କାର୍‌ ବିକ୍ରି ମନ୍ଥର, ରୋଜଗାର ହରାଉଛନ୍ତି କର୍ମଚାରୀ

ଚେନ୍ନାଇ/ମୁମ୍ବା: ଦେଶରେ ଅଟୋମାବାଇଲ ଶିଳ୍ପ କଠିନ ସମୟ ଦେଇ ଗତି କରୁଛି। କାର୍ ବିକ୍ରିରେ ମନ୍ଥରତା ପରିଲକ୍ଷିତ ହୋଇଛି। ଗତବର୍ଷର ଏପ୍ରିଲ ଜୁନ୍ ତୁଳନାରେ ଚଳିତବର୍ଷର ଏପ୍ରିଲ ଜୁନ ଅବଧିରେ ଦେଶରେ ପାସେଞ୍ଜର କାର ବିକ୍ରି ୪୦ ପ୍ରତିଶତ ହ୍ରାସ ଘଟିଛି। ଏଥିଯୋଗୁ ବଡ଼ ବଡ଼ ସହରରେ ଡିଲରସିପ୍ ଗୁଡ଼ିକ ବନ୍ଦ ହେବାରେ ଲାଗିଛି। ସୋରୁମ୍ ବନ୍ଦ ହେବା କାରଣରୁ ପ୍ରାୟ ୨୫ ହଜାର ଲୋକ ସେମାନଙ୍କ ରୋଜଗାର ହରାଇଛନ୍ତି ବୋଲି କୁହାଯାଉଛି। ଗାଡ଼ି ବିକ୍ରେତା ସଂଘ ଫେଡେରେ‌ସନ୍ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏସନ୍ (ଏଫଏଡିଏ)ର ତଥ୍ୟ ଅନୁଯାୟୀ, ଗତ ଦେଢ଼ ବର୍ଷ ମଧ୍ୟରେ ଦେଶରେ ୨୭୧ଟି ସୋରୁମ୍ ବନ୍ଦ ହୋଇଛି। ଏଥିରେ ୨୪୫ଟି ପାସେଞ୍ଜର ଯାନ ସୋରୁମ୍ ରହିଛି। ମୁମ୍ବାଇରେ ୩୪ଟି ସୋରୁମ୍ ବନ୍ଦ ହୋଇଥିବା ବେଳେ ନୂଆଦିଲ୍ଲୀରେ ୨୭ଟି, ପୁଣେରେ ୨୪ଟି ଏବଂ ଚେନ୍ନାଇରେ ୧୫ଟି ସୋରୁମ୍ ବନ୍ଦ ହୋଇଛି।

ଦେଶରେ ‌ଅଟୋମୋବାଇଲ କ୍ଷେତ୍ରରେ ଦେଖାଦେଇଥିବା ଏହି ମନ୍ଥରତା ପାଇଁ ଏକାଧିକ କାରଣ ଦାୟୀ ବୋଲି ଡିଲର ଏବଂ ଅଟୋ ଫାଇନାନ୍ସ ଯୋଗାଉଥିବା କମ୍ପାନିର ଅଧିକାରୀମାନେ ମତ ଦେଇଛନ୍ତି। ତେବେ ପ୍ରମୁଖ କାରଣ ଗୁଡ଼ିକ ମଧ୍ୟରେ ବ୍ୟାଙ୍କ ଗୁଡ଼ିକ ଋଣ ଦେବାରେ ସତର୍କତା ଅବଲମ୍ବନ କରୁଛନ୍ତି, ନଗଦ ସମସ୍ୟା ଅନ୍ୟତମ ବୋଲି କୁହାଯାଇଛି। ତେବେ କାର୍ କମ୍ପାନିଗୁଡ଼ିକର ଅଧିକାରୀମାନେ ଏଫଏଡିଏର ବନ୍ଦ ତଥ୍ୟ ସହ ସହମତି ପ୍ରକାଶ କରିପାରି ନାହାନ୍ତି। କମ୍ପାନି ଅଧିକାରୀଙ୍କ କହିବାନୁଯାୟୀ, ଯେଉଁ ସହରରେ ଗୋଟିଏ ସ୍ଥାନରେ ସୋରୁମ୍ ବନ୍ଦ ହୋଇଛି ତାହା ସ୍ଥାନରେ ଅନ୍ୟତ୍ର ସୋରୁମ୍ ଖୋଲାଯାଇଛି। ତେବେ ବନ୍ଦ ହୋଇଥିବା ସୋରୁମ୍ ଗୁଡ଼ିକ ମଧ୍ୟରୁ କେତେକ ଚ୍ୟାନେଲ ପାର୍ଟନରମାନଙ୍କ ଆର୍ଥିକ ସମସ୍ୟା ଯୋଗୁ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି।

ଜୁନ୍‌ରେ ଉତ୍ପାଦନ କମାଇଲା ମାରୁତି
ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ କାର ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ କ୍ରମାଗତଭାବେ ପଞ୍ଚମ ମାସ ପାଇଁ ଜୁନ୍‌ରେ ଏହାର ଉତ୍ପାଦନ ହ୍ରାସ କରିଛି। କମ୍ପାନି ପକ୍ଷରୁ ଦାଖଲ କରାଯାଇଥିବା ରେଗୁଲେଟୋରି ଫାଇଲିଂରୁ ଏହି ସୂଚନା ମିଳିଛି। ଗତବର୍ଷ ଜୁନ୍ ତୁଳନାରେ ଚଳିତବର୍ଷ ଜୁନ୍‌ରେ କମ୍ପାନି ମୋଟ ଯାନ ଉତ୍ପାଦନ ୧୫.୬ ପ୍ରତିଶତ ହ୍ରାସ କରିଛି। ଫଳରେ ୨୦୧୯ ଜୁନରେ କମ୍ପାନିର ଯାନ ଉତ୍ପାଦନ ସଂଖ୍ୟା ୧,୧୧,୯୧୭ ୟୁନିଟକୁ କମିଯାଇଛି। ଗତବର୍ଷ ଜୁନରେ କମ୍ପାନିର ଯାନ ଉତ୍ପାଦନ ସଂଖ୍ୟା ୧,୩୨,୬୧୬ ୟୁନିଟ ରହିଥିଲା। ଜୁନରେ କମ୍ପାନିର ପାସେଞ୍ଜର ଯାନ ବିକ୍ରି ୧୬.୩୪ ପ୍ରତିଶତ ହ୍ରାସ ଘଟି ୧,୦୯,୬୪୧ ୟୁନିଟରେ ରହିଛି। ଅଲ୍ଟୋ ସମେତ ମିନି ସେଗମେଣ୍ଟରେ କମ୍ପାନିର ଉତ୍ପାଦନ ୪୮.୨ ପ୍ରତିଶତ ହ୍ରାସ ଘଟି ୧୫,୦୮୭ ୟୁନିଟରେ ରହିଛି। ସେହିଭଳି ୱାଗନଆର, ସ୍ବିଫ୍ଟ ଏବଂ ଡିଜାୟାର ଭଳି କମ୍ପାକ୍ଟ ସେଗମେଣ୍ଟ କାର ଉତ୍ପାଦନ ୧.୪୬ ପ୍ରତିଶତ ହ୍ରାସ ଘଟି ୬୬,୪୩୬ ୟୁନିଟରେ ରହିଛି। ଗତ ଏପ୍ରିଲରେ କମ୍ପାନିର ଗାଡ଼ି ଉତ୍ପାଦନ ପ୍ରାୟ ୧୦ ପ୍ରତିଶତ ଏବଂ ମେ’ରେ ୧୮ ପ୍ରତିଶତ ଅଧିକ ହ୍ରାସ ଘଟିଥିଲା। ସେହିଭଳି ଫେବ୍ରୁଆରିରେ ୮ ପ୍ରତିଶତ ଏବଂ ମାର୍ଚ୍ଚରେ ୨୦.୯ ପ୍ରତିଶତ ଉତ୍ପାଦନ କମ୍ପାନି କମ୍ କରିଥିଲା।
ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ମେ ମାସରେ ଦେଶରେ ମୋଟ ପାସେଞ୍ଜର ଯାନ ବିକ୍ରି ୨୧.୯୧ ପ୍ରତିଶତ ହ୍ରାସ ଘଟିଥିଲା। ଗତ ୨୦୦୧ ସେପ୍ଟେମର ପରଠାରୁ ଅର୍ଥାତ୍ ଗତ ୧୮ ବର୍ଷ ମଧ୍ୟରେ ଏହା ଥିଲା ସବୁଠୁ ଖରାପ ପ୍ରଦର୍ଶନ। ଗତବର୍ଷ ଅକ୍ଟୋବର ମାସକୁ ଛାଡ଼ିଦେଲେ ଗତ ୧୧ ମାସ ମଧ୍ୟରୁ ୧୦ ମାସରେ ପାସେଞ୍ଜର ଯାନ ବିକ୍ରି ଖରାପ ରହିଛି। ଅକ୍ଟୋବରରେ ପାସେଞ୍ଜର କାର ବିକ୍ରି ୧.୫୫ ପ୍ରତିଶତ ବୃଦ୍ଧି ଘଟିଥିଲା।

ସମ୍ବନ୍ଧିତ ଖବର