ବଜାରରେ ମାନ୍ଦାବସ୍ଥା ପରେ ମଧ୍ୟ ଓଡ଼ିଶା ବଜାରରେ କାରବାର ବଢାଇବ ସେଞ୍ଚୁରି ମାଟ୍ରେସେସ୍‌ର

ଭୁବନେଶ୍ବର: ବାତ୍ୟା ଫନି ପରେ ବଜାରରେ ଯଦିଓ ମାନ୍ଦାବସ୍ଥା ଦେଖାଦେଇଛି, ତଥାପି ଓଡ଼ିଶା ବଜାର ଉପରେ ସେଞ୍ଚୁରି ମାଟ୍ରେସେସ୍‌ ଭରସା ରହିଛି। ଏହି ବଜାର କଂପାନିର ବ୍ୟବସାୟ ଅଭିବୃଦ୍ଧିରେ ବିଶେ‌ଷ ସହାୟକ ହେବ ବୋଲି ସେଞ୍ଚୁରି ଫାଇବର ପ୍ଲେଟସ୍‌ ପ୍ରାଇଭେଟ୍ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଉତ୍ତମ ମାଲାନି କହିଛନ୍ତି। ସେ କହିଲେ, ଓଡ଼ିଶାରେ ପ୍ରତି ୯ ଘର ମଧ୍ୟରୁ ଗୋଟିଏ ଘରେ କଂପାନି ତିଆରି ମାଟ୍ରେସେସ୍‌ ରହିଛି। ତେଣୁ ଏଠାରେ ଆମ ପାଇଁ କାରବାର ବଢ଼ାଇବାର ବିପୁଳ ସୁଯୋଗ ରହିଛି। ରାଜ୍ୟରେ ବର୍ଷକୁ ୧୧-୧୨ ଲକ୍ଷ ପାଖାପାଖି ମାଟ୍ରେସେସ୍ ବିକ୍ରି ହେଉଥିବା ବେଳେ ଏହି ବଜାରର ୨୨-୨୩% ଅଂଶ ସେଞ୍ଚୁରି ମାଟ୍ରେସେସ୍ କବ୍‌ଜାରେ ରହିଛି। ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମାଟ୍ରେସେସ୍‌ ବିକ୍ରି ହେଉଥିବା ଓଡ଼ିଶା ବଜାରରେ ୨୦୧୮-୧୯ରେ ସେଞ୍ଚୁରି ମାଟ୍ରେସେସ୍ ୨୫ କୋଟି ଟଙ୍କାର କାରବାର କରିଛି ବୋଲି ସେ କହିଛନ୍ତି। ଏହି ଅବସରରେ ସେ କହିଲେ, ମାଟ୍ରେସେସ୍ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ‌ଫୋମ୍ ଉତ୍ପାଦନ କରିବା ଲାଗି ଆମର ସହଯୋଗୀ ସଂସ୍ଥା ଶ୍ରୀ ମାଲାନି ଫୋମସ୍‌ ଖୋର୍ଦ୍ଧାର ଜୟ ମଙ୍ଗଳ ଠାରେ ୫୫ କୋଟି ଟଙ୍କା ବିନିଯୋଗରେ ଏକ ନୂଆ କାରଖାନା ସ୍ଥାପନ କରିବ। ଏଥିପାଇଁ ୨୦ ଏକର ଜମି ଅଧିଗ୍ରହଣ ହୋଇସାରିଥିବା ବେଳେ ବିଭିନ୍ନ ମଞ୍ଜୁରି ହାସଲ କରିବା ପ୍ରକ୍ରିୟା ଜାରି ରହିଛି। ଏହି କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୮୦୦୦ ଟନ୍ ହେବ। ଏହି ନୂତନ କାରଖାନାକୁ ଆସନ୍ତା ୧୫ ମାସ ଭିତରେ ଆମେ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖିଛି। ସେଞ୍ଚୁରି ମାଟ୍ରେସେସ୍‌ର ଏକ କାରଖାନା ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ରହିଛି ଯାହାର ଉତ୍ପାଦନ କ୍ଷମତା ହେଉଛି ବାର୍ଷିକ ୧.୫ ଲକ୍ଷ ୟୁନିଟ୍।

ସମ୍ବନ୍ଧିତ ଖବର