ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ୩୧ରୁ, ଚାରି ଦିନ ବ୍ୟାଙ୍କ ବନ୍ଦ ରହିବ

ଭୁବନେଶ୍ବର : ଚଳିତ ମାସ ୩୧ରୁ ଫେବ୍ରୁଆରି ୧ ପର୍ଯ୍ୟନ୍ତ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ହେବ ବୋଲି ଆଜି ୟୁନାଇଟେଡ୍‌ ଫୋରମ୍ ଅଫ୍‌ ବ୍ୟାଙ୍କ ୟୁନିଅନ୍ (ୟୁଏଫ୍‌ବିୟୁ)ର ଓଡ଼ିଶା ରାଜ୍ୟ ୟୁନିଟ୍‌ ପକ୍ଷରୁ ଘୋଷଣା କରାଯାଇଛି। ଫେବ୍ରୁଆରି ପହିଲାରେ କେନ୍ଦ୍ର ସରକାର ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ସେହି ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ପ୍ରସ୍ତାବିତ ଧର୍ମଘଟ ହେଲେ କ୍ରମାଗତ ଚାରି ଦିନ ବ୍ୟାଙ୍କ ବନ୍ଦ ରହିବ। ଜାନୁଆରି ୩୦ରେ ସରସ୍ବତୀ ପୂଜା, ୩୧ ଓ ଫେବ୍ରୁଆରି ୧ରେ ଧର୍ମଘଟ ଓ ଫେବ୍ରୁଆରି ୨ ରବିବାର ପଡ଼ୁଥିବାରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ୟୁଏଫ୍‌ବିୟୁ ପକ୍ଷରୁ ୧୨ ଦଫା ଦାବି ନେଇ ଧର୍ମଘଟ କରାଯିବ। ସେହି ଦାବିଗୁଡ଼ିକ ହେଉଛି ବେତନରେ ୨୦% ବୃଦ୍ଧି, ପାଞ୍ଚ ଦିନିଆ କାର୍ଯ୍ୟଦିବସ, ମୂଳ ଦରମା ସହ ସ୍ବତନ୍ତ୍ର ଭତ୍ତାକୁ ମିଶାଇବା, ସ୍ବତନ୍ତ୍ର ପେନ୍‌ସନ୍ ସ୍କିମ୍ ଓ ପରିବାର ପେନ୍‌ସନ୍ ସ୍କିମ୍ ଆଣିବା ଇତ୍ୟାଦି। ୟୁଏଫ୍‌ବିୟୁର ସଂଯୋଜକ ସମ୍ବିତ ମିଶ୍ର କହିଛନ୍ତି, ଯଦି ଆମ ଦାବିଗୁଡ଼ିକ ପୂରଣ ନହେବ ତେବେ ଆସନ୍ତା ମାର୍ଚ୍ଚ ୧୧ରୁ ୧୩ ପର୍ଯ୍ୟନ୍ତ ତିନିଦିନିଆ ଧର୍ମଘଟ କରାଯିବ। ଏହା ପରେ ଏପ୍ରିଲ୍ ପହିଲାରୁ ଅନିର୍ଦିଷ୍ଟକାଳୀନ ଧର୍ମଘଟ କରିବାକୁ ଯୋଜନା ରଖାଯାଇଛି। ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀମାନଙ୍କ ଦରମା ଓ ସେବା ସର୍ତ୍ତବାଳୀ ପ୍ରତି ୫ ବର୍ଷରେ କର୍ମଚାରୀ ଓ ଅଧିକାରୀମାନଙ୍କ ସଂଘଗୁଡ଼ିକର ଦାବି ଓ ବ୍ୟାଙ୍କଗୁଡ଼ିକର ପରିଚାଳନା କର୍ତ୍ତୃପକ୍ଷମାନଙ୍କ ସଂଘ ‘ଆଇବିଏ’ ମଧ୍ୟରେ ହେଉଥିବା ଆଲୋଚନା ମାଧ୍ୟମରେ ନିର୍ଧାରଣ କରାଯାଇଥାଏ। ଶେଷ ଥର ଲାଗି ୨୦୧୨ରେ କର୍ମଚାରୀମାନଙ୍କ ଦରମା ସଂଶୋଧନ ହୋଇଥିଲା। ଏହା ପରେ ୨୦୧୭ରେ ପୁଣି ଥରେ ଏହା ସଂଶୋଧନ ହେବା କଥା, ମାତ୍ର ଆଇବିଏ ସହିତ ମତଭେଦ ଯୋଗୁଁ ଦରମା ସଂଶୋଧନ ହୋଇପାରୁନାହିଁ। ଏହି ପ୍ରସଙ୍ଗକୁ ନେଇ ବିଗତ ୩୦ ମାସ ହେଲାଣି ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହି ଅବସରରେ ଏଆଇବିଓସିର ରାଜ୍ୟ ସମ୍ପାଦକ ସବ୍ୟସାଚୀ ସ୍ବାଇଁ, ଏନ୍‌ସିବିଇର ପ୍ରତିନିଧି ଅନିଲ ପ୍ରଧାନ, ଏଆଇବିଇଏର ସାଧାରଣ ସମ୍ପାଦକ ମନୋରଞ୍ଜନ ଦାଶ, ଏଆଇବିଓସିର ରାଜ୍ୟ ସଭାପତି ଦାମୋଦର ନନ୍ଦ ଓ ବିଇଏଫ୍‌ଆଇର ସାଧାରଣ ସମ୍ପାଦକ ପ୍ରକାଶ ରାୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର