ଆଇଆରସିଟିସି ଆକାଉଣ୍ଟ ସହ ଆଧାରକାର୍ଡ ସଂଯୋଗ କରି ମାଗଣାରେ ଯାତ୍ରା କରିବା ସହ ୧୦ହଜାର ଟଙ୍କା ଜିତନ୍ତୁ

ଟିକେଟ କରିଥିବାର ସମସ୍ତ ରାଶି ଫେରସ୍ତ ପାଆନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ରସରକାର ଏଣିକି ପ୍ରତ୍ୟେକଟି କ୍ଷେତ୍ରରେ ଆଧାରକାର୍ଡର ବାଧ୍ୟତାମୂଳକ କରି ଦେଇଛନ୍ତି। ଏପରିକି ବ୍ୟାଙ୍କ ଆକାଉଣ୍ଟ ଓ ମୋବାଇଲ ନମ୍ବରକୁ ମଧ୍ୟ ଆଧାରକାର୍ଡ ସହ ଲିଙ୍କ କରିବାକୁ ସରକାରଙ୍କ ପକ୍ଷରୁ ଡେଡଲାଇନ ମଧ୍ୟ ଦିଆଯାଇଛି । ତେବେ ରେଳ ଯାତ୍ରୀଙ୍କ ପାଇଁ ଆଉ ଏକ ନୂଆ ଅଫର ଘୋଷଣା କରିଛନ୍ତି ଏସବୁ ଭିତରେ ରେଳବିଭାଗ। ରେଳ ବିଭାଗର ଆଇଆରସିଟିସି ଆକାଉଣ୍ଟ ସହ ଆଧାରକାର୍ଡ ସଂଯୋଗ କରିବା ଦ୍ୱାରା ଏଣିକି ରେଳରେ ମାଗଣା ଯାତ୍ରା କରିବା ସହ ୧୦ ହଜାର ଟଙ୍କା ଜିତିବାର ସୁଯୋଗ ଆଣିଛି ରେଳ ବିଭାଗ ।

ଭାରତୀୟ ରେଳ ବିଭାଗ ଏଥିପାଇଁ ‘ଲକି ଡ୍ର ସ୍କିମ’ ନାମରେ ଯାତ୍ରୀଙ୍କ ପାଇଁ ଏକ ନୂଆ ଅଫର ଘୋଷଣା କରିଛନ୍ତି। ଏହି ଅଫରର ଫାଇଦା ଉଠାଇବାକୁ ହେଲେ ରେଳ ଯାତ୍ରୀଙ୍କୁ ଆଇଆରସିଟିସି ଆକାଉଣ୍ଟରେ ଆଧାର ନମ୍ବର ସଂଯୋଗ କରିବାକୁ ପଡିବ । ସଂଯୋଗ କରିବାର ୬ମାସ ପର୍ଯ୍ୟନ୍ତ ଟିକେଟ ବୁକ କରିଲେ ଏହା ଆପଣାଛାଏଁ ଏହି ସ୍କିମରେ ସାମିଲ ହୋଇଯିବ ।ଆଧାର ସଂଯୋଗ ପରେ ଯାତ୍ରୀ ଟିକେଟ ବୁକ୍‌ କଲେ ୧୦ ହଜାର ଟଙ୍କା ଓ ମାଗଣା ରେଳଯାତ୍ରା କରିବାର ସୁଯୋଗ ପାଇପାରିବେ ।

ତେବେ ‘ଲକି ଡ୍ର ସ୍କିମ’ ସ୍କିମ ଅନୁଯାୟୀ ପ୍ରତିମାସରେ ୫ ଜଣ ବିଜେତାଙ୍କୁ ଚୟନ କରାଯିବ । ପ୍ରତି ବିଜେତାଙ୍କୁ ୧୦ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ। ଏହାଛଡା ଟିକେଟ ବୁକ୍‌ କରିବା ପାଇଁ ବିଜେତା ଯାତ୍ରୀ ଯେତିକି ଟଙ୍କା ଖର୍ଚ୍ଚ କରିଥିବେ ତାହା ମଧ୍ୟ ଫେରସ୍ତ କରାଯିବ । ତେବେ ଯାତ୍ରୀଙ୍କୁ ଏଥିପାଇଁ କିଛି ନିୟମ ପାଳନ କରିବାକୁ ହେବ । ଆଇଆରସିଟିସି ଆକାଉଣ୍ଟରେ ଯେଉଁ ନାମ ଥିବ ସେହି ନାମରେ ଟିକେଟ ହୋଇଥିଲେ ହିଁ ଆପଣ ଏହି ସ୍କ୍ରିମରେ ସାମିଲ ହୋଇପାରିବେ ।

ସୂଚନାଯୋଗ୍ୟ, ଆଇଆରସିଟିସି ଆକାଉଣ୍ଟ ସହ ଆଧାର ନମ୍ବର ଲିଙ୍କ କରିବା ପରେ ଟିକେଟ ବୁକ୍‌ କରିବା ପରେ ଆପଣଙ୍କ ପିଏନଆର ନମ୍ବର ଆପଣାଛାଏଁ ଏହି ସ୍କିମରେ ସାମିଲ ହୋଇଯିବ । ଏହାପରେ କମ୍ପ୍ୟୁଟର ସାହାଯ୍ୟରେ ପ୍ରତିମାସ ୫ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ଚୟନ କରାଯିବ। ତେବେ ଟିକେଟ ବୁକ୍‌ କରିବାର ଗୋଟିଏ ମାସ ପରେ ଭାଗ୍ୟଶାଳୀ ବିଜେତାଙ୍କ ନାମ ଜଣାପଡ଼ିବ। ଭାଗ୍ୟଶାଳୀ ବିଜେତାଙ୍କ ନାମ ଆଇଆରସିଟିସିି ସାଇଟରେ ଉପଲବ୍ଧ ହେବା ସହ ବିଜେତା ହୋଇଥିବା ଯାତ୍ରୀଙ୍କୁ ରେଜିଷ୍ଟର ଆଇଡି ମାଧ୍ୟମରେ ସୂଚନା ଦିଆଯିବ ।

ଏହି ସ୍କିମ ଡିସେମ୍ବର ମାସରୁ ଆରମ୍ଭ ହୋଇଛି ଓ ଆଗାମୀ ୬ ମାସ ପର୍ଯ୍ୟନ୍ତ ଏହା ଚାଲିବ । ତେବେ ଏହି ସ୍କିମ ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆଇଆରସିଟିସି ସାଇଟ କ୍ଲିକ କରି ଏହାର ନିୟମାବଳୀ ବିଷୟରେ ଜାଣନ୍ତୁ।

ସମ୍ବନ୍ଧିତ ଖବର