ରାଜ୍ୟ ପିଏସ୍‌ୟୁ, ସ୍ବୟଂଶାସିତ ସଂସ୍ଥାଙ୍କ କାରବାର : ଜମା ପାଇଁ ୧୭ଟି ବ୍ୟାଙ୍କ ଚିହ୍ନଟ

ରାଜ୍ୟ ସରକାର ଚିହ୍ନଟ କଲେ ବ୍ୟାଙ୍କ
ତାଲିକାରେ ୧୦ ରାଷ୍ଟ୍ରାୟତ୍ତ, ୪ ଘରୋଇ, ୨ ଗ୍ରାମ୍ୟ ବ୍ୟାଙ୍କ ଓ ଓଏସ୍‌ସିବି

ଭୁବନେଶ୍ବର : ରାଜ୍ୟ ସରକାରୀଙ୍କ ଅଧୀନରେ ଥିବା ଉଦ୍ୟୋଗ (ପିଏସ୍‌ୟୁ) ଓ ସ୍ବୟଂଶାସିତ ସଂସ୍ଥାଗୁଡ଼ିକ ୧୭ଟି ବ୍ୟାଙ୍କ ସହ କାରବାର କରିପାରିବେ। ରାଜ୍ୟ ସରକାର ଏହି ବ୍ୟାଙ୍କଗୁଡ଼ିକର ତାଲିକା ପ୍ରସ୍ତୁତ କରିଛନ୍ତି। ସେହି ବ୍ୟାଙ୍କଗୁଡ଼ିକ ମଧ୍ୟରେ ୧୦ଟି ସରକାରୀ, ୪ଟି ଘରୋଇ ଓ ୩ଟି ଗ୍ରାମ୍ୟ ବ୍ୟାଙ୍କ ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ରହିଛି। ସରକାରୀ ବ୍ୟାଙ୍କଗୁଡ଼ିକ ହେଉଛି କାନାରା ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ବରୋଦା, ୟୁକୋ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଓ ‌ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ। ରାଜ୍ୟ ପିଏସ୍‌ୟୁ ଓ ସ୍ବୟଂଶାସିତ ସଂସ୍ଥାଗୁଡ଼ିକୁ ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ (ଓଏସ୍‌ସିବି) ସହ ମଧ୍ୟ କାରବାର କରିବା ଲାଗି ଅନୁମତି ପ୍ରଦାନ କରାଯାଇଛି। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ରାଜ୍ୟ ପିଏସ୍‌ୟୁ ଓ ସ୍ବୟଂଶାସିତ ସଂସ୍ଥାଗୁଡ଼ିକର ବ୍ୟାଙ୍କ କାରବାର ଓ ଜମା ପରିଚାଳନା କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଯେଉଁ ୧୭ଟି ବ୍ୟାଙ୍କକୁ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଚିହ୍ନଟ କରାଯାଇଛି ସେମାନଙ୍କ ସହିତ କେବଳ ରାଜ୍ୟ ପିଏସ୍‌ୟୁ ଓ ରାଜ୍ୟର ସ୍ବୟଂଶାସିତ ସଂସ୍ଥା କାରବାର କରିପାରିବେ। ରାଜ୍ୟର ସ୍କିମ୍, କେନ୍ଦ୍ର ସ୍କିମ୍‌ କିମ୍ବା ବିଭାଗଗୁଡ଼ିକ ପାଉଥିବା ଅନୁଦାନ ପାଇଁ ଏହି ନିଷ୍ପତ୍ତି ପ୍ରଯୁଜ୍ୟ ନୁହେଁ। ୨୦୨୦-୨୧ ଆର୍ଥିକ ବର୍ଷରେ କେବଳ ନୂତନ ଜମା ପାଇଁ ଏହା ଲାଗୁ ହେବ। ୨୦୧୯-୨୦ରେ ଯେଉଁ ସବୁ ବ୍ୟାଙ୍କରେ ଜମା‌ରାଶି ରହିଛି ଯଦି ସେହି ବ୍ୟାଙ୍କ ରାଜ୍ୟ ସରକାରଙ୍କ ତାଲିକାରେ ସ୍ଥାନ ପାଇନାହିଁ ତେବେ ତୁରନ୍ତ ସେଠାରୁ ଟଙ୍କା ଉଠାଇବାକୁ ମନା କରାଯାଇଛି। ସେହି ଟଙ୍କାକୁ ଯଥାଶୀଘ୍ର ବ୍ୟବହାର କରିବା ଲାଗି ଉଦ୍ୟମ କରିବାକୁ କୁହାଯାଇଛି।

