ଭଙ୍ଗାହେଲା ନିରବଙ୍କ ବଙ୍ଗଳା

ମୁମ୍ବାଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇର ମୁଖ୍ୟ ନାୟକ ନିରବ ମୋଦୀଙ୍କ ସମୁଦ୍ରକୂଳ ବଙ୍ଗଳାକୁ ରାଇଗଡ଼ ଜିଲ୍ଲା ପ୍ରଶାସନ ବିସ୍ଫୋରକ ଲଗାଇ ଉଡ଼ାଇ ଦେଇଛନ୍ତି। ସମୁଦ୍ରକୂଳରେ ଏହି ବଙ୍ଗଳାକୁ ବିସ୍ଫୋରକ ଲଗାଇ ଭଙ୍ଗାଯିବା ସମୟରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ମାତ୍ରାରେ ଧୂଳି ଉଡ଼ିଥିଲା। ୩୦ ହଜାର ବର୍ଗଫୁଟର ଏହି ବଙ୍ଗଳାର ମୂଲ୍ୟ ପ୍ରାୟ ୪୦ କୋଟି ଟଙ୍କା ହେବ। ଉକ୍ତ ବଙ୍ଗଳାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଇଗଡ଼ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିବା ପରେ ଜିଲ୍ଲାପାଳ ବିଜୟ ସୂର୍ଯ୍ୟବଂଶୀ ଏହାକୁ ଭାଙ୍ଗିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ବଙ୍ଗଳା ଭଙ୍ଗାଯିବାବେଳେ ଏଠାରୁ କିଛି ମୂଲ୍ୟବାନ ସାମଗ୍ରୀ ମିଳିଛି। ସେଗୁଡ଼ିକୁ ଜିଲ୍ଲା ପ୍ରଶାସନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କରିବ। ଗତ ଜାନୁଆରି ୨୫ରେ ଜିଲ୍ଲା ପ୍ରଶାସନ ବୁଲଡୋଜର ଲଗାଇ ଉକ୍ତ କୋଠାକୁ ଭାଙ୍ଗିବା ପାଇଁ ପ୍ରଚେଷ୍ଟା କରିଥିଲା। କିନ୍ତୁ କୋଠା ‌ଏତେ ଶକ୍ତ ଥିଲା ଯେ ଭାଙ୍ଗିବା ସହଜ ହୋଇ ନଥିଲା। ଏହାପରେ ଏହାକୁ ବିସ୍ଫୋରକ ଲଗାଇ ଭାଙ୍ଗିବା ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର