ବିଏସ୍‌ଏନ୍‌ଏଲ୍‌ ଆଣିଲା ଆକର୍ଷଣୀୟ ଭିଆର୍‌ଏସ୍‌ ସ୍କିମ୍, ୭୦-୮୦ ହଜାର କର୍ମଚାରୀ ଆଗ୍ରହ ଦେଖାଇପାରନ୍ତି

ନୂଆଦିଲ୍ଲୀ : ସରକାରୀ ଟେଲିକମ୍ କଂପାନି ବିଏସ୍‌ଏନ୍‌ଏଲ୍‌ ତରଫରୁ ସ୍ବେଚ୍ଛାକୃତ ଅବସର ସ୍କିମ୍ (ଭିଆର୍‌ଏସ୍‌) ସ୍କିମ୍ ଘୋଷଣା କରାଯାଇଛି। କଂପାନିର ୫୦ ବର୍ଷରୁ ଅଧିକ ବୟସର ସବୁ କର୍ମଚାରୀଙ୍କ ପାଇଁ ଏହି ସ୍କିମ୍ ଅଣାଯାଇଛି। ଏହା ବେଶ ଆକର୍ଷଣୀୟ ରହିଛି ବୋଲି ବିଏସ୍‌ଏନ୍‌ଏଲ୍‌ର ସିଏମ୍‌ଡି ପି କେ ପୁରୱାର କହିଛନ୍ତି।

ବିଏସ୍‌ଏନ୍‌ଏଲ୍‌-‌ଭିଆର୍‌ଏସ୍‌ ସ୍କିମ୍ ଚଳିତ ମାସ ୪ରୁ ଡିସେମ୍ବର ୩ ତାରିଖ ଭିତରେ ଉପଲବ୍ଧ ହେବ। କଂପାନିର ସମସ୍ତ ଫିଲ୍ଡ ୟୁନିଟ୍‌କୁ ଏବିଷୟରେ ଆଗୁଆ ସୂଚନା ଦିଆଯାଇସାରିଛି। ପ୍ରାୟ ୭୦ରୁ ୮୦ ହଜାର କର୍ମଚାରୀ ଏହି ସ୍କିମ୍‌ ପ୍ରତି ଆଗ୍ରହ ଦେଖାଇବେ ବୋଲି ଶ୍ରୀ ପୁରୱାର ଆଶା ପ୍ରକଟ କରିଛନ୍ତି। ତାଙ୍କ ଅନୁମାନ ଅନୁସାରେ ଯଦି ଏହି ସ୍କିମ୍ ସଫଳ ହେ‌ବ ତେବେ ବିଏସ୍‌ଏନ୍‌ଏଲ୍‌ ଏହାର ଦରମା ବିଲ୍‌କୁ ୭୦୦୦ କୋଟି ଟଙ୍କା କମ୍ କରିପାରିବ। କଂପାନିରେ ଏବେ ଦେଢ଼ ଲକ୍ଷରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଘରୋଇ ଟେଲିକମ୍ କଂପାନି ତୁଳନାରେ ବିଏସ୍‌ଏନ୍‌ଏଲ୍‌ର କର୍ମଚାରୀ ସଂଖ୍ୟା ଯଥେଷ୍ଟ ଅଧିକ। ଭିଆର୍‌ଏସ୍‌ ସ୍କିମ୍ ଜରିଆରେ କଂପାନିର କର୍ମଚାରୀ ସଂଖ୍ୟା କମ୍ କରିବାକୁ ପ୍ରୟାସ କରାଯାଉଛି।

ବିଏସ୍‌ଏନ୍‌ଏଲ୍‌ର ସମସ୍ତ ସ୍ଥାୟୀ କର୍ମଚାରୀ, ଯେଉଁମାନଙ୍କ ବୟସ ୫୦ ଟପିଥିବ ସେମାନଙ୍କ ପାଇଁ ଏହି ସ୍କିମ୍ ଲାଗୁ ହେବ । ବିଏସ୍‌ଏନ୍‌ଏଲ୍‌ରୁ ଅନ୍ୟ କୌଣସି ସଂସ୍ଥାକୁ ଡେପୁଟେସନ୍‌ରେ ଯାଇଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ଏହି ସ୍କିମ୍ ଲାଗୁ ହେବ। ଏହି ସ୍କିମ୍‌ରେ ଯୋଗ୍ୟ କର୍ମଚାରୀଙ୍କୁ ସେ ଦାୟିତ୍ବ ନିର୍ବାହ କରିଥିବା ପ୍ରତିଟି ବର୍ଷ ପାଇଁ ୩୫ ଦିନର ଦରମା ଏବଂ ତାଙ୍କ ଚାକିରି ଆଉ ଯେତିକି ବର୍ଷ (ଅବସର ପର୍ଯ୍ୟନ୍ତ) ବାକି ରହିଥିବ ସେହି ସବୁ ବର୍ଷ ପାଇଁ ପ୍ରତିବର୍ଷର ୨୫ ଦିନର ଦରମାକୁ ଏକ୍ସ-ଗ୍ରାସିଆ ଭାବେ ପ୍ରଦାନ କରାଯିବ।

ଏମ୍‌ଟିଏନ୍‌ଏଲ୍‌ ପକ୍ଷରୁ ମଧ୍ୟ ଭିଆର୍‌ଏସ୍‌ ସ୍କିମ୍ ଘୋଷଣା କରାଯାଇଛି। ଏହା କର୍ମଚାରୀଙ୍କ ପାଇଁ ଡିସେମ୍ବର ୩ ତାରିଖରେ ଉପଲବ୍ଧ ହେବ। ଯେଉଁ କର୍ମଚାରୀମାନଙ୍କ ବୟସ ୨୦୨୦ ଜାନୁଆରି ୩୧ ସୁଦ୍ଧା ୫୦ ବର୍ଷ କିମ୍ବା ତା’ଠାରୁ ଅଧିକ ହେଉଥିବ ସେମାନେ ଏହି ସ୍କିମ୍‌ର ଅଂଶ ହୋଇପାରିବେ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ଆର୍ଥିକ ସ୍ତରରେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିବା ଦୁଇ ସରକାରୀ ଟେଲିକମ୍ କଂପାନି ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ର ପୁନରୁଦ୍ଧାର କରିବା ଲାଗି ‌ଗତ ମାସରେ କେନ୍ଦ୍ର ସରକାର ୬୯ ହଜାର କୋଟି ଟଙ୍କାର ପୁନରୁଦ୍ଧାର ପ୍ୟାକେଜ୍ ଘୋଷଣା କରିଥିଲେ। ଦୁଇ କଂପାନି ମଧ୍ୟରେ ମିଶ୍ରଣ ଘୋଷଣା କରିଥିବା‌ ବେଳେ କଂପାନି ପରିଚାଳନା ପାଇଁ ନୂତନ ପାଣ୍ଠି ପ୍ରଦାନ କରିବା ଏବଂ ୪ଜି ସ୍ପେକ୍ଟ୍ରମ୍ ଦେବାକୁ ସରକାର କହିଛନ୍ତି। ଭି‌ଆର୍‌ଏସ୍‌ ପ୍ୟାକେଜ୍ ପାଇଁ ସରକାର ୧୭,୧୬୦ କୋଟି ଟଙ୍କା ପ୍ରଦାନ କରିବେ।

ସମ୍ବନ୍ଧିତ ଖବର