ଶକ୍ତିକାନ୍ତଙ୍କ ସତର୍କବାଣୀ: ଫୁଲଠୁ ବି କ୍ରିପ୍ଟୋ ମୂଲ୍ୟହୀନ, ତରବରିଆ ଭାବେ ଆସିବନି ଡିଜିଟାଲ୍ ମୁଦ୍ରା

କ୍ରମାଗତ ୧୦ମ ଥର ଲାଗି ରେପୋ ହାର ସ୍ଥିର

ମୁମ୍ବାଇ: ଘରୋଇ କ୍ରିପ୍ଟୋକରେନ୍ସିଗୁଡ଼ିକ ସ୍ଥୂଳ ଅର୍ଥନୀତି ଏବଂ ଦେଶର ଆର୍ଥିକ ସ୍ଥିରତା ପ୍ରତି ବିପଦ। ନିବେଶକମାନଙ୍କୁ ଏ ନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସଚେତନ କରାଇ ଦେଇଛନ୍ତି। ଏପରିକି ଟ୍ୟୁଲିପ୍ ଫୁଲ ମୂଲ୍ୟ ସହ ମଧ୍ୟ ଏହା ତୁଳନୀୟ ନୁହେଁ। ତେବେ ସ୍ଥୂଳ ଅର୍ଥନୀତି ଏବଂ ଆର୍ଥିକ ସ୍ଥିରତା ପ୍ରତି ଏହା ବିପଦ ସୃଷ୍ଟି କରିବ। ଆର୍ଥିକ ସ୍ଥିରତାକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କର ଦକ୍ଷତାକୁ ମଧ୍ୟ ଏହା କମ୍ କରିଦେବ। ତେଣୁ ନିବେଶକମାନଙ୍କୁ ସତର୍କ କରାଇବା ତାଙ୍କର ଦାୟିତ୍ବ। ନିବେଶକମାନେ ସେମାନଙ୍କ ନିଜ ରିସ୍କରେ ନିବେଶ କରୁଛନ୍ତି ବୋଲି ମନେ ରଖିବା ଆବଶ୍ୟକ। କ୍ରିପ୍ଟୋକରେନ୍ସିର ମୂଲ୍ୟ ସଂପର୍କରେ ସୂଚନା ଦେବାକୁ ଯାଇ ସେ ଐତିହାସିକ ପ୍ରସଙ୍ଗର ଅବତାରଣା କରିଛନ୍ତି। ସପ୍ତଦଶ ଶତାବ୍ଦୀର ‘ଟ୍ୟୁଲିପ ମାନିଆ’ ବା ଟ୍ୟୁଲିପ୍‌ ଫୁଲ ପାଇଁ ଉନ୍ମାଦ ସହିତ ସେ ଏହାକୁ ତୁଳନା କରିଛନ୍ତି। ଟ୍ୟୁଲିପର ଅନ୍ତର୍ନିହିତ ମୂଲ୍ୟ ନୁହେଁ ବରଂ ନେଦରଲ୍ୟାଣ୍ଡର ନିବେଶକମାନେ ଏହି ଫୁଲରେ ନିବେଶ କରି ଅତ୍ୟଧିକ ଲାଭ କରିବାକୁ ଉଦ୍ୟମ କରିବାରୁ ଏହାର ମୂଲ୍ୟ ମାତ୍ରାଧିକ ବୃଦ୍ଧି ଘଟିଥିଲା। ଏପରିକି ଗୋଟିଏ ଫୁଲର ଦାମ ଜଣେ କୁଶଳୀ ବ୍ୟକ୍ତିର ବାର୍ଷିକ ଆୟ ଏବଂ ଘରଠାରୁ ଅଧିକ ହୋଇଯାଇଥିଲା। ତେଣୁ କ୍ରିପ୍ଟୋକରେନ୍ସିର କୌଣସି ଗୁରୁତ୍ବ ନାହିଁ, ଏପରିକି ଟ୍ୟୁଲିପ୍‌ର ମୂଲ୍ୟ ମଧ୍ୟ ଏଥିରେ ନାହିଁ। କ୍ରିପ୍ଟୋକରେନ୍ସି କିଣିବା ପାଇଁ ଅତ୍ୟଧିକ ଉତ୍ସାହ ଦେଖାଦେଇଛି। ଏଥିଯୋଗୁ ଏହାର ମୂଲ୍ୟରେ ଯଥେଷ୍ଟ ବୃଦ୍ଧି ଘଟିଛି ବୋଲି ଶକ୍ତିକାନ୍ତ ସୂଚେଇ ଦେଇଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ କରେନ୍ସି (ସିବିଡିସି) ଆଣିବା ପାଇଁ ରିଜର୍ଭ ବ୍ୟାଙ୍କ ତରବର ହେବନାହିଁ। ଉକ୍ତ ମୁଦ୍ରା ଆଣିବା ପାଇଁ ଅନେକ ପ୍ରଯୁକ୍ତି ସଂପର୍କରେ ରିଜର୍ଭ ବ୍ୟାଙ୍କ ଅନୁଧ୍ୟାନ କରୁଛି। ଏଥିସହିତ ଏହାକୁ ଯେଭଳି କେହି ନକଲ କରିପାରିବ ନାହିଁ ଏବଂ ସାଇବର ଆକ୍ରମଣ ହୋଇପାରିବ ନାହିଁ ସେଥିପାଇଁ ଉତ୍ତମ ସୁରକ୍ଷା ବ୍ୟବସ୍ଥା କରାଯିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ମୁଦ୍ରା ନୀତି ଘୋଷଣା ସମୟରେ ଏହା କହିଛନ୍ତି। ଏଥିସହିତ କେବେ ସୁଦ୍ଧା ଆସିବ ସେ ନେଇ କୌଣସି ସମୟସୀମା ଦେବାକୁ ମନା କରିଦେଇଛନ୍ତି।

ସିବିଡିସି ସଂପର୍କରେ ଆମେ କୌଣସି ସମୟସୀମା ଦେଇପାରିବୁ ନାହିଁ। କିନ୍ତୁ ଯାହା କିଛି କରାଯାଉଛି ତାହା ଅତି ଯତ୍ନ ଏବଂ ସତର୍କତାର ସହ କରାଯାଉଛି। ସାଇବର ସୁରକ୍ଷା ଏବଂ ନକଲ ନହେବା ଆଦି ଅନେକ ପ୍ରସଙ୍ଗକୁ ଆମକୁ ଦେଖିବାକୁ ହେଉଛି। ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଟି ରବି ଶଙ୍କରଙ୍କ କହିବାନୁଯାୟୀ, ରିଜର୍ଭ ବ୍ୟାଙ୍କ ଗତ ଦେଢ଼ବର୍ଷରୁ ଦୁଇବର୍ଷ ହେଲା ଡିଜିଟାଲ କରେନ୍ସି ଆଣିବା ଉପରେ କାର୍ଯ୍ୟ ଚଳାଇଛି। ତେବେ କି ପ୍ରକାର ପଦ୍ଧତିରେ ଡିଜିଟାଲ ମୁଦ୍ରା ପ୍ରଚଳନ ହେବ ସେ ସଂପର୍କରେ ପରେ ନିଷ୍ପତ୍ତି ନିଆଯିବ ବୋଲି ଶଙ୍କର କହିଛନ୍ତି।

ଆଜି ଚଳିତ ଆର୍ଥିକ ବର୍ଷର ଶେଷ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ଆଜି ଶେଷ ହୋଇଛି। ମୁଦ୍ରା ନୀତି ବୈଠକରେ ରେପୋ ହାର (ରିଜର୍ଭ ବ୍ୟାଙ୍କ ଯେଉଁ ହାରରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଋଣ ଦେଇଥାଏ)କୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। କ୍ରମାଗତ ୧୦ମ ଥର ପାଇଁ ରେପୋ ହାରକୁ ପରିବର୍ତ୍ତନ କରାଯାଇନାହିଁ। ସେହିଭଳି ପଶ୍ଚାଦଗାମୀ ରେପୋ ହାର ମଧ୍ୟ ୩.୩୫ ପ୍ରତିଶତରେ ସ୍ଥିର ରଖାଯାଇଛି। ପଶ୍ଚାଦଗାମୀ ରେପୋ ହାରରେ ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଠାରୁ ଋଣ ଆଣିଥାଏ। ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ନେବାପାଇଁ ରିଜର୍ଭ ବ୍ୟାଙ୍କ ଏଭଳି ନୀତି ଗ୍ରହଣ କରିଛି ବୋଲି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଦେଶର ଜିଡିପି ବା ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧି ହାର ୯.୨ ପ୍ରତିଶତରେ ରହିବ। ଏହାଦ୍ବାରା କରୋନା ପୂର୍ବବର୍ତ୍ତୀ ସ୍ଥରକୁ ଅଭିବୃଦ୍ଧି ଫେରିବ। ଏଥିସହିତ ୨୦୨୨-୨୩ ଆର୍ଥିକ ବର୍ଷର ଜିଡିପି ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। ଦେଶର ଖୁଚୁରା ମୁଦ୍ରାସ୍ଫୀତି ୨୦୨୧-୨୨ରେ ୫.୩ ପ୍ରତିଶତରେ ଏବଂ ୨୦୨୨-୨୩ରେ ୪.୫ ପ୍ରତିଶତରେ ରହିବ ବୋଲି ଆକଳନ କରାଯାଇଛି। ଏଥିସହିତ ଇ-ରୁପି ଡିଜିଟାଲ ଭାଉଚରର ସର୍ବୋଚ୍ଚ ସୀମା ୧୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ଶକ୍ତିକାନ୍ତଙ୍କ ମୁହଁରେ ଲତାଙ୍କ ଗୀତ, ଗାନ୍ଧୀ କଥା
ମୁଦ୍ରା ନୀତି ଘୋଷଣା ସମୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ଏକ ଚିରସବୁଜ ଗୀତ ‘ଆଜ୍‌ ଫିର୍‌ ଜିନେ କି ତମନ୍ନା ହୈ’କୁ ଉଦ୍ଧାର କରିଛନ୍ତି। ମୁଦ୍ରାନୀତି ସଂପର୍କରେ ଚୂଡ଼ାନ୍ତ ମନ୍ତବ୍ୟ ଦେବା ସମୟରେ ଶକ୍ତିକାନ୍ତ ଆଶାବାଦର ବାର୍ତ୍ତା ଦେବା ପାଇଁ ଏହି ଗୀତକୁ ଉଦ୍ଧାର କରିଛନ୍ତି। କରୋନା ଭୂତାଣୁ ସହିତ ବଞ୍ଚିବା ସଂପର୍କରେ ଗତ ଦୁଇବର୍ଷର ସମୟ ଆମକୁ ଯଦି କିଛି ଶିକ୍ଷା ଦେଇଥାଏ ତାହାହେ‌ଲା ବିନମ୍ରତାର ସହ ରହିବା ଏବଂ କେବେ ବି ବିଶ୍ବାସ ଓ ଆଶା ନହରାଇବା। ଚଳିତମାସ ୬ ତାରିଖରେ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ଏଥିସହିତ ଶକ୍ତିକାନ୍ତ କହିଛନ୍ତି, ଆହ୍ବାନ ଭିତରେ ନିରବଚ୍ଛିନ୍ନ ଉଦ୍ୟମ ‌ନେଇ ଗାନ୍ଧିଙ୍କର ଚିନ