ତେବେ ଯେଉଁ ବ୍ୟାଙ୍କଗୁଡ଼ିକ ରାଜ୍ୟ ସରକାରଙ୍କ ତାଲିକାରେ ଯୋଡ଼ି ହୋଇପାରିନାହାନ୍ତି ସେମାନଙ୍କ ପାଇଁ ଏଥିରେ ସାମିଲ ହେବାର ସୁଯୋଗ ରହିଛି। ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତରେ ଯଦି କୌଣସି ବ୍ୟାଙ୍କ ଶାଖା କିମ୍ବା ଏଟିଏମ୍ ଖୋଲିବେ ତେବେ ତାଙ୍କୁ ଏହି ତାଲିକାରେ ସାମିଲ କରାଯିବ। ସେମାନଙ୍କୁ ବିନା ଭଡ଼ାରେ ସ୍ଥାନ ଯୋଗାଇ ଦିଆଯିବ। ଜମାରାଶିକୁ ହାସଲ କରିବା ଲାଗି ବ୍ୟାଙ୍କଗୁଡ଼ିକ ମଧ୍ୟରେ ହେଉଥିବା ପ୍ରତିଦ୍ବନ୍ଦ୍ବିତାକୁ ନିରୁତ୍ସାହିତ କରିବା ଲାଗି କେତେକ କଟକଣା ଜାରି କରାଯାଇଛି। ଦଶ କୋଟି ଟଙ୍କା ପର୍ଯ୍ୟନ୍ତ ଜମା ରାଶି ସ୍ଥାନାନ୍ତର ପାଇଁ ଜିଲ୍ଲାପାଳ ଏବଂ ୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜମାରାଶି ପାଇଁ ସଂପୃକ୍ତ ପ୍ରଶାସନିକ ବିଭାଗର ଅନୁମତି ନେବାକୁ ପଡ଼ିବ। ସେହିପରି, ଜମାରାଶି ଅନ୍ୟ ବ୍ୟାଙ୍କକୁ ସ୍ଥାନାନ୍ତର କରିବା ପୂର୍ବରୁ ସଂସ୍ଥାର ବୋର୍ଡ ଓ ପ୍ରଶାସନିକ ବିଭାଗର ଅନୁମତି ନେବାକୁ ପଡ଼ିବ।

ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁସାରେ ବିଭିନ୍ନ ପ୍ରକାର ମାନଦଣ୍ଡ ବିଚାରକୁ ନେଇ ଏହି ବ୍ୟାଙ୍କଗୁଡ଼ିକୁ ଚିହ୍ନଟ କରାଯାଇଛି। ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ଠାରୁ ମିଳିଥିବା ସୂଚନା ଆଧାରରେ ଋଣ ଜମା ଅନୁପାତ, କୃଷି, ଅଗ୍ରାଧିକାର କ୍ଷେତ୍ରକୁ ଋଣ, ଏସ୍‌ଏଚ୍‌ଜି ଲିଙ୍କେଜ୍, ବ୍ୟାଙ୍କ ପହଞ୍ଚିନଥିବା ଗ୍ରାମ ପଞ୍ଚାୟତରେ ଶାଖା, ଗ୍ରାମୀଣ ବ୍ୟାଙ୍କିଙ୍ଗ୍‌ ନେଟ୍‌ୱର୍କ, ବିସି ଓ ଶିକ୍ଷା ଋଣ ଆଦି ମାନଦଣ୍ଡ ଆଧାରରେ ବ୍ୟାଙ୍କଗୁଡ଼ିକର ସ୍କୋର କାର୍ଡ ପ୍ରସ୍ତୁତ କରାଯାଇଥିଲା। ଗ୍ରାମାଞ୍ଚଳରେ ୧୦୦ରୁ ଅଧିକ ଶାଖା ଥିବା ସହ ୫୦%ରୁ ଅଧିକ ସ୍କୋର୍‌ କରିଥିବା ବ୍ୟାଙ୍କଗୁଡ଼ିକୁ କାରବାର ପାଇଁ ଚିହ୍ନଟ କରାଯାଇଛି। ‌କେତେକ ନିର୍ଦିଷ୍ଟ କାରଣ ଦର୍ଶାଇ ରାଜ୍ୟ ସରକାର ଯେ କୌଣସି ସମୟରେ ଯେକୌଣସି ବ୍ୟାଙ୍କକୁ ତାଲିକାରୁ ବାଦ ଦେଇପାରିବେ।

ସମ୍ବନ୍ଧିତ ଖବର