୧୦୫ କୋଟି ଜରିମାନା ଗଣିବ ବିଲ୍‌ଡର୍‌ ସଂସ୍ଥା

ପରିବେଶ ନିୟମ ଉଲ୍ଲଂଘନ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ପରିବେଶକୁ କ୍ଷତି ପହଞ୍ଚାଇଥିବା ଏକ ରିଅଲ ଇଷ୍ଟେଟ୍‌ ସଂସ୍ଥା ଉପରେ ସୁପ୍ରିମକୋର୍ଟ ୧୦୫ କୋଟି ଟଙ୍କାର ଜରିମାନା ଲାଗୁ କରିଛନ୍ତି। ମହାରାଷ୍ଟ୍ରର ପୁନେ ସହରରେ ଥିବା ଏହି ସଂସ୍ଥାର ନାମ ହେଉଛି ଗୋଏଲ୍‌ ଗଙ୍ଗା ଡେଭେଲପର୍ସ। ବିଚାରପତି ଏମ୍‌ ବି ଲୋକୁର ଓ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କଂପାନି ଉପରେ ପ୍ରବଳ ବିରକ୍ତି ପ୍ରକାଶ କରିଛନ୍ତି। ଛଅ ମାସ ଭିତରେ ଜରିମାନା ଧନରାଶି ଦାଖଲ କରିବାକୁ କୋର୍ଟ କଂପାନିକୁ ମହଲତ ପ୍ରଦାନ କରିଛନ୍ତି। ସେହି ସମୟ ଭିତରେ ଯଦି କଂପାନି ଜରିମାନା ଦାଖଲ କରିବାରେ ବିଫଳ ହେବ ତେବେ କଂପାନିର ସମସ୍ତ ନିର୍ଦେଶକମାନଙ୍କ ସମ୍ପତ୍ତି ଜବତ କରାଯିବ ବୋଲି କୋର୍ଟ କହିଛନ୍ତି। ପରିବେଶ ନିୟମକୁ ଗୋଏଲ୍‌ ଗଙ୍ଗା ଡେଭେଲପର୍ସ ଖୋଲାଖୋଲି ଉଲ୍ଳଂଘନ କରିଛି। ଏହାକୁ ୫୭,୬୫୮ ବର୍ଗଫୁଟ ଜମିରେ ନିର୍ମାଣ କାମ କରିବାକୁ ପରିବେଶ ମଞ୍ଜୁରି ମିଳିଥିଲା। କିନ୍ତୁ ଏହା ଏକ ଲକ୍ଷ ବର୍ଗଫୁଟରୁ ଅଧିକ ଜମିରେ ନିର୍ମାଣ କାମ କରିଛି। କଂପାନିକୁ ୧୨ଟି କୋଠା ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା କିନ୍ତୁ ଏହା ୧୮ଟି କୋଠା ନିର୍ମାଣ କରିଛି। ୫୫୨ଟି ଫ୍ଲାଟ୍‌ ବଦଳରେ ୮୦୭ଟି ଫ୍ଲାଟ୍‌ ନିର୍ମାଣ କରିଛି। ଏହା ବାଦ ଆଉ ଦୁଇଟି କୋଠାରେ ୪୫୪ଟି ଫ୍ଲାଟ୍‌ ନିର୍ମାଣ କରିବାକୁ ଏହି ସଂସ୍ଥା ଯୋଜନା ମଧ୍ୟ ରଖିଛି। କଂପାନିର ଏଭଳି ମନମୁଖି କାର୍ଯ୍ୟକୁ କୋର୍ଟ ସହଜରେ ଗ୍ରହଣ କରିପାରିନାହିଁ। ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ ପକ୍ଷରୁ କଂପାନି ବିରୋଧରେ ଯେଉଁ ରାୟ ପ୍ରଦାନ କରାଯାଇଥିବା ସୁପ୍ରିମକୋର୍ଟ ତାହାକୁ ଅପରିବର୍ତ୍ତିତ ରଖିଛନ୍ତି। କଂପାନି ଯେଉଁ ସବୁ ପ୍ରକଳ୍ପର ଫ୍ଲାଟ୍‌ଗୁଡ଼ିକରେ ଲୋକମାନେ ବସବାସ କରୁଛନ୍ତି ତାହାକୁ ନଭାଙ୍ଗିବାକୁ କୋର୍ଟ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ, ଯେଉଁ ସବୁ ଫ୍ଲାଟ୍‌ ଲୋକମାନଙ୍କୁ ହସ୍ତାନ୍ତର ହୋଇଛି ସେଗୁଡ଼ିକରେ ମଧ୍ୟବିତ୍ତ ପରିବାରର ଲୋକମାନେ ରହୁଛନ୍ତି। କୋଠା ନଷ୍ଟ କରିବା ନିର୍ଦେଶ ଦେଲେ ସେମାନେ ବିପୁଳ ପରିମାଣର ଆର୍ଥିକ କ୍ଷତି ସହିବେ। ତେଣୁ ଏହି ସବୁ କୋଠାକୁ ଆଇନ ଅନୁଯାୟୀ ବୈଧ ଘୋଷଣା କରିବା ବ୍ୟତୀତ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର