ବିମାନ ଯାତ୍ରୀଙ୍କ ଲଗେଜ୍‌ ଚାର୍ଜ ବଢ଼ିଲା ୩ ଘରୋଇ ଏୟାରଲାଇନ୍ସ ଲାଗୁକଲେ

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କୁ ଏଣିକି ବ୍ୟାଗ୍‌ରେ ଅଧିକ ଓଜନର ସାମଗ୍ରୀ ନେଲେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଦେଶର ୩ଟି ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋ, ସ୍ପାଇସ୍‌ଜେଟ୍‌ ଏବଂ ଗୋ ଏୟାର ଅତିରିକ୍ତ ଲଗେଜ୍‌ ଚାର୍ଜ କିଲୋଗ୍ରାମ ପିଛା ୪୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଯାତ୍ରୀମାନେ ଦେଶ ମଧ୍ୟରେ ବିମାନଯାତ୍ରା ବେଳେ ସାଥୀରେ ୧୫ କିଲୋରୁ ଅଧିକ ସାମଗ୍ରୀ ନେଲେ କିଲୋଗ୍ରାମ ପିଛା ଅଧିକ ଅର୍ଥ ଗଣିବାକୁ ପଡ଼ିବ। ପୂର୍ବରୁ ଏହି ଚାର୍ଜ କିଲୋଗ୍ରାମ ପିଛା ୩୦୦ ଟଙ୍କା ରହିଥିଲା। ଏଥିସହିତ ଇଣ୍ଡିଗୋ ଏବଂ ସ୍ପାଇସ୍‌ଜେଟ୍‌ ପକ୍ଷରୁ ପ୍ରି-ବୁକିଂ ଅତିରିକ୍ତ ଲଗେଜ୍‌ ଚାର୍ଜରେ ବୃଦ୍ଧି କରାଯାଇଛି। ୧୫ କିଗ୍ରାରୁ ଅଧିକ ଲଗେଜ ନେଲେ ଅତିରିକ୍ତ ୫ କିଗ୍ରା, ୧୦ କିଗ୍ରା, ୧୫ କିଗ୍ରା ଏବଂ ୩୦ କିଗ୍ରାରୁ ଅଧିକ ଲଗେଜ୍‌ର ପ୍ରି-ବୁକିଂ ବାବଦରେ ଇଣ୍ଡିଗୋ ଏୟାରଲାଇନ୍ସକୁ ଯଥାକ୍ରମେ ୧୯୦୦ ଟଙ୍କା, ୩୮୦୦ ଟଙ୍କା, ୫୭୦୦ ଟଙ୍କା ଏବଂ ୧୧,୪୦୦ ଟଙ୍କା ଦେବାକୁ ପଡ଼ିବ।

ସେହିଭଳି ସ୍ପାଇସ୍‌ଜେଟ୍‌ ଏହାର ଯାତ୍ରୀଙ୍କ ଠାରୁ ଅତିରିକ୍ତ ଲଗେଜ୍‌ର ପ୍ରି ବୁକିଂ ଶୁଳ୍କ ବୃଦ୍ଧି କରିଛି। ୫କିଗ୍ରା, ୧୦ କିଗ୍ରା, ୧୫ କିଗ୍ରା, ୨୦ କିଗ୍ରା ଏବଂ ୩୦ କିଗ୍ରାର ଅତିରିକ୍ତ ଲଗେଜ ପ୍ରାକ୍‌ ବୁକିଂ ବାବଦରେ ଏହି ଏୟାରଲାଇନ୍ସ ଯଥାକ୍ରମେ ୧୬୦୦ ଟଙ୍କା, ୩୨୦୦ ଟଙ୍କା, ୪୮୦୦ ଟଙ୍କା, ୬୪୦୦ ଟଙ୍କା, ୯୬୦୦ ଟଙ୍କା ନେବ। ପୂର୍ବରୁ ଏହି ଚାର୍ଜ ଯଥାକ୍ରମେ ୧୪୨୫ ଟଙ୍କା, ୨୮୫୦ ଟଙ୍କା, ୪୨୭୫ ଟଙ୍କା, ୫୭୦୦ ଟଙ୍କା ଏବଂ ୮୦୦୦ ଟଙ୍କା ରହିଥିଲା। ଉଲ୍ଲେଖଯୋଗ୍ୟ ଯେ, ଘରୋଇ ଏୟାରଲାଇନ୍ସ ଗୁଡ଼ିକ ଦେଶ ମଧ୍ୟରେ ଯାତ୍ରୀଙ୍କଠାରୁ ୧୫ କିଗ୍ରା ପର୍ଯ୍ୟନ୍ତ ଲଗେଜ ପରିବହନ ପାଇଁ କୌଣସି ଚାର୍ଜ ଆଦାୟ ନକରିବା ନେଇ ନିୟମ ରହିଛି। ତେବେ ଏୟାର ଇଣ୍ଡିଆ ଏହାର ଯାତ୍ରୀମାନଙ୍କୁ ଦେଶ ମଧ୍ୟରେ ବିମାନ ଯାତ୍ରାରେ ୨୫ କିଗ୍ରା ପର୍ଯ୍ୟନ୍ତ ଲଗେଜ ପରିବହନ ସୁବିଧା ମାଗଣାରେ ପ୍ରଦାନ କରୁଛି।

ସମ୍ବନ୍ଧିତ ଖବର