ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ବୈଠକରେ ମଞ୍ଜୁରି: ୮ ପ୍ରକଳ୍ପରେ ନିବେଶ ହେବ ୧,୮୭୨ କୋଟି

ସ୍ଥାପନ କରାଯିବ ୪ଟି ଇଥାନଲ୍ କାରଖାନା

ଭୁବନେଶ୍ବର: ରାଜ୍ୟରେ ୮ଟି ଶିଳ୍ପ ପ୍ରକଳ୍ପରେ ୧୮୭୨.୧୧ କୋଟି ଟଙ୍କା ନିବେଶ ହେବ। ଆଜି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ପ୍ରଦାନ କରାଯାଇଛି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୩,୪୬୧ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଜିର ବୈଠକରେ ଶ୍ୟାମ ମେଟାଲିକ୍ସ, ଜିନ୍ଦଲ୍‌ କୋକ୍, ଜିଭି ମାଇନ୍ସ ଆଣ୍ଡ୍ ମେଟାଲ୍‌, ଗ୍ରିନ୍‌ଟେକ୍‌ ବାୟୋ ଏନର୍ଜି, ବାୟୋ ଆଗ୍ରୋ ଏନର୍ଜି, ଭାରତୀୟ ପଟାସ୍, ଏନର୍ଜି ଇଣ୍ଟ୍‌ରୋ ଓ ଆବିସ୍‌ ଏକ୍ସପୋର୍ଟସ୍‌ର ନିବେଶ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଚାରିଟି ସଂସ୍ଥା ବରଗଡ଼, ସୋନପୁର, କଳାହାଣ୍ଡି ଓ ଝାରସୁଗୁଡ଼ାରେ ଇଥାନଲ୍ କାରଖାନା ସ୍ଥାପନ କରିବେ। ଅନ୍ୟ ପ୍ରକଳ୍ପଗୁଡ଼ିକ ଯାଜପୁର, ମୟୁରଭଞ୍ଜ ଓ କେନ୍ଦୁଝରରେ ସ୍ଥାପନ କରାଯିବ।

ଶ୍ୟାମ ମେଟାଲିକ୍ସ ୩୨୮.୭୫ କୋଟି ଟଙ୍କା ବିନିଯୋଗରେ ଯାଜପୁରରେ ଏକ ଫେରୋ ଆଲଏଜ୍ ପ୍ଲାଣ୍ଟ୍ ସ୍ଥାପନ କରିବ। ସେହିପରି ଜିନ୍ଦଲ୍ କୋକ୍ ପକ୍ଷରୁ କଳିଙ୍ଗନରରେ କୋକ୍ ଓ ପେଟ୍ରୋଲିୟମ୍ ୟୁନିଟ୍‌ର କ୍ଷମତା ବଢ଼ାଇବା ଲାଗି ୪୭୦ କୋଟି ଟଙ୍କା ବିନିଯୋଗ କରାଯିବ। ଜିଭି ମାଇନ୍ସ ଆଣ୍ଡ୍‌ ମେଟାଲ୍‌ ପକ୍ଷରୁ ଲୁହାପଥର ପାଇପ୍‌ କନ୍‌ଭେଇଂ ବ୍ୟବସ୍ଥାରେ ୧୦୪.୪୮ କୋଟି ଟଙ୍କା ନିବେଶ କରାଯିବ। ବରଗଡ଼ରେ ଏକ ଇଥାନଲ୍ କାରଖାନା ସ୍ଥାପନ କରିବା ଲାଗି ଗ୍ରିନ୍‌ଟେକ୍ ବାୟୋଏନର୍ଜି ୨୫୦ କୋଟି ଟଙ୍କା ଓ ସୋନପୁରରେ ଏକ ଇଥାନଲ୍ କାରଖାନା ବସାଇବା ଲାଗି ବା‌ୟୋ ଆଗ୍ରୋ ଏନର୍ଜି ଲିମିଟେଡ୍ ୨୨୮.୫୫ କୋଟି ଟଙ୍କା ନିବେଶ କରିବ। କଳାହାଣ୍ଡିରେ ଭାରତୀୟ ପଟାସ୍ ପକ୍ଷରୁ ଏକ ଶଶ୍ୟ ଭିତ୍ତିକ ଇଥାନଲ୍ କାରଖାନା ସ୍ଥାପନ କରିବା ଲାଗି ୨୧୯ କୋଟି ଟଙ୍କା ନିବେଶ କରାଯିବ। ଝାରସୁଗୁଡ଼ାରେ ଏନର୍ଜି ଇଣ୍ଟ୍‌ରୋ ପକ୍ଷରୁ ୨୦୫ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ଏକ ଇଥାନଲ୍ କାରଖାନା ସ୍ଥାପନ କରାଯିବ। ଆବିସ୍ ଏକ୍ସପୋର୍ଟସ୍‌ ଲିମିଟେଡ୍‌ ପକ୍ଷରୁ ମୟୁରଭଞ୍ଜରେ ସ୍ବଂୟକ୍ରିୟ କୁକୁଡ଼ା ଚିଆଁ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବା ଲାଗି ୬୬.୩୩ କୋଟି ଟଙ୍କା ନିବେଶ କରାଯିବ।

ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଆଜିର ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ପ୍ରକଳ୍ପଗୁଡ଼ିକର ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ସବୁ ବିଭାଗ ଓ ଇପିକଲ୍‌କୁ ନିର୍ଦେଶ ଦେଇ ପୂର୍ବ ଅନୁମୋଦିତ ପ୍ରକଳ୍ପଗୁଡ଼ିକର ନିର୍ମାଣ ଓ ଉତ୍ପାଦନ ଆରମ୍ଭ ଉପରେ ଗୁରୁତ୍ବ ଦେବାକୁ କହିଥିଲେ। ପ୍ରସ୍ତାବିତ ଶିଳ୍ପ ଲାଗି ଆବଶ୍ୟକ ଥିବା ଜମି ଓ ଜଳର ବାସ୍ତବବାଦୀ ଆକଳନ କରିବା ସହ ସେମାନଙ୍କୁ ଆବଣ୍ଟନ କରାଯାଉଥିବା ଜମିର ଶତ ପ୍ରତିଶତ ସଠିକ୍ ବିନିଯୋଗ ଉପରେ ଦୃଷ୍ଟି ରଖିବାକୁ ଉନ୍ନୟନ କମିସନର ପ୍ରଦୀପ ଜେନା କହିଛନ୍ତି। ଏହି ଅବସରରେ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର