କୋଇଲା ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସିଆଇଆଇର ଚିଠି

ଭୁବନେଶ୍ବର: ରାଜ୍ୟରେ ଦେଖାଦେଇଥିବା କୋଇଲା ସମସ୍ୟାର ସମାଧାନ କରିବା ଲାଗି ଅଗ୍ରଣୀ ଶିଳ୍ପ ସଂଘ ସିଆଇଆଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛି। ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ମନିଷ ଖରବନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ଯେ ରାଜ୍ୟର ପ୍ରମୁଖ ଶିଳ୍ପ ସଂଘ ଯଥା ୟୁସିସିଆଇ, ଏମ୍ଏସ୍‌ଏମ୍ଇ ଓ ଓସ୍‌ମି ପକ୍ଷରୁ ଏହି ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ସମସ୍ୟାର ସମାଧାନ କରିବା ଲାଗି ସିଆଇଆଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି। କ୍ୟାପ୍‌ଟିଭ୍ ପାୱାର ପ୍ଲାଣ୍ଟ୍‌ଗୁଡ଼ିକରେ କୋଇଲା ସଙ୍କଟ ରାଜ୍ୟରେ ଥିବା ଶିଳ୍ପସଂସ୍ଥାଗୁଡ଼ିକ ପ୍ରତି ବଡ଼ ବିପଦ ସୃଷ୍ଟି କରିଛି ଯାହା ଲକ୍ଷାଧିକ ନିଯୁକ୍ତି ପ୍ରତି ମଧ୍ୟ ବିପଦ ବୋଲି ଶ୍ରୀ ଖରବନ୍ଦା ଜଣାଇଛନ୍ତି।

୨୦୨୧ ଅଗଷ୍ଟ ପରଠାରୁ ସିପିପିଗୁଡ଼ିକ ସେମାନଙ୍କ ଆବଶ୍ୟକତ‌ାର ମାତ୍ର ୪୦-୫୦% କୋଇଲା ପାଉଛନ୍ତି। ଫଳରେ ୧୫୦୦ରୁ ଅଧିକ ରେକ୍‌ର ଅଭାବ ସୃଷ୍ଟି ହୋଇଛି। ସିପିପିମାନଙ୍କ ଲାଗି ଉଦ୍ଦିଷ୍ଟ ଥିବା ରେକ୍ ଅନ୍ୟତ୍ର ପଠାଇ ଦିଆଯାଉଛି। କଞ୍ଚାମାଲ ଅଭାବ ଯୋଗୁଁ ସିପିପିଗୁଡ଼ିକ ଉତ୍ପାଦନ କ୍ଷମତା ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି। ମହାନଦୀ କୋଲ୍‌ଫିଲ୍ଡସ୍ ଲିମିଟେଡ୍ ବର୍ଷକୁ ଯେଉଁ ୧୫୦ ନିୟୁତ ଟନ୍ ପାଖାପାଖି କୋଇଲା ଉତ୍ପାଦନ କରୁଛି ତାହାର ୬୫% ରାଜ୍ୟ ବାହାରକୁ ପଠାଇ ଦେଉଛି। ମାତ୍ର ୩୫% କୋଇଲା ରାଜ୍ୟ ଭିତରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ ଦିଆଯାଉଛି। କିନ୍ତୁ ସ୍ଥାନୀୟ ଆବଶ୍ୟକତା ୫୫% ରହିଛି। ରାଜ୍ୟରେ ଥିବା ଶିଳ୍ପ ସଂସ୍ଥା ଓ ସେଥିରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବିକାକୁ ନଜରରେ ରଖି ତୁରନ୍ତ ଏହି ସଙ୍କଟର ସମାଧାନ କରିବାକୁ ଶ୍ରୀ ଖରବନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର