ନୂଆଦିଲ୍ଲୀ: ସାବୁନ୍, ତେଲ ଆଦି ବିକ୍ରି କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବାବା ରାମଦେବଙ୍କ କଂପାନି ପତଞ୍ଜଳି ମୋବାଇଲ୍ ସେବା କ୍ଷେତ୍ରରେ ପ୍ରବେଶ କରିଛି। ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ସହିତ ମିଶି ବାବା ରାମଦେବ ସ୍ୱଦେଶୀ ସମୃଦ୍ଧି ସିମ୍ କାର୍ଡକୁ ଉନ୍ମୋଚନ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସିମ୍ କାର୍ଡକୁ ପତଞ୍ଜଳିର କର୍ମଚାରୀ ଓ ଅଧିକାରୀମାନେ ବ୍ୟବହାର କରିବେ। ସାଧାରଣ ଲୋକଙ୍କ ପାଖରେ ଏହି ସିମ୍ କିଛି ଦିନ ପରେ ପହଞ୍ଚିବ। ଏହି ସିମ୍ ଥିବା ଲୋକଙ୍କୁ ପତଞ୍ଜଳି ଉତ୍ପାଦ କିଣିବା ବେଳେ ୧୦% ରିହାତି ପ୍ରଦାନ କରାଯିବ। ୧୪୪ ଟଙ୍କା ରିଚାର୍ଜ କରି ଗ୍ରାହକମାନେ ସାରା ଦେଶରେ ଅସୀମିତ କଲ୍ କରିପାରିବେ, ୨ ଜିବି ଡାଟା ଓ ୧୦୦ ଏସ୍ଏମ୍ଏସ୍ ସୁବିଧା ମଧ୍ୟ ପାଇବେ। ଏହା ଉପରେ ଅଢ଼େଇ ଲକ୍ଷ ଟଙ୍କାର ମେଡିକାଲ୍ ବୀମା ଓ ୫ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା ମିଳିବ। କେବଳ ସଡ଼କ ଦୁର୍ଘଟଣା ଭଳି ପରିସ୍ଥିତିରେ ଏହି ବୀମା ରାଶି ମିଳିବ। ଏହି ଅବସରରେ ବାବା ରାମଦେବ କହିଛନ୍ତି ଯେ, ବିଏସ୍ଏନ୍ଏଲ୍ ହେଉଛି ଏକ ସ୍ୱଦେଶୀ ନେଟଓ୍ଵର୍କ। ଉଭୟ ବିଏସ୍ଏନ୍ଏଲ୍ ଓ ପତଞ୍ଜଳିର ଲକ୍ଷ୍ୟ ହେଉଛି ଦେଶର କଲ୍ୟାଣ କରିବା।