୭ କୋଟିର ଜିଏସ୍‌ଟି ଠକି ବାପପୁଅ ଗିରଫ, ପୁଣି ଡିଜିଜିଆଇ ଧରିଲା ୪ କୋଟିର ଠକେଇ

ଭୁବନେଶ୍ବର: ଜିଏସ୍‌ଟି ଠକେଇ କରିଥିବା ଅସାଧୁ ବ୍ୟବସାୟୀମାନଙ୍କୁ ଧରିବା ଅଭିଯାନ ଭୁବନେଶ୍ବରସ୍ଥିତ ଜିଏସଟି ଗୁଇନ୍ଦା ମହାନିର୍ଦ୍ଦେଶାଳୟ (ଡିଜିଜିଆଇ)ର ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜାରି ରହିଛି। ନକଲି କମ୍ପାନି ଖୋଲି ବ୍ୟବସାୟ କରିବା ସହିତ ୬.୮୯ କୋଟି ଟଙ୍କାର ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ନେଇଥିବା ଦୁଇ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଶ୍ୟାମ ବିହାରୀ ଗୁପ୍ତା (୫୭) ଏବଂ ଅଭିଷେକ ଗୁପ୍ତା(୩୦)। ସଂପର୍କରେ ସେମାନେ ବାପପୁଅ। ବାପା ଶ୍ୟାମ ବିହାରୀ ବାଲେଶ୍ବରରେ ବ୍ୟବସାୟ କରୁଥିବା ବେଳେ ପୁଅ ଅଭିଷେକ କଟକରେ ବ୍ୟବସାୟ କରନ୍ତି। ପ୍ରାୟ ୪୦ କୋଟି ଟଙ୍କାର ବ୍ୟାବସାୟିକ କାରବାର ଦର୍ଶାଇ ସେମାନେ ଏହି ଆଇଟିସି ଠକେଇ କରିଛନ୍ତି।

ବିଶେଷ ସୂତ୍ରରୁ ଖବର ପାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଦୁଇ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରାଯାଇଛି। ସେମାନଙ୍କୁ ଭୁବନେଶ୍ବରସ୍ଥିତ ଏସଡିଜେଏମ୍‌ଙ୍କ ଅଦାଲତରେ ହାଜର କରାଯିବା ପରେ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। ପରୋକ୍ଷ ଟିକସ ଠକେଇ କରୁଥିବା ବ୍ୟକ୍ତି ଓ ସଂସ୍ଥାଙ୍କୁ ଧରିବା ଲାଗି ଭାରତ ସରକାରଙ୍କ ଦକ୍ଷ ସଂସ୍ଥା ଭାବେ ଡିଜିଜିଆଇ କାର୍ଯ୍ୟ କରିଆସୁଛି। ପ୍ରାୟ ୮୦ ପ୍ରତିଶତ ଠକେଇକୁ ଡିଜିଜିଆଇର ଅଧିକାରୀମାନେ ଧରିଥାନ୍ତି। ଡିଜିଜିଆଇର ଅତିରିକ୍ତ ମହାନିର୍ଦ୍ଦେଶକ ଦେବାଶିଷ ସାହୁଙ୍କ କହିବାନୁଯାୟୀ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଏସଟି ଚୋରି ଏବଂ ‌ଠକେଇ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରାଯାଇଛି।

ଜିଏସଟି ଠକେଇ କରୁଥିବା ବ୍ୟକ୍ତିମାନଙ୍କୁ ଧରି ଏହି ଶୃଙ୍ଖଳକୁ ଭାଙ୍ଗିବା ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ଗତ ଦୁଇ ମାସ ମଧ୍ୟରେ ଅର୍ଥାତ ୨୦୨୦ ନଭେମ୍ବର ୯ ତାରିଖରୁ ଆଜି ସୁଦ୍ଧା ୯୦ଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ କରାଯାଇଛି। ଏଗୁଡ଼ିକରେ ୧୫୯୦ କୋଟି ଟଙ୍କାର ନକଲି ଇନଭଏସ୍‌କୁ ଧରାଯାଇ ୭ ଜଣଙ୍କୁ ଗିରଫ କରାଯାଇଛି। ଏଥିସହିତ ଡିଜିଜିଆଇ ପକ୍ଷରୁ ଗୁରୁବାର ମଧ୍ୟ ପାଖାପାଖି ୪ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଧରାଯାଇଛି। ‌କେନ୍ଦ୍ରାପଡ଼ାର ଜଣେ ବ୍ୟବସାୟୀଙ୍କ ଠାରୁ ପାଖାପାଖି ଦେଢ଼ କୋଟି ଟଙ୍କା ଏବଂ ଭୁବନେଶ୍ବରରୁ ହାଇଦ୍ରାବାଦର ଜଣେ ବ୍ୟବସାୟୀଙ୍କଠାରୁ ପାଖାପାଖି ଅଢ଼େଇ କୋଟି ଟଙ୍କାର ‌ଠକେଇ ଧରାପଡ଼ିଛି।

ସମ୍ବନ୍ଧିତ ଖବର