ଓପିଜିସିରେ ଏଇଏସ୍‌ର ସ୍ଥାନ ନେବ ଆଦାନି, ଏଇଏସ୍‌ର ଅଂଶଧନକୁ ୧୦୨୦ କୋଟିରେ କିଣିବ

ଭୁବନେଶ୍ବର: ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ (ଓପିଜିସି)ରେ ଆମେରିକୀୟ କଂପାନି ଏଇଏସ୍‌ କର୍ପୋରେସନର ଥିବା ଅଂଶଧନକୁ ଆଦାନି ପାୱାର ପ୍ରାୟ ୧୦୨୦ କୋଟି ଟଙ୍କାରେ କିଣିବ। ଏନେଇ ଏଇଏସ୍‌ ଓ ଆଦାନି ପାୱାର ମଧ୍ୟରେ ବୁଝାମଣା ସ୍ବାକ୍ଷରିତ ହୋଇଛି। ଓପିଜିସିରେ ଏଇଏସ୍‌ର ୪୯% ଓ ରାଜ୍ୟ ସରକାରଙ୍କ ୫୧% ଅଂଶଧନ ରହିଛି। ଏଇଏସ୍‌ ପାଖରେ ଥିବା ୪୯% ଅଂଶଧନକୁ ଆଦାନି ପାୱାର କିଣିନେବ। ନଗଦ ରାଶିରେ ଏହି କିଣାବିକା ହେବ। ବୁଝାମଣା ସ୍ବାକ୍ଷର ହେବାର ଛଅ ମାସ ଭିତରେ ଅଧିଗ୍ରହଣ କାର୍ଯ୍ୟ ଶେଷ କରାଯିବ ବୋଲି ଆଦାନି ପାୱାର ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜ୍‌କୁ ଅବଗତ କରାଯାଇଛି। ତେବେ ଏହି ବୁଝାମଣା ସଫଳ ହେବା ଲାଗି ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ), ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ରାଜ୍ୟ ସରକାରଙ୍କ ଅନୁମୋଦନ ଦରକାର ପଡ଼ିବ। ଏହି ବୁଝାମଣା ହୋଇଥିବାରୁ ଦୀର୍ଘ ୨୨ ବର୍ଷ ଧରି ଓପିଜିସି ସହ ଏଇଏସ୍‌ର ଥିବା ସମ୍ପର୍କ ଛିନ୍ନ ହୋଇଛି। ୧୯୯୨ରେ ଏହି ଆମେରିକୀୟ କଂପାନି ଭାରତ ଆସିଥିଲା ଓ ୧୯୯୮ରେ ଏହା ଓପିଜିସିର ଅଂଶଧନ କିଣିଥିଲା। ଓପିଜିସିକୁ ୧୯୮୪ ମସିହା ନଭେମ୍ବର ୧୪ରେ ସ୍ଥାପନ କରାଯାଇଥିଲା।

କିଛି ବର୍ଷ ହେଲାଣି ଏଇଏସ୍‌ ସାରା ବିଶ୍ବରେ ଅକ୍ଷୟ ଶକ୍ତି ଉପରେ ଗୁରୁତ୍ବ ଦେଉଛି ଏବଂ କୋଇଲାକୁ ଜାଳେଣି ଭାବେ ବ୍ୟବହାର କରୁଥିବା କଂପାନିଗୁଡ଼ିକର ପ୍ରକଳ୍ପରୁ ଓହରି ଯାଉଛି। କିଛି ମାସ ତଳେ ଏହା ଜୋର୍ଡାନ ଓ ବ୍ରିଟେନ୍‌ରେ ଥିବା ପ୍ରକଳ୍ପରୁ ନିଜ ଅଂଶଧନ ବିକ୍ରି କରି ସମ୍ପୂର୍ଣ୍ଣ ଓହରିଯାଇଥିଲା। ସେହିଦିନ ଠାରୁ ଓପିଜିସିରେ ଥିବା ଅଂଶଧନକୁ କଂପାନି ବିକ୍ରି କରିପାରେ ବୋଲି ଆଲୋଚନା ହେଉଥିଲା। ଆଦାନି ପାୱାର ସହିତ କଂପାନି କଥାବାର୍ତା କରୁଛି ବୋଲି କିଛି ମାସ ତଳେ ଚର୍ଚ୍ଚା ହୋଇଥିଲା। ସେହି ଆଲୋଚନା ଏବେ ସଫଳ ହୋଇଛି। ଆମର ଦୀର୍ଘମିଆଦୀ ଲକ୍ଷ୍ୟ ହାସଲ କରିବା ଦିଗରେ ଆଦାନି ପାୱାର ସହିତ ହୋଇଥିବା ବୁଝାମଣା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ଏଇଏସ୍‌ର ସଭାପତି ଓ ସିଇଓ ଆଣ୍ଡ୍ରେସ୍‌ ଗ୍ଲୁସ୍‌କି କହିଥିବା ଜଣାପଡ଼ିଛି।

ଏଇଏସ୍‌ର ଅଂଶଧନକୁ କିଣି ଆଦାନି ପାୱାର ପ୍ରଥମ ଥର ଲାଗି ଓଡ଼ିଶା ବଜାରରେ ପ୍ରବେଶ କରିବ। ଚଳିତ ବର୍ଷ ରାଜ୍ୟର ବିଦ୍ୟୁତ କ୍ଷେତ୍ରରେ ପ୍ରବେଶ କରିବାରେ ଆଦାନି ହେଉଛି ଦ୍ବିତୀୟ ବଡ଼ ଘରୋଇ ସଂସ୍ଥା। ଏହା ପୂର୍ବରୁ ଟାଟା ପାୱାର ପକ୍ଷରୁ ସେସୁକୁ ଅଧିଗ୍ରହଣ କରାଯାଇଥିଲା। ଉଭୟ ଟାଟା ପାୱାର ଓ ‌ଆଦାନି ପାୱାରର ଓଡ଼ିଶା ବିଦ୍ୟୁତ କ୍ଷେତ୍ର ଉପରେ ନଜର ରହିଛି। ୱେସ୍‌କୋ, ନେସ୍‌କୋ ଓ ସାଉ୍‌କୋର ଘରୋଇକରଣ ପ୍ରକ୍ରିୟାରେ ଏହି ଦୁଇ କଂପାନି ଭାଗ ନେବେ ବୋଲି ଜଣାପଡ଼ିଛି। ସାଉଥ୍‌କୋ ପ୍ରତି ଟାଟା ପାୱାର ଓ ୱେସ୍‌କୋ ଏବଂ ନେସ୍‌କୋ ପ୍ରତି ଆଦାନି ପାୱାରର ଆଗ୍ରହ ରହିଥିବା କୁହାଯାଉଛି। ଅବଶ୍ୟ ଏ ସଂକ୍ରାନ୍ତରେ ଏହି ଦୁଇ କଂପାନି ପକ୍ଷରୁ ନିର୍ଦିଷ୍ଟ ଭାବେ କୌଣସି ସୂଚନା ଦିଆଯାଇନାହିଁ।

ସମ୍ବନ୍ଧିତ ଖବର