ରାଜ୍ୟରେ ୨୮୬୦ କୋଟି ଜିଏସ୍‌ଟି ଆଦାୟ, ୨୦୧୯ ଡିସେମ୍ବର ତୁଳନାରେ ୨୦% ଅଧିକ

ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ, ୭୦୧ କୋଟିର ଭାଟ୍‌ ଆଦାୟ

କଟକ: ୨୦୨୦ ଡିସେମ୍ବରରେ ରାଜ୍ୟରେ ମୋଟ ଜିଏସ୍‌ଟି (କେନ୍ଦ୍ରୀୟ ଜିଏସଟି, ରାଜ୍ୟ ଜିଏସଟି, ସମନ୍ବିତ ଜିଏସଟି ଓ ଅତିରିକ୍ତ ଟିକସ) ଆଦାୟରେ ୨୦.୦୧ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୯ ଡିସେମ୍ବରରେ ରାଜ୍ୟରେ ୨୩୮୩.୨୯ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିବା‌ ବେଳେ ୨୦୨୦ ଡିସେମ୍ବରରେ ଏହା ୨୮୬୦.୨୦ କୋଟି ଟଙ୍କାରେ ପହଞ୍ଚିଛି। ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ଜିଏସ୍‌ଟି ଆଦାୟରେ ସର୍ବାଧିକ ବୃଦ୍ଧି ବୋଲି ରାଜ୍ୟ ବାଣିଜ୍ୟକର ଓ ଜିଏସଟି ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ମୋଟ ଜିଏସଟି ମଧ୍ୟରୁ ଏସ୍‌ଜିଏସଟି ବାବଦରେ ୭୬୫.୨୬ କୋଟି ଓ ଆଇଜିଏସଟି ବାବଦରେ ୯୬୫.୭୫ କୋଟି ଟଙ୍କା ଆଦାୟ ହୋଇଛି। ୨୦୧୯ ଡିସେମ୍ବରରେ ଏସଜିଏସଟି ଏବଂ ଆଇଜିଏସଟି ରାଶି ଯଥାକ୍ରମେ ୭୨୬.୨୯ କୋଟି ଏବଂ ୬୯୬.୦୪ କୋଟି ଟଙ୍କା ରହିଥିଲା। ଅର୍ଥାତ୍ ଏହି ଦୁଇଟି କ୍ଷେତ୍ରରେ ରାଜସ୍ବ ଆଦାୟ ବୃଦ୍ଧି ହାର ଯଥାକ୍ରମେ ୫.୩୫ ପ୍ରତିଶତ ଓ ୩୮.୭୫ ପ୍ରତିଶତ ରହିଛି। ଆଇଜିଏସଟିରେ ୩୮.୭୫ ପ୍ରତିଶତ ବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ସର୍ବାଧିକ।

ବାର୍ଷିକ ରିଟର୍ଣ୍ଣ ଦାଖଲ ଅବଧି ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ବୃଦ୍ଧି

କିନ୍ତୁ ରାଜ୍ୟରେ କେତେକ ଖଣି ବନ୍ଦ ପଡ଼ିଥିବା କାରଣରୁ ଖଣି କ୍ଷେତ୍ରରୁ ଜିଏସ୍‌ଟି ଆଦାୟ ଧିମା ହୋଇଛି। ଆଗାମୀ ଦିନରେ ଏହା ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି। ଅନ୍ୟପକ୍ଷରେ ୨୦୨୦ ଡିସେମ୍ବରରେ ଅଣ-ଜିଏସଟି ଅର୍ଥାତ୍ ପେଟ୍ରୋଲ ଓ ମଦ ଉପରୁ ସଂଗୃହୀତ ଭାଟ୍‌ ରାଶିରେ ୧୬.୭୨ ପ୍ରତିଶତ ବୃଦ୍ଧି ଘଟି ୭୦୧ କୋଟି ଟଙ୍କା ରହିଛି। ୨୦୧୯ ଡିସେମ୍ବରରେ ଏହି ରାଶି ୬୦୦ କୋଟି ଟଙ୍କା ରହିଥିଲା। ନିୟମିତ ସର୍ଭେ ଏବଂ ପଞ୍ଜୀକରଣ ମାଧ୍ୟମରେ ରାଜ୍ୟ ବାଣିଜ୍ୟ କର ଓ ଜିଏସ୍‌ଟି ସଂସ୍ଥା ଟିକସ ପରିସର ବୃଦ୍ଧି କରିବା ଉପରେ ଗୁରୁତ୍ବ ଦେଇ ଆସିଛି। ଚଳିତ ଆର୍ଥିକ ବର୍ଷର ଡିସେମ୍ବର ସୁଦ୍ଧା ୩୫୪୬୧ ଜଣଙ୍କୁ ନୂତନଭାବେ ପଞ୍ଜୀକରଣ କରାଯାଇ ଟିକସ ପରିସରଭୁକ୍ତ କରାଯାଇଛି। ଅତିକମ୍‌ରେ ୯୦ ପ୍ରତିଶତ ରିଟର୍ଣ୍ଣ ଦାଖଲକୁ ସୁନିଶ୍ଚିତ କରିବା ପାଇଁ ସବୁ ସର୍କଲକୁ ବାଣିଜ୍ୟ କର ଏବଂ ଜିଏସଟି ଆୟୁକ୍ତଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରିଟର୍ଣ୍ଣ ଦାଖଲ ଖିଲାପକାରୀଙ୍କ ବିରୋଧରେ ୯୭୫୧୩ ସଂଖ୍ୟକ ଜିଏସଟିଆର-୩ଏ ନୋଟିସ ଜାରି କରାଯାଇଛି। ସେହିପରି ରିଟର୍ଣ୍ଣ ଦାଖଲ କରାଯାଇ ନଥିବା ଅଭିଯୋଗରେ ଓଡ଼ିଶା ଜିଏସ୍‌ଟି ଆଇନ ଧାରା-୬୨ ଅଧୀନରେ ୮୬୬୫ଟି ଆସେସମେଣ୍ଟ କରାଯିବା ସହ ୬୦୪୭ଟି ମାମଲାରେ ଡିଆର୍‌ସି-୦୭ ମାଧ୍ୟମରେ ଡିମାଣ୍ଡ ନୋଟିସ ଜାରି କରାଯାଇଛି। ଅଭ୍ୟାସଗତ ଭାବେ ରିଟର୍ଣ୍ଣ ଦାଖଲ କରୁ ନଥିବା ୫୪୯୭ ଜଣଙ୍କ ପଂଜୀକରଣକୁ ରଦ୍ଦ କରାଯାଇଛି।

୨୦୨୦ ଡିସେମ୍ବରରେ ଓଡ଼ିଶାରେ ୧୪.୭୨ ଲକ୍ଷ ସଂଖ୍ୟକ ଇ-ୱେ ବିଲ୍‌ ନିର୍ଗମନ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହି ସଂଖ୍ୟା ସର୍ବାଧିକ ରହିଛି। ଇ-ୱେ ବିଲ୍‌ ନିର୍ଗମନ କ୍ଷେତ୍ରରେ ମଧ୍ୟ ୧୨ ପ୍ରତିଶତ ବୃଦ୍ଧି ଘଟିଛି। ଡାଟା ଆନାଲିଟିକ୍ସର ଉପଯୋଗ କରାଯାଇ ୪୫୪୩୬ଟି ରିଟର୍ଣ୍ଣ ଯାଞ୍ଚ କରାଯାଇ ଥିବାବେଳେ ସେଥିରୁ ୯୨୧୪ଟି ତ୍ରୁଟି ମିଳିଛି। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜିଏସଟି ଠକେଇକୁ ରୋକିବା ପାଇଁ ଏନଫୋର୍ସମେଣ୍ଟ କାର୍ଯ୍ୟକଳାପକୁ ବୃଦ୍ଧି କରାଯାଇଛି। ଏନଫୋର୍ସମେଣ୍ଟ ୱିଙ୍ଗ ଦ୍ବାରା ଅନେକ ଗୁଡ଼ିଏ ରୢାକେଟର ପର୍ଦ୍ଦାଫାସ କରାଯିବା ସହ ୧୭ ଜଣ ଠକ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ୯୭୦ କୋଟି ଟଙ୍କାର ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ (ଆଇଟିସି) ଆତ୍ମସାତ୍ କରିବା ଏବଂ ଅନ୍ୟକୁ ହସ୍ତାନ୍ତର କରିବା ଅଭିଯୋଗରେ ଏହି ଗିରଫଦାରୀ ହୋଇଛି। ପୁନଶ୍ଚ, ଓଡ଼ିଶା ଜିଏସଟି ଆଇନ-୨୦୧୭ର ଧାରା ୪୪ ଅନୁଯାୟୀ ୨୦୧୯-୨୦ ବର୍ଷ ପାଇଁ ବାର୍ଷିକ ରିଟର୍ଣ୍ଣ ଦାଖଲ କରାଯିବାର ଶେଷ ତାରିଖକୁ ୨୦୨୦ ଡିସେମ୍ବର ୩୧ରୁ ୨୦୨୧ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ସରକାର ବୃଦ୍ଧି କରିଛନ୍ତି। ତେଣୁ ଟିକସଦାତାମାନେ ଯଦି ୨୦୧୯-୨୦ ଆର୍ଥିକ ବର୍ଷର ବାର୍ଷିକ ରିଟର୍ଣ୍ଣ ଦାଖଲ କରି ନଥାନ୍ତି ସେମାନେ ୨୦୨୧ ଫେବ୍ରୁଆରି ୨୮ ମଧ୍ୟରେ ନିଜର ବାର୍ଷିକ ରିଟର୍ଣ୍ଣ ଦାଖଲ କରିପାରିବେ।

ସମ୍ବନ୍ଧିତ ଖବର