ଚନ୍ଦା ନିଜ ପଦବିର ଅପବ୍ୟବହାର କରିଥିଲେ: ସିବିଆଇ

ନୂଆଦିଲ୍ଲୀ: ୨୦୦୯ ଜୁନ୍‌ରୁ ୨୦୧୧ ଅକ୍ଟୋବର ମଧ୍ୟରେ ଚନ୍ଦା କୋଚ୍ଚରଙ୍କ ନେତୃତ୍ବାଧୀନ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓକନ୍ ଗ୍ରୁପ୍‌କୁ ଛଅଟି ଋଣ ଆବଣ୍ଟନ କରାଯାଇଥିଲା। ସେଥି ମଧ୍ୟରୁ ୩୦୦ କୋଟି ଟଙ୍କାର ଏକ ଋଣ ଭିଡିଓକନ୍‌ ଗ୍ରୁପ୍‌ର ଏକ କଂପାନି ‘ଭିଡିଓକନ୍ ଇଣ୍ଟରନ୍ୟାସନାଲ୍ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌ (ଭିଆଇଇଏଲ୍‌)କୁ ମଞ୍ଜୁର କରିବା ବେଳେ କୋଚ୍ଚରଙ୍କୁ ସଙ୍ଗେସଙ୍ଗେ ଲାଞ୍ଚ ଅର୍ଥ ମିଳିଯାଇଥିଲା ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ବ୍ୟାଙ୍କର ଏମ୍‌ଡି ଓ ସିଇଓ ଭାବେ କାର୍ଯ୍ୟଭାର ଗ୍ରହଣ କରିବା‌ର ଛଅ ମାସ ପରେ ଏହି ଋଣ ମଞ୍ଜୁର ହୋଇଥିଲା। ସେହି ସମୟରେ ଋଣ ମଞ୍ଜୁର କରିଥିବା କମିଟିର ଏକ ସଦସ୍ୟା ଥିଲେ ଚନ୍ଦା ଏବଂ ନିଜ ବ୍ୟାଙ୍କକୁ ଠକିବାକୁ ସେ ଷଡ଼ଯନ୍ତ୍ର କରିଥିଲେ। ଏହି ଋଣ ମଞ୍ଜୁର କରିବା ବେଳେ ଚନ୍ଦା ନିଜ ପଦବିର ଅପବ୍ୟବହାର କରିଥିଲେ ବୋଲି ସିବିଆଇ ଏହାର ତଦନ୍ତରୁ ଜାଣିବାକୁ ପାଇଛି। ଏହି ଋଣ ମଞ୍ଜୁର ହେବାର ଗୋଟିଏ ଦିନ ପରେ ଭିଡିଓକନ୍‌ର ମୁଖ୍ୟ ବେଣୁଗୋପାଳ ଧୁତ୍‌ ୬୪ କୋଟି ଟଙ୍କା ଚନ୍ଦାଙ୍କ ସ୍ବାମୀ ସ୍ଥାପନ କରିଥିବା କଂପାନି ନ୍ୟୁପାୱାର ରିନୁଏବଲ୍‌କୁ ପ୍ରଦାନ କରିଥିଲେ। ସେହି ଅର୍ଥ ପାଇବା ପରେ ନ୍ୟୁପାୱାର ରିନୁଏବଲସ୍‌ ଏହାର ପ୍ରଥମ ପାୱାର ପ୍ଲାଣ୍ଟ ଅଧିଗ୍ରହଣ କରିବାରେ ସଫଳ ହୋଇଥିଲା। ଏହି ଋଣ ମଞ୍ଜୁର କରି ଚନ୍ଦା ଅଯାଚିତ ଲାଭ ପାଇଛନ୍ତି। ସିବିଆଇ ପକ୍ଷରୁ କୁହାଯାଇଛି ଯେ, ୨୦୦୮ ଡିସେମ୍ବର ୨୪ ତାରିଖରେ ଚନ୍ଦାଙ୍କ ପତି ଦୀପକ କୋଚ୍ଚର, ଭିଡିଓକନ୍‌ର ମୁଖ୍ୟ ବେଣୁଗୋପାଳ ଧୁତ୍‌ ଏବଂ ସୌରଭ ଧୁତ୍‌ଙ୍କୁ ନିର୍ଦେଶକ ହୋଇ ନ୍ୟୁପାୱାର ରିନୁଏବଲ୍‌ସ୍‌କୁ ସ୍ଥାପନ କରିଥିଲେ। ୨୦୦୯ ଜାନୁଆରି ୧୫ରେ ଧୁତ୍‌ ଦ୍ବୟ କଂପାନିରୁ ଇସ୍ତଫା ଦେଇଥିଲେ। କିନ୍ତୁ ଏହା ପୂର୍ବରୁ କଂପାନିର ୧୯,୯୭,୫୦୦ ୱାରେଣ୍ଟ୍‌କୁ ଦୀପକଙ୍କ ନାମରେ କରିଦେଇଥିଲେ। ନ୍ୟୁପାୱାର ନିରୁଏବଲସ୍‌କୁ ନିୟନ୍ତ୍ରଣ କରୁଥିବା କଂପାନି ସୁପ୍ରିମ ଏନର୍ଜି ପ୍ରାଇଭେଟ୍ ଲିମିଟେଡ୍ ସହ ମଧ୍ୟ ଧୁତ୍‌ଙ୍କ ସମ୍ପର୍କ ଥିଲା। ଯେଉଁଦିନ ନ୍ୟୁପାୱାର ରିନୁଏବଲସ୍‌ରୁ ଧୁତ୍‌ ଦ୍ବୟ ଇସ୍ତଫା ଦେଇଥିଲେ ସେହି ଦିନ ସୁପ୍ରିମ ଏନର୍ଜି କୋଚ୍ଚର୍‌ଙ୍କ କଂପାନି ହୋଇଥିଲା। ଆଇସିଆଇସିଆଇ ବ୍ୟାଙ୍କ ୩୦୦ କୋଟି ଟଙ୍କାର ଋଣ ଆବଣ୍ଟନ କରିବାର ୮ ମାସ ପୂର୍ବରୁ ଏହି ଦୁଇ କଂପାନିର ମାଲିକାନାରେ ଅଦଳବଦଳ ହୋଇଥିଲା। ଏଥିରୁ ଏହା ଜଣାପଡ଼ୁଛି ଯେ ଧୁତ୍‌ ସବୁ କିଛି ଆଗରୁ ଜାଣିଥିଲେ। ଏହି ମାମଲାର ଯାଞ୍ଚ କରିବା ବେଳେ ସିବିଆଇ ପକ୍ଷରୁ ଚନ୍ଦା କୋଚ୍ଚରଙ୍କ ଦିର ରାଜୀବ କୋଚ୍ଚର, ସ୍ବାମୀ ଦୀପକ କୋଚ୍ଚର, ଭିଡିଓକନ୍‌, ନ୍ୟୁପାୱାର ରିନୁଏବଲସ୍‌ ଏବଂ ଆଇସିଆଇସିଆଇ ବ୍ୟାଙ୍କର କର୍ମଚାରୀମାନଙ୍କୁ ପଚରାଉଚୁରା କରାଯାଇଥିଲା।

ସମ୍ବନ୍ଧିତ ଖବର