କୁନ୍ଦୁଲି ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା : ସବୁ ରିପୋର୍ଟ ନେଗେଟିଭ୍‌

କଟକ : ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷାର ସବୁ ରିପୋର୍ଟ ନେଗେଟିଭ୍‌ ବାହାରିଛି। ଆଜି ତାଙ୍କର ରକ୍ତ, ଝାଡା, ଇଇସି, ଇସିଜି, ସିଟି ସ୍କାନ୍‌ ଇତ୍ୟାଦି ପରୀକ୍ଷା ରିପୋର୍ଟ ଆସିଥିଲାବେଳେ ସବୁକିଛି ନେଗେଟିଭ୍‌ ରହିଛି। ରକ୍ତ କିମ୍ବା ଝାଡାରେ ଆଇରନ୍‌ ଅଂଶ ମିଳିନଥିଲା ବୋଲି ସୂଚନା ଦିଆଯାଇଛି। ଗତକାଲି ଏଣ୍ଡୋସ୍କୋପି ହୋଇଥିଲାବେଳେ ସେଥିରେ ମଧ୍ୟ ରକ୍ତ ବାହାରିବାର କୌଣସି ସଙ୍କେତ ମିଳି ନଥିଲା। ତେଣୁ ପୀଡ଼ିତା ଜଣକ ସଂପୂର୍ଣ୍ଣ ସୁସ୍ଥ ବୋଲି କୁହାଯାଉଛି। ଆସନ୍ତାକାଲି ଡାକ୍ତରୀ ଟିମ୍‌ର ବୈଠକ ବସିବା ପରେ ଦିନେ ଦୁଇ ଦିନ ମଧ୍ୟରେ ପୀଡ଼ିତାଙ୍କୁ ଡିସ୍‌ଚାର୍ଜ କରିଦିଆଯାଇପାରେ ବୋଲି ଟିମ୍‌ର ଆବାହାକ ଡାକ୍ତର ଶ୍ରୀପ୍ରସାଦ ମହାନ୍ତି କହିଛନ୍ତି।

ସୂଚନା ଅନୁଯାୟୀ କୁନ୍ଦୁଲିରେ ଦୁଷ୍କର୍ମର ଶିକାର ହୋଇଥିବା ଏହି ନାବାଳିକା ଜଣକ ୪ଦିନ ତଳେ ରକ୍ତ ବାନ୍ତି କରିଥିବା ଅଭିଯୋଗ ହୋଇଥିଲା। ତେଣୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲାବେଳେ ସେଠାରେ ଉଚ୍ଚସ୍ତରର ପରୀକ୍ଷା କିମ୍ବା ଚିକିତ୍ସା ସୁବିଧା ନଥିଲା। ତେଣୁ ତାଙ୍କୁ ଏସ୍‌ସିବି ମେଡିକାଲ୍‌କୁ ଅଣାଯାଇଥିଲା। ଏଠାରେ ମେଡିସିନ୍‌ ବିଭାଗ ମୁଖ୍ୟଙ୍କ ନେତୃତ୍ୱରେ ୧୧ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା। ବର୍ତ୍ତମାନ ସବୁ ରିପୋର୍ଟ ନେଗେଟିଭ୍‌ ବାହାରିଥିବାରୁ ଖୁବ୍‌ଶୀଘ୍ର ତାଙ୍କୁ ଡିସ୍‌ଚାର୍ଜ କରାଯିବା ନେଇ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର