୨୫ ବର୍ଷର ବନ୍ଧୁତାରେ ଫାଟ

ଇଣ୍ଡିଗୋ ମାଲିକଙ୍କ ଝଗଡ଼ା

ନୂଆଦିଲ୍ଲୀ: ଇଣ୍ଡିଗୋର ଦୁଇ ପ୍ରତିଷ୍ଠାତା ରାହୁଲ ଭାଟିଆ ଓ ରାକେଶ ଗଙ୍ଗୱାଲଙ୍କ ଝଗଡ଼ାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଏହି ବିବାଦ ୨୫ ବର୍ଷର ବନ୍ଧୁତାରେ ଫାଟ ସୃଷ୍ଟି କରିଛି। ପରସ୍ପର ସହ ହାତ ମିଳାଇ ଯେଉଁ ଦୁଇ ବ୍ୟକ୍ତି ବିଶ୍ବର ଅନ୍ୟତମ ସଫଳ ବିମାନ କଂପାନି ଇଣ୍ଡିଗୋକୁ ପ୍ରତିଷ୍ଠା କରିଥିଲେ ସେମାନଙ୍କ ଭିତରେ ମନୋମାଳିନ୍ୟ ଦେଖାଦେଇଛି। ଏହି ବିବାଦ ଆଗକୁ କେଉଁ ଦିଗରେ ଗତି କରିବ ତାହା ଏବେଠାରୁ ଆକଳନ କରିବା ବହୁତ କଷ୍ଟକର। ଉଭୟ ପକ୍ଷ ନିଜ ଜିଦ୍‌ରେ ଅଟଳ ଅଛନ୍ତି। ଅବଶ୍ୟ ଆଜି ରାକେଶ ସ୍ପଷ୍ଟ କରିଦେଇଛନ୍ତି ଯେ ଇଣ୍ଡିଗୋରେ ଥିବା ଅଂଶଧନକୁ ବିକିବାର ତାଙ୍କର କୌଣସି ଅଭିପ୍ରାୟ ନାହିଁ। ସେ ଲମ୍ବା ସମୟ ପର୍ଯ୍ୟନ୍ତ କଂପାନିରେ ରହିବେ ବୋଲି କହିଛନ୍ତି।

ରାହୁଲ ଭାଟିଆ
ନୈନିତାଲରେ ରାହୁଲ ଭାଟିଆଙ୍କ ଜନ୍ମ ହୋଇଥିଲା। ତାଙ୍କର ବୟସ ହେଉଛି ଏବେ ୫୯ ବର୍ଷ। ଦିଲ୍ଲୀର ମଡର୍ଣ୍ଣ ସ୍କୁଲ୍‌ରେ ପାଠ ପଢ଼ିବା ପରେ ସେ ୱାଟରଲୁ ବିଶ୍ବବିଦ୍ୟାଳୟରୁ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିଥିଲେ। ଦୁଇ ବର୍ଷ ଆଇବିଏମ୍‌ ପାଇଁ କାମ କରିବା ପରେ ସେ ଭାରତ ଫେରି ଆସି ବାପା କପିଲ ଭାଟିଆଙ୍କ ଟ୍ରାଭେଲ୍‌ ଏଜେନ୍ସିରେ ଯୋଗ ଦେଇଥିଲେ। ଟ୍ରାଭେଲ୍‌ ବ୍ୟବସାୟ ପ୍ରତି ତାଙ୍କର ଦୁର୍ବଳତା ରହିଛି। ୧୯୮୦ରେ ‘ୟୁନାଇଟେଡ୍‌ ଏୟାରଲାଇନ୍ସ’ ପକ୍ଷରୁ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ରାକେଶ ଗଙ୍ଗୱାଲଙ୍କ ସହ ତାଙ୍କର ଦେଖା ହୋଇଥିଲା। ଦୁହେଁ ମିଶି ୨୦୦୫ରେ ଇଣ୍ଡିଗୋକୁ ପ୍ରତିଷ୍ଠା କରିଥିଲେ। ଇଣ୍ଡିଗୋ ବୋର୍ଡକୁ ମାର୍ଗଦର୍ଶନ କରିବା, ସରକାରୀ କଳ ସହ ସୁସମ୍ପର୍କ, ନିୟାମକ ବ୍ୟାପାର, ଖାଦ୍ୟ ଓ ବ୍ରାଣ୍ଡିଂ ଆଦିର ଦେଖାଶୁଣା ହେଉଛି ରାହୁଲଙ୍କ ପ୍ରମୁଖ ଦାୟିତ୍ବ। ରାହୁଲ ଭାରତରେ ରହୁଛନ୍ତି।

