କେନ୍ଦ୍ର କ୍ୟାବିନେଟ୍‌ ନିଷ୍ପତ୍ତି

ଗ୍ରାମୀଣ ମହିଳାଙ୍କ ପାଇଁ ନୂଆ ସ୍କିମ୍‌ ‘ମହିଳା ଶକ୍ତି କେନ୍ଦ୍ର’

ନୂଆଦିଲ୍ଲୀ: ଗୋଷ୍ଠୀ ଅଂଶଗ୍ରହଣ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ନୂଆ ସ୍କିମ୍‌ ‘ମହିଳା ଶକ୍ତି କେନ୍ଦ୍ର’ ପ୍ରଚଳନ କରାଯିବ। ଏହି ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ମଞ୍ଜୁରି ପ୍ରଦାନ କରିଛି। ଏହି ସ୍କିମ୍‌ ଜରିଆରେ ଗ୍ରାମୀଣ ମହିଳାଙ୍କ ପାଇଁ ଏଭଳି ପରିସ୍ଥିତି ଏବଂ ପରିବେଶ ସୃଷ୍ଟି କରାଯିବ ଯେଉଁଠାରେ ସେମାନେ ଗୋଷ୍ଠୀ ଅଂଶଗ୍ରହଣ ଜରିଆରେ ନିଜର ଦକ୍ଷତାର ସଦୁପଯୋଗ କରିପାରିବେ। ମହିଳା ଶକ୍ତି କେନ୍ଦ୍ର କେନ୍ଦ୍ର, ରାଜ୍ୟ ଏବଂ ବିଭିନ୍ନ ସ୍ତରରେ କାମ କରିବ।

ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀଙ୍କ ଦରମା ସଂଶୋଧନ ବୁଝାମଣା ମଞ୍ଜୁର

ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀଙ୍କ ବେତନ ନୀତି ସଂକ୍ରାନ୍ତ ଅଷ୍ଟମ ପର୍ଯ୍ୟାୟ ବୁଝାମଣାକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। କଂପାନିଗୁଡ଼ିକର ପରିଚାଳନା ମଣ୍ଡଳୀ କର୍ମଚାରୀମାନଙ୍କ ବେତନ ସଂଶୋଧନ ନେଇ ସ୍ୱାଧୀନ ଭାବେ ଆଲୋଚନା କରିପାରିବେ। ବେତନ ସଂଶୋଧନ ପାଇଁ କଂପାନିଗୁଡ଼ିକୁ ସରକାର କୌଣସି ସହାୟତା ଦେବେ ନାହିଁ। କଂପାନିଗୁଡ଼ିକ ନିଜସ୍ୱ ଉତ୍ସରୁ ସଂଶୋଧିତ ଦରମା ବୋଝ ବହନ କରିବେ। ପୁନରୁଦ୍ଧାର ହେବାକୁ ଥିବା ଉଦ୍ୟୋଗ କର୍ମଚାରୀଙ୍କ ବେତନ ସଂଶୋଧନ ସରକାରଙ୍କ ଅନୁମୋଦିତ ଯୋଜନା ଅନୁସାରେ ସମ୍ପାଦିତ ହେବ।

ବ୍ୟାଙ୍କରପ୍‌ସି କୋଡ୍‌ରେ ହେବ ସଂଶୋଧନ

ନୂଆଦିଲ୍ଲୀ: ଅଧ୍ୟଶଦେଶ ଜରିଆରେ ଇନ୍‌ସଲ୍‌ଭେନ୍‌ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ରେ ସଂଶୋଧନ କରିବା ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। ତେବେ କେଉଁ କେଉଁ ବିଷୟରେ ସଂଶୋଧନ ହେବ ସେ ବିଷୟରେ ଜେଟ୍‌ଲି କିଛି କହିନାହାନ୍ତି। ଗତବର୍ଷ ଡିସେମ୍ବରରୁ ବ୍ୟାଙ୍କରପ୍‌ସି କୋଡ୍‌ ଲାଗୁ ହୋଇଛି। କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏହାକୁ ଲାଗୁ କରାଯାଇଛି। ବର୍ତ୍ତମାନର ବ୍ୟାଙ୍କରପ୍‌ସି କୋଡ୍‌ରେ ସଂଶୋଧନ ପାଇଁ ସରକାର ଏକ ୧୪ ଜଣିଆ କମିଟି ଗଠନ କରିଛନ୍ତି।

 

ସମ୍ବନ୍ଧିତ ଖବର