କର୍ମଚାରୀଙ୍କୁ ହୀରା ବ୍ୟବସାୟୀଙ୍କ ଦୀପାବଳି ଭେଟି, ୬୦୦ କାର୍‌, ୯୦୦ ଏଫ୍‌ଡି

ନୂଆଦିଲ୍ଲୀ: ସୁରଟର ହୀରା ବ୍ୟବସାୟର ସାବ୍‌ଜୀ ଢୋଲକିଆ ଚଳିତ ବର୍ଷର ଦୀପାବଳି ‌େଭଟି ଭାବେ ୧୫୦୦ କର୍ମଚାରୀଙ୍କୁ ୬୦୦ଟି କାର୍‌ ଓ ୯୦୦ ବ୍ୟାଙ୍କ ଏଫ୍‌ଡି ପ୍ରଦାନ କରିଛନ୍ତି। ଚଳିତ ବର୍ଷ କଂପାନିର ଚାରି ଜଣ କର୍ମଚାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ସେମାନଙ୍କ ଉପହାର ଗ୍ରହଣ କରିଛନ୍ତି। କର୍ମଚାରୀଙ୍କୁ ରେନଲ୍ଟ କ୍ବିଡ୍ ଓ ମାରୁତି ସୁଜୁକି ସେଲେରିଓ କାର୍‌ ପ୍ରଦାନ କରାଯିବ। ସବୁ କାର୍‌ଗୁଡ଼ିକୁ କଂପାନିର ସୁରଟରେ ଥିବା ମୁଖ୍ୟ କାର୍ଯ୍ୟାଳୟ ପରିସରରେ ସଜାଇ ରଖାଯାଇଛି। ଏବର୍ଷ ଦୀପାବଳି ଉପହାର ବାବଦରେ କଂପାନି ୫୦ କୋଟି ଟଙ୍କା ଖର୍ଚ କରିଛି। ସାବ୍‌ଜୀ ହେଉଛନ୍ତି ହରେ କୃଷ୍ଟ ଏକ୍ସପୋର୍ଟସ୍‌ର ମାଲିକ। କଂପାନିରେ ପାଖାପାଖି ୫୦୦୦ କର୍ମଚାରୀ କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୪୦୦୦ କର୍ମଚାରୀଙ୍କୁ ଉପହାର ପ୍ରଦାନ କରାଯାଇସାରିଲାଣି। ୨୦୧୧ରେ କଂପାନି ପକ୍ଷରୁ କର୍ମଚାରୀଙ୍କ ପାଇଁ ଏକ ଲୟାଲ୍‌ଟି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସେହି କାର୍ଯ୍ୟକ୍ରମ ଅଧୀନରେ ଉପହାର ପ୍ରଦାନ କରାଯାଉଛି। ସେ ୨୦୧୪ରେ କର୍ମଚାରୀଙ୍କୁ ୫୦୦ ଫ୍ଲାଟ୍ ଓ ହୀରା ଗହଣା ଉପହାର ସୂତ୍ରରେ ଦେଇଥିଲେ। ୨୦୧୫ରେ ୨୦୦ ଫ୍ଲାଟ୍‌ ଓ ୪୯୧ଟି କାର୍‌ ଏବଂ ୨୦୧୬ରେ ୪୦୦ ଫ୍ଲାଟ୍‌ ଓ ୧୨୬୦ଟି କାର୍‌ ଉପହାର ଦେଇ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲେ। କର୍ମଚାରୀଙ୍କୁ ଏଭଳି ଉପହାର ଦେଉଥିବା ସାବ୍‌ଜୀ ୧୩ ବର୍ଷ ବୟସରେ ପାଠପଢ଼ା ଛାଡ଼ିଥିଲେ। ନିଜ ଦାଦାଙ୍କଠାରୁ ହୀରା କାରବାରର କଳା ଶିଖି ଏତେ ବଡ଼ ସାମ୍ରାଜ୍ୟ ସ୍ଥାପନ କରିଛନ୍ତି।

ସମ୍ବନ୍ଧିତ ଖବର