ରାକେଶ ଗଙ୍ଗୱାଲ
ରାକେଶ ଗଙ୍ଗୱାଲ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ। ଏବେ ତାଙ୍କ ବୟସ ହେଉଛି ୬୬ ବର୍ଷ। କୋଲକାତାର ଡନ୍‌ ବସ୍କୋ ସ୍କୁଲ୍‌ରେ ପାଠ ପଢ଼ିବା ପରେ ଆଇଆଇଟି କାନପୁରରୁ ସେ ମେକାନିକାଲ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିଥିଲେ। ଏହା ପରେ ହ୍ବାର୍ଟନ୍‌ରେ ଏମ୍‌ବିଏ ପାଠ ପଢ଼ିଥିଲେ। ୟୁଏସ୍‌ ଏୟାରୱେଜ୍‌ର ସିଇଓ ଭାବେ କାମ କରିଥିବା ରାକେଶ ପ୍ରଥମେ ବିମାନ କଂପାନି ଖୋଲିବାକୁ କୁଣ୍ଠା ପ୍ରକାଶ କରୁଥିଲେ। ୨୦୦୫ରେ ସେ ସେଥିପାଇଁ ରାଜି ହୋଇଥିଲେ। ଇଣ୍ଡିଗୋ ଲାଗି ବିଭିନ୍ନ ସାମଗ୍ରୀ କିଣାକିଣି ପାଇଁ ରଣନୀତି ପ୍ରସ୍ତୁତ କରିବା, କର୍ମଚାରୀ ନିଯୁକ୍ତି, ଚୁକ୍ତି ସ୍ବାକ୍ଷର କରିବା, ନେଟ୍‌ୱର୍କ ପ୍ଲାନିଂ ଓ ଖର୍ଚ ପରିଚାଳନାରେ ଉନ୍ନତି ଆଣିବା ହେଉଛି ତାଙ୍କର ପ୍ରମୁଖ ଦାୟିତ୍ବ। ରାକେଶ ୱାସିଂଟନରେ ରହୁଛନ୍ତି।

କଳିର କାରଣ

୨୦୦୫ରେ ଇଣ୍ଡିଗୋ ଏହାର ଯାତ୍ରା ଆରମ୍ଭ କରିବା ବେଳେ ରାକେଶ କଂପାନିର ମଙ୍ଗ ସମ୍ଭାଳିଥିଲେ। ଆମେରିକାରୁ ପ୍ରତିଭାବାନ ଅଧିକାରୀଙ୍କୁ ଆଣି ସେ ଇଣ୍ଡିଗୋର ପରିଚାଳନା କରିଥିଲେ। ତିନି ବର୍ଷ ପରେ କଂପାନିର ପରିଚାଳନା ଦାୟିତ୍ବ ଭାରତୀୟ ଟିମ୍ ଅଧୀନକୁ ଚାଲିଯାଇଥିଲା ଯାହା ରାହୁଲ ଭାଟିଆଙ୍କ ନେତୃତ୍ବରେ ପରିଚାଳିତ ହେଉଛି। ସବୁ ଠିକ୍ ଚାଲିଥିଲା। ଭାରତୀୟ ଆକାଶରେ ଇଣ୍ଡିଗୋ ଏହାର କାୟା ବିସ୍ତାର କରିବା ସହ ପ୍ରାୟ ୫୦% ବଜାର ଅଂଶ ନିଜ କବ୍‌ଜାକୁ ଆଣିପାରିଛି। ଏବେ ଇଣ୍ଡିଗୋ ୫୦ ହଜାର କୋଟି ଟଙ୍କାର କଂପାନିରେ ପରିଣତ ହୋଇଛି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଦୁଇ ପ୍ରତିଷ୍ଠାତାଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଛି। ରାହୁଲ ଭାଟିଆ ସବୁବେଳେ ଟ୍ରାଭେଲ୍‌ ବ୍ୟବସାୟ ସହ ନିଜକୁ ଜଡ଼ିତ ରଖିବାକୁ ଚାହୁଛନ୍ତି। ସେଥିପାଇଁ ସେ ହୋଟେଲ୍, ପାଇଲଟ୍‌ ତାଲିମ, କଲ୍‌ ସେଣ୍ଟର୍, ଟିକଟ ବିକ୍ରି ଓ ବିମାନ ବନ୍ଦର ପାଖାପାଖି ରିଅଲ ଇଷ୍ଟେଟ୍‌ କାରବାରରେ ପ୍ରବେଶ କରିଛନ୍ତି। ଏହି ସବୁ ବ୍ୟବସାୟ ପାଇଁ ଇଣ୍ଡିଗୋ ହେଉଛି ଏକ ପ୍ରମୁଖ ଗ୍ରାହକ। ୨୦୧୫ରେ ଯେତେବେଳେ ଇଣ୍ଡିଗୋର ଆଇପିଓ ଆସିଥିଲା ସେତେବେଳେ ଏହି ସବୁ ସଂସ୍ଥା ସହିତ ଇଣ୍ଡିଗୋର ରହିଥିବା ଚୁକ୍ତିକୁ ନେଇ ରାକେଶ ଗଙ୍ଗୱାଲ ଆପତ୍ତି ଉଠାଇଥିଲେ। ଏହା ପରେ କିଛି ସଂସ୍ଥାର ଚୁକ୍ତି ବାତିଲ ହୋଇଥିଲା। କିନ୍ତୁ ପୂର୍ବ ଭଳି ରାହୁଲ ଭାଟିଆଙ୍କ ଅନେକ ସଂସ୍ଥା ସହ ଇଣ୍ଡିଗୋର ସମ୍ପର୍କ ଜାରି ରହିଥିଲା। ୨୦୧୮ ଜୁଲାଇରେ ହୋଇଥିବା ବୋର୍ଡ ବୈଠକରେ ପୁଣି ଥରେ ରାକେଶ ସେହି ପ୍ରସଙ୍ଗ ଉଠାଇଥିଲେ ଏବଂ ଏହାକୁ କର୍ପୋରେଟ୍ ଗଭର୍ଣ୍ଣାନ୍ସ ନିୟମର ଉଲ୍ଲଂଘନ ବୋଲି କହିଥିଲେ। ଇଣ୍ଡିଗୋରେ ଉଭୟ ରାହୁଲ ଓ ରାକେଶଙ୍କ ସମାନ ପରିମାଣର ଅଂଶଧନ ଥିଲେ ମଧ୍ୟ ରାହୁଲ ଭାଟିଆ ଅଧିକ କ୍ଷମତାଶାଳୀ ତାହା ରାକେଶ ଗଙ୍ଗୱାଲ ଜାଣିପାରିଥିଲେ। ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରିବାର କ୍ଷମତା ରାହୁଲଙ୍କ ପାଖରେ ରହିଥିଲା। ବର୍ତ୍ତମାନ କଂପାନିର ସିଇଓ ଭାବେ କାର୍ଯ୍ୟ କରୁଥିବା ରୋନୋ ଦତ୍ତଙ୍କୁ ରାହୁଲ ଭାଟିଆ କନସଲ୍‌ଟାଣ୍ଟ୍‌ ଭାବେ ଇଣ୍ଡିଗୋରେ ନିଯୁକ୍ତି ଦେଇଥିଲେ। ୟୁନାଇଟେଡ୍‌ ଏୟାରଲାଇନ୍ସ ପାଇଁ କାମ କରୁଥିବା ବେଳେ ରାହୁଲ ଓ ରୋନୋଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା। ସେଥିପାଇଁ ରୋନୋଙ୍କୁ କିଛି ମାସ ପରେ କଂପାନିର ସିଇଓ ପଦ ପ୍ରଦାନ କରାଯାଇଥିଲା। ସେହି ନିଷ୍ପତ୍ତି ବିଷୟରେ ରାକେଶ ଗଙ୍ଗୱାଲଙ୍କୁ ଇ-ମେଲ୍ ମାଧ୍ୟମରେ ଅବଗତ କରାଯାଇଥିଲା ଯାହାକୁ ରାକେଶ ଆଦୌ ପସନ୍ଦ କରିନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର