ଓଡ଼ିଶାରେ ୨୭୯୦ କୋଟିର ଜିଏସ୍‌ଟି ଆଦାୟ, ଏସ୍‌ଜିଏସ୍‌ଟି ଆଦାୟରେ ୨୮% ବୃଦ୍ଧି

୧୨,୩୦୦ ନକଲି ଡିଲରଙ୍କ ପଞ୍ଜୀକରଣ ରଦ୍ଦ

ଭୁବନେଶ୍ବର: ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ଆଦାୟ କରିବା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛି। ଚଳିତ ବର୍ଷ ଫେବ୍ରୁଆରିରେ ରାଜ୍ୟ ‌୮୦୪.୮୫ କୋଟି ଟଙ୍କାର ଏସ୍‌ଜିଏଟି ଆଦାୟ ହୋଇଛି। ଗତବର୍ଷ ଫେବ୍ରୁଆରିର ୬୭୨.୯୯ କୋଟି ଟଙ୍କାର ଆଦାୟ ତୁଳନା‌ ଏହା ୨୭.୫୦% ଅଧିକ। ଫେବ୍ରୁଆରିରେ ରାଜ୍ୟରେ ମୋଟ ୨୭୯୦ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି ଯାହା ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ସର୍ବାଧିକ ମାସିକ ଆଦାୟ।

୨୦୧୯ ଏପ୍ରିଲ୍‌ରୁ ୨୦୨୦ ଫେବ୍ରୁଆରି ମଧ୍ୟରେ ରାଜ୍ୟରେ ମୋଟ ୨୭,୦୪୪.୩୭ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ପୂର୍ବବର୍ଷ ସେହି ସମୟରେ ୨୪,୩୨୫.୭୯ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରାଯାଇଥିଲା। ତାହା ତୁଳନାରେ ଏବର୍ଷ ଆଦାୟ ପରିମାଣ ୧୧.୧୮% ବଢ଼ିଛି। କୋଇଲା ଓ ଇସ୍ପାତ ଉତ୍ପାଦ ବିକ୍ରିରେ ମାନ୍ଦାବସ୍ଥା ଯୋଗୁଁ କିଛି ମାସ ଧରି ସମନ୍ବିତ ଜିଏସ୍‌ଟି ଓ ସେସ୍‌ ଆଦାୟରେ ହ୍ରାସ ଘଟୁଥିଲା। ମାତ୍ର ଗତ ଫେବ୍ରୁଆରିରେ ଯଥାକ୍ରମେ ସମନ୍ବିତ ଜିଏସ୍‌ଟିରେ ୯.୨୯ ପ୍ରତିଶତ ଓ ସେସ୍ ଆଦାୟରେ ୨୭.୬୫ ପ୍ରତିଶତର ବୃଦ୍ଧି ଘଟିଛି। ଏହି ମାସରେ ପେଟ୍ରୋଲିୟମ୍ ଉତ୍ପାଦ ଓ ମଦରୁ ୬୯୫.୮୧ କୋଟି ଟଙ୍କାର ଭାଟ୍‌ ଆଦାୟ ହୋଇଛି। ପେଟ୍ରୋଲିୟମ୍ ଉତ୍ପାଦରୁ ଭାଟ୍‌ ଆଦାୟରେ ୧୫.୦୨% ବୃଦ୍ଧି ଘଟି ୫୪୧.୪୪ କୋଟି ଟଙ୍କା ହୋଇଛି। ଗତବର୍ଷ ଫେବ୍ରୁଆରିରେ ଏବବାଦରେ ୪୭୦.୭୨ କୋଟି ଟଙ୍କା ଆଦାୟ ହୋଇଥିଲା। ଜିଏସ୍‌ଟି ରିଟର୍ଣ୍ଣ ଫାଇଲ୍‌ କରିବା କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

ରାଜ୍ୟର ୯୧% ଟିକସଦାତା ରିଟର୍ଣ୍ଣ ଫାଇଲ୍ କରିଛନ୍ତି। ଟିକସଦାତାଙ୍କ ସଂଖ୍ୟା ବଢ଼ାଇବା ଲାଗି ନିୟମିତ ସର୍ଭେ କରିବାକୁ ଜିଏସ୍‌ଟି କମିସନରେଟ୍‌ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ୪୫,୬୩୯ ନୂଆ ଟିକସଦାତାଙ୍କୁ ସାମିଲ କରାଯାଇଛି। ରିଟର୍ଣ୍ଣ ଫାଇଲ କରୁନଥିବା କିମ୍ବା ଭୁଲ ରିଟର୍ଣ୍ଣ ଫାଇଲ୍‌ କରୁଥିବା ଟିକସଦାତାଙ୍କୁ ଜିଏସ୍‌ଟି କମିସନରେଟ ତରଫରୁ ଚିହ୍ନଟ କରାଯାଉଛି। ରିଟର୍ଣ୍ଣ ଫାଇଲ କରିନଥିବା ୪୯,୮୦୧ ଡିଲର୍‌ ଓ ଭୁଲ ରିଟର୍ଣ୍ଣ ଫାଇଲ କରିଥିବା ୧୧,୧୨୧ ଡିଲରଙ୍କୁ ନୋଟିସ୍ ଜାରି କରାଯାଇଛି। ୨୧୭୬ ସକ୍ରିୟ ୱେ-ବିଲ୍ ବ୍ୟବହାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧୨,୩୦୦ ନକଲି କିମ୍ବା ନିଷ୍କ୍ରିୟ ଡିଲରଙ୍କ ପଞ୍ଜୀକରଣକୁ ବାତିଲ କରାଯାଇଛି। ଜାଲ ଡିଲର ନେଟୱର୍କ ଚଳାଉଥିବା ୭ ମାଷ୍ଟରମାଇଣ୍ଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଟିକସଦାତାଙ୍କୁ କୌଣସି ପ୍ରକାର ହଇରାଣ ନକରିବା ଲାଗି ଜିଏସଟି କମିସନର ଏସ୍‌କେ ଲୋହାନି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର