ଡାଲି ଦରବୃଦ୍ଧି ପରେ ଚେତିଲେ, ରାଜ୍ୟଗୁଡ଼ିକ ସହ କେନ୍ଦ୍ରର ଆଲୋଚନା

ଷ୍ଟକ୍ ଘୋଷଣା କରିବାକୁ ନିର୍ଦେଶ, ମୂଲ୍ୟ ଉପରେ ନଜର ରଖାଯିବ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଡାଲି ଦରବୃଦ୍ଧି ବେଲଗାମ ହେବା ପରେ କେନ୍ଦ୍ର ସରକାର ତାହାକୁ ବିଚାରକୁ ନେଇ ସାମ୍ପ୍ରତିକ ସ୍ଥିତିର ସମୀକ୍ଷା କରିଛନ୍ତି। ଏନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସହ ଆଲୋଚନା କରାଯାଇଛି। ଡାଲି କାରବାର ସହ ଜଡ଼ିତ ଥିବା ସମସ୍ତ ପ୍ରକାର ଅଂଶୀଦାର ଯଥା ମିଲ୍‌, ଆମଦାନୀକାରୀ ଏବଂ ବ୍ୟବସାୟୀମାନଙ୍କୁ ସେମାନଙ୍କ ପାଖରେ ଥିବା ଷ୍ଟକ୍ ଘୋଷଣା କରିବାକୁ କୁହାଯାଇଛି। ସାଧାରଣ ଲୋକଙ୍କ ପାଖରେ ଯେଭଳି ଉଚିତ ମୂଲ୍ୟରେ ଡାଲି ପହଞ୍ଚିବ ତାହା ନିଶ୍ଚିତ କରିବା ଲାଗି ଅତ୍ୟାବଶ୍ୟକ ସାମଗ୍ରୀ ନିୟମରେ ରହିଥିବା ବିଭିନ୍ନ ବ୍ୟବସ୍ଥାକୁ ଲାଗୁ କରିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କହିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ନିୟମ ୧୯୫୫ର ଧାରା ୩(୨)(ଏଚ୍‌) ଓ ୩(୨)(ଆଇ) ଅନୁସାରେ ରାଜ୍ୟଗୁଡ଼ିକ ଯେକୌଣସିି ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ, ଯୋଗାଣ ଓ ବିତରଣରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ସୂଚନା ଓ ତଥ୍ୟ ସଂଗ୍ରହ କରିପାରିବେ। ସେହି କ୍ଷମତାକୁ ବ୍ୟବହାର କରି ଡାଲି ଷ୍ଟକ୍ ଘୋଷଣା କରିବା ଲାଗି ମିଲ୍‌, ଆମଦାନକାରୀ ଓ ବ୍ୟବସାୟୀମାନଙ୍କୁ ନିର୍ଦେଶ ଦେବା ଲାଗି ରାଜ୍ୟଗୁଡ଼ିକୁ କୁହାଯାଉଛି। ଅଂଶୀଦାରମାନେ ଯେଉଁ ତଥ୍ୟ ଦେବେ ରାଜ୍ୟ ସରକାର ନିଜ ପାଖରେ ଥିବା ତଥ୍ୟ ସହ ତାହା ମେଳ ଖାଉଛି ନା ନାହିଁ ଦେଖିବେ।

ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଛି‌ ଯେ ସାପ୍ତାହିକ ଭିତ୍ତିରେ ଡାଲି ଦର ଉପରେ ନଜର ରଖାଯିବ। ଏକ ଅନଲାଇନ୍ ଡାଟାସିଟ୍ ପ୍ରସ୍ତୁତ କରାଯିବ ଯେଉଁଥିରେ ମିଲର, ପାଇକାରୀ ବିକ୍ରେତା, ଆମଦାନିକାରୀ ଆଦି ଅଂଶୀଦାରମାନଙ୍କ ବିବରଣୀ ଓ ସେମାନଙ୍କ ପାଖରେ ଥିବା ଡାଲି ଷ୍ଟକ୍ ଆଦିର ସୂଚନା ରହିବ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ କେନ୍ଦ୍ର ସରକାରଙ୍କ ସହ ସେହି ତଥ୍ୟ ବାଣ୍ଟିବେ। ଡାଲି ଉତ୍ପାଦନକାରୀ ରାଜ୍ୟଗୁଡ଼ିକୁ ଚାଷୀଙ୍କ ଠାରୁ ଉଚିତ ମୂଲ୍ୟରେ ଡାଲି ସଂଗ୍ରହ ଜାରି ରଖିବା ଲାଗି କୁହାଯାଇଛି। ମୂଲ୍ୟ ସ୍ଥିରତା ପାଣ୍ଠି ଅଧୀନରେ ଡାଲିର ଭଣ୍ଡାର ପ୍ରସ୍ତୁତ କରାଯାଇଛି। ଏହି ଭଣ୍ଡାର ପାଇଁ ସଂଗ୍ରହ କରାଯାଉଥିଲା ଡାଲିକୁ ସଂପୃକ୍ତ ରାଜ୍ୟଗୁଡ଼ିକରେ ରଖାଯାଉଛି। କୌଣସି ସମୟରେ ବଜାରରେ ଡାଲି ଦର ବେଲଗାମ ହୋଇଗଲେ କିମ୍ବା ଡାଲିର ଅଭାବ ଦେଖାଦେଲେ ସରକାର ଏହି ଭଣ୍ଡାରରେ ଥିବା ଡାଲିକୁ ସୁଲଭ ମୂଲ୍ୟରେ ଯୋଗାଇ ଦେବେ। ପରିବହନ ଖର୍ଚ୍ଚ କମ୍ ରଖିବା ଲାଗି ବିଭିନ୍ନ ରାଜ୍ୟରେ ଏହି ଭଣ୍ଡାରର ଡାଲି ରଖିବାକୁ ନିଷ୍ପତ୍ତି ହୋଇଛି।

କେବଳ ଡାଲି ନୁହେଁ ଯେଉଁ ୨୨ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ ରହିଛି ଯଥା ତୈଳବୀଜ, ପନିପରିବା, ଦୁଗ୍ଦ ଆଦିର ମୂଲ୍ୟ ଉପରେ ସାପ୍ତାହିକ ଭିତ୍ତିରେ ନଜର ରଖିବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର କହିଛନ୍ତି। ଫଳରେ କୌଣସି ସମୟରେ ଡାଲି ଦରରେ ଅସ୍ବାଭାବିକ ବୃଦ୍ଧିର ଆଭାସ ମିଳିଲେ ସେହି ସ୍ଥିତିର ଆଗୁଆ ମୁକାବିଲା କରିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରିପାରିବେ। ଦେଶରେ ପର୍ଯ୍ୟାପ୍ତ ପରିମାଣର ଡାଲି ଉପଲବ୍ଧ କରିବା ଲାଗି ବିଭିନ୍ନ ପ୍ରକାର ଡାଲିକୁ ‘ପ୍ରତିବନ୍ଧିତ’ ବର୍ଗରୁ ବାହାର କରି ‘ମୁକ୍ତ’ ବର୍ଗରେ ରଖାଯାଇଛି। ଫଳରେ ଏହି ଡାଲିଗୁଡ଼ିକୁ ଆମଦାନି କରିବା ଆମଦାନିକାରୀମାନଙ୍କ ପାଇଁ ସହଜ ହେବ।

ସମ୍ବନ୍ଧିତ ଖବର