଲାଗି ମାସିକ ଅତିରିକ୍ତ ୩୦୦ ଟଙ୍କା ଓ କମର୍ସିଆଲ୍ ଗାଡ଼ି ପାଇଁ ୫୦୦ ଟଙ୍କା ଫି’ ଲାଗିବ। ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନବୀକରଣରେ ବିଳମ୍ବ ପାଇଁ ପ୍ରତିଦିନ ୫୦ ଟଙ୍କା ଗଣିବାକୁ ପଡ଼ିବ। ପ୍ରା‌ଇଭେଟ୍‌ ଗାଡ଼ି ୧୫ ବର୍ଷ ପୁରୁଣା ହେଲେ ଗାଡ଼ି ମାଲିକଙ୍କୁ ପ୍ରତି ୫ ବର୍ଷରେ ଥରେ ପଞ୍ଜୀକରଣ ନବୀକରଣ କରିବାକୁ ପଡ଼ିବ। ଗାଡ଼ି ୮ ବର୍ଷ ପୁରୁଣା ହେଲେ ପ୍ରତିବର୍ଷ ତାହାର ଫିଟ୍‌ନେସ୍ ସାର୍ଟିଫିକେଟ୍‌ ନବୀକରଣ କରିବାକୁ ପଡ଼ିବ। ନୂଆ ଗାଡ଼ି କିଣିବା ‌ବେଳେ ସ୍ବୀକୃତିପ୍ରାପ୍ତ ଗାଡ଼ି ସ୍କ୍ରାପେଜ୍‌ ସେଣ୍ଟର୍‌ ଜାରି କରିଥିବା ସାର୍ଟିଫିକେଟ୍ ଅଫ୍‌ ଡିପୋଜିଟ୍‌ (ସିଓଡି) ଦାଖଲ କଲେ ପଞ୍ଜୀକରଣ ସାର୍ଟିଫିକେଟ୍‌ ଫି’ ସମ୍ପୂର୍ଣ୍ଣ ଉଚ୍ଛେଦ ହେବ। ଫି’ରେ ଅଣାଯାଇଥିବା ପରିବର୍ତ୍ତନ ୨୦୨୨ ଏପ୍ରିଲ୍‌ ୧ରୁ ଲାଗୁ ହେବ।

ସମ୍ବନ୍ଧିତ ଖବର