କ୍ଲବ୍‌ ଲକର୍‌ରୁ ମିଳିଲା ୫୦୦ କୋଟି

ବେଙ୍ଗାଲୁରୁ,: ବେଙ୍ଗାଲୁରୁର ଏକ ବିଳାସପୂର୍ଣ୍ଣ କ୍ଲବ ପରିସରରେ ଥିବା ଲକର୍‌ରୁ ଆୟକର ବିଭାଗ ବିପୁଳ ପରିମାଣ ସମ୍ପତ୍ତି ଜବତ କରିଛି। ବେଙ୍ଗାଲୁରୁର ସେଣ୍ଟ ମାର୍କସ ରୋଡ୍‌ରେ ଥିବା ବାଓରିଙ୍ଗ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ନାମକ ଏହି କ୍ଲବର ବ୍ୟାଡମିଣ୍ଟନ କୋର୍ଟ ନିକଟରେ ଥିବା ୩ଟି ଲକରରେ ରହିଥିବା ୫୦୦ କୋଟି ଟଙ୍କାରୁ ଊର୍ଧ୍ୱ ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି। ଏହି ସମ୍ପତ୍ତି ମଧ୍ୟରେ ୭.୮ କୋଟି ଟଙ୍କାର ହୀରା ଗହଣା, ୩.୯ କୋଟି ଟଙ୍କାର ବିଦେଶୀ ମୁଦ୍ରା, ୫.୭ କୋଟି ଟଙ୍କାର ନଗଦ ଅର୍ଥ, ୬୫୦ ଗ୍ରାମ୍‌ର ସୁନା ବିସ୍କୁଟ, ୧.୮ କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ନୋଟ୍‌ ରହିଛି। ଏଥସହିତ ଶତାଧିକ କୋଟି ଟଙ୍କା ମୂଲ୍ୟର ଚେକ୍‌ ଏବଂ ସମ୍ପତ୍ତି ଦସ୍ତାବିଜ୍‌ ଜବତ କରାଯାଇଛି। ଏତଦ୍‌ବ୍ୟତୀତ ଲକରରେ ଥିବା ଦାମୀ ଘଣ୍ଟା ମଧ୍ୟ ଜବତ କରାଯାଇଛି। ବେଙ୍ଗାଲୁରୁର ସେଣ୍ଟ ମାର୍କସ ରୋଡ୍‌ରେ ଥିବା ଏହି କ୍ଲବ୍‌ର ଲକରରେ ଥିବା ସମ୍ପତ୍ତି ହେଉଛି ଜଣେ ୪୫ ବର୍ଷ ବୟସ୍କ ରିଅଲ ଇଷ୍ଟେଟ ବ୍ୟବସାୟୀ ଅବିନାଶ ଅମରଲାଲ କୁକ୍‌ରେଜାଙ୍କର। ଆୟକର ବିଭାଗର ଅଧିକାରୀମାନେ ଅବିନାଶଙ୍କୁ ଏବେ ପଚରାଉଚରା ଚଳାଇଛନ୍ତି। ଅବିନାଶଙ୍କ ବାପା ଏହି କ୍ଲବ୍‌ର ସଦସ୍ୟ ୧୯୯୩ ମସିହାରୁ ରହି ଆସିଛନ୍ତି। ଏହି କ୍ଲବ୍‌ର ସଦସ୍ୟ ସଂଖ୍ୟା ପ୍ରାୟ ୧୦ ହଜାର ରହିଛି। କ୍ଲବ୍‌ ଅଧିକାରୀଙ୍କ କହିବାନୁଯାୟୀ ଅବିନାଶଙ୍କ ମା’ ନିୟମିତ ଭାବେ କ୍ଲବ୍‌କୁ ଆସିବା ସହିତ ମହିଳା ସଦସ୍ୟମାନଙ୍କ ସହିତ ପ୍ରତିଦିନ ସଂଧ୍ୟାରେ ତାସ ଖେଳନ୍ତି। ୧୫୦ ବର୍ଷର ଏହି ପୁରୁଣା କ୍ଲବ୍‌ରେ ମୋଟ ୬୭୨ଟି ଲକର ରହିଛି। ଅବିନାଶଙ୍କ ପରିବାର ହେଉଛନ୍ତି ରାଜସ୍ଥାନର ମୂଳ ବାସିନ୍ଦା। ତେବେ ବେଙ୍ଗାଲୁରୁରେ ଏକ ପ୍ରତିଷ୍ଠିତ ବିଲ୍‌ଡର ସଂସ୍ଥାରେ ତାଙ୍କ ପରିବାରର ଅଂଶଧନ ରହିଛି। ଅବିନାଶ ଲୋକଙ୍କ ସମ୍ପତ୍ତି ବନ୍ଧକ ରଖି ଋଣ ପ୍ରଦାନ କରିଥାନ୍ତି। ଦୀର୍ଘଦିନ ହେଲା ସେ ଏହି ବ୍ୟବସାୟ ଚଳାଇ ଆସୁଛନ୍ତି।

୭.୮ କୋଟିର ହୀରା, ୬୫୦ ଗ୍ରାମର ସୁନା ବିସ୍କୁଟ
୫.୭ କୋଟିର ନଗଦ ଅର୍ଥ
୧.୮ କୋଟିର ୨ ହଜାର ଟଙ୍କିଆ ନୋଟ୍‌
୩.୯ କୋଟିର ବିଦେଶୀ ମୁଦ୍ରା
ଆୟକର ବିଭାଗ ଚଳାଇଛି ତଦନ୍ତ
ବିଲଡର ଅବିନାଶଙ୍କୁ ପଚରାଉଚରା

କେମିତି ଠାବ ହେଲା
କ୍ଲବ୍‌ ପକ୍ଷରୁ ଅଣପଞ୍ଜୀକୃତ ଲକର ଗୁଡ଼ିକର ପଞ୍ଜୀକରଣ ଅଭିଯାନ ଆରମ୍ଭ ହୋଇଥିଲା। ବାରମ୍ବାର ସୂଚନା ଦେବା ସତ୍ତ୍ୱେ ଯେଉଁମାନେ ଲକାର୍‌ର ପଞ୍ଜୀକରଣ ପାଇଁ ଆସି ନଥିଲେ ସେମାନଙ୍କ ଲକର୍‌ ଖୋଲିବାକୁ କ୍ଲବ କର୍ତ୍ତୃପକ୍ଷ ନିକଟରେ ନଷ୍ପତ୍ତି ନେଇଥିଲେ। କ୍ଲବ ପରିସରସ୍ଥ ବିଲିୟାର୍ଡ ସେକ୍ସନରେ ଥିବା ଲକର୍‌ ଗୁଡ଼ିକ ପ୍ରଥମେ ଖୋଲାଯାଇଥିଲା। ତେବେ ସେଠାରୁ ଅଧିକ କିଛି ସମ୍ପତ୍ତି ମିଳି ନଥିଲା। ବ୍ୟାଡମିଣ୍ଟନ କୋର୍ଟ ନିକଟରେ ପଞ୍ଜୀକରଣ ହୋଇ ନଥିବା ୧୨୬ଟି ଲକର ମଧ୍ୟ ଖୋଲାଯାଇଥିଲା। ଏଠାରେ ୩ଟି ଲକରରୁ ୬ଟି ଓଜନିଆ ବ୍ୟାଗ୍‌ର ସନ୍ଧାନ ମିଳିଥିଲା। ଏହି ବ୍ୟାଗଗୁଡ଼ିକ ଲକର୍‌ ନମ୍ବର ୬୯, ୭୧ ଏବଂ ୭୮ରେ ରହିଥିଲା। ତେବେ ସମ୍ପତ୍ତି ଜବତ ହେବାବେଳକୁ ଏସବୁ ତାଙ୍କ ସମ୍ପତ୍ତି ବୋଲି ଅବିନାଶ ଦାବି କରିଥିଲେ। ଲକରରେ ଥିବା ଓଜନିଆ ବ୍ୟାଗ ଗୁଡ଼ିକ ମିଳିବା ପରେ କ୍ଲବ୍‌ର କର୍ମଚାରୀମାନେ କ୍ଲବର ସମ୍ପାଦକ ଶ୍ରୀକାନ୍ତଙ୍କୁ ଏ ନେଇ ଅବଗତ କରାଇଥିଲେ। ସେସବୁ ବ୍ୟାଗକୁ ଚାମ୍ବର ଭିତରେ ରଖି ରୁମ୍‌କୁ ଚାବି ପକାଇଦେବାକୁ ସମ୍ପାଦକ କହିଥିଲେ। ଶନିବାର ଦିନ କ୍ଲବ ପକ୍ଷରୁ ଏ ନେଇ ପୁଲିସକୁ ସୂଚନା ଦିଆଯାଇଥିଲା। ବେଙ୍ଗାଲୁରୁ ସେଣ୍ଟ୍ରାଲର ଡିସିପିଙ୍କ ନିର୍ଦ୍ଦେଶ ପରେ କ୍ୟୁବନ୍‌ ପାର୍କ ଥାନାର ଇନ୍ସପେକ୍ଟର ଅଜୟ ରେଡ୍ଡୀ କ୍ଲବ୍‌କୁ ଆସି ବ୍ୟାଗ ଖୋଲିବା ପରେ ସେଥିରୁ ଟଙ୍କା, ସୁନା, ହୀରା ଏବଂ ଅନ୍ୟାନ ଦସ୍ତାବିଜ୍‌ ମିଳିଥିଲା। ଆୟକର ବିଭାଗକୁ ଏ ନେଇ ପୂର୍ବରୁ ସୂଚନା ମଧ୍ୟ ଦିଆଯାଇଥିଲା। ଆୟକର ବିଭାଗର ଅଧିକାରୀମାନେ ଆସିବା ସହିତ ସମସ୍ତ ୬ଟି ବ୍ୟାଗ୍‌କୁ ସିଲ୍‌ କରିଥିଲେ। ଆକଳନ ଏବଂ ତଦନ୍ତ ପାଇଁ ଆୟକର ବିଭାଗ ଏହି ବ୍ୟାଗ୍‌ ଖୋଲିଥିଲା। ଏହାପରେ ବ୍ୟାଗରୁ ଆଖି ତରାଟି ଦେବା ଭଳି ସମ୍ପତ୍ତି ମିଳିଥିଲା। ଆୟକର ବିଭାଗର ୫ ଜଣ ଅଧିକାରୀ ଏହାର ଖୋଳତାଡ଼ ଚଳାଇଛନ୍ତି।

ସମ୍ବନ୍ଧିତ ଖବର