ବିଏସ୍‌-୪ ଯାନ ବିକ୍ରିର ଶୁଣାଣି ବେଳେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମ୍‌ ‌କୋର୍ଟ

ନୂଆଦିଲ୍ଲୀ: ବିଏସ-୪ ଯାନ ବିକ୍ରି ସମ୍ପର୍କିତ ଶୁଣାଣି ବେଳେ ସୁପ୍ରିମ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିକ୍ରି ହୋଇ ପାରି ନଥିବା ବିଏସ୍‌-୪ ଯାନକୁ କମ୍ପାନିଙ୍କୁ ଫେରାଇ ଦେବା ପାଇଁ ଅଟୋମୋବାଇଲ ଡିଲର ସଂଘ ଆବେଦନ କରିଛି। ଫଳରେ ଯେଉଁସବୁ ଦେଶରେ ବିଏସ୍‌-୪ ଯାନ ବିକ୍ରି ହେଉଛି ସେଠାକୁ ଉକ୍ତ ଯାନଗୁଡ଼ିକୁ କମ୍ପାନି ରପ୍ତାନି କରିପାରିବ। ସଂଘ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ବିଚାରପତି ଅରୁଣ ମିଶ୍ରାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠକୁ ଏହା ଜଣାଇବା ସମୟରେ ଖଣ୍ଡପୀଠ କହିଥିଲେ ଆମେ କାହିଁକି ଏଭଳି ଆଦେଶ ଦେବୁ? ନିର୍ମାତାମାନେ ଗାଡ଼ି ବିକ୍ରି ପାଇଁ ଦିଆଯାଇଥିବା ଶେଷ ସମୟ ସୀମା ସମ୍ପର୍କରେ ଅବଗତ ଅଛନ୍ତି ବୋଲି ଖଣ୍ଡପୀଠ କହିଥିଲେ।

ଦେଶରେ କରୋନା ପାଇଁ ଲକଡାଉନ୍ ଜାରି ହେବାରୁ ଗାଡ଼ି ବିକ୍ରି ବନ୍ଦ ହୋଇଯାଇଥିଲା। ତେବେ ଏହି ଗାଡ଼ିଗୁଡ଼ିକୁ ବିକ୍ରି କରିବା ପାଇଁ ଲକଡାଉନ୍ ଖୋଲିବାର ୧୦ ଦିନ ପର୍ଯ୍ୟନ୍ତ ଅନୁମତି ଦିଆଯିବ ବୋଲି ସୁପ୍ରିମ କୋର୍ଟ ପୂର୍ବରୁ ମାର୍ଚ୍ଚ ୨୭ ତାରିଖରେ ରାୟ ଦେଇଥିଲେ। କିନ୍ତୁ ଏହି ରାୟକୁ ପ୍ରତ୍ୟାହାର କରିନେଇଛନ୍ତି। ୨୦୧୮ ଅକ୍ଟୋବରରେ ସୁପ୍ରିମ କୋର୍ଟ ଏକ ରାୟ ଦେଇଥିଲେ ଯେଉଁଥିରେ ୨୦୨୦ ଏପ୍ରିଲ ପହିଲାରୁ ଦେଶରେ ବିଏସ-୪ ଯାନ ବିକ୍ରି ଅନୁମତି ମିଳିବ ନାହିଁ ବୋଲି କୁହାଯାଇଥିଲା। ତେବେ ଗତ ଶୁକ୍ରବାର ଶୁଣାଣିବେଳେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବିକ୍ରି ହୋଇଥିବା ବିଏସ୍‌-୪ ଯାନର ପଞ୍ଜୀକରଣ ତଥ୍ୟ ଉପସ୍ଥାପନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସମୟ ଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩୧ ତାରିଖରେ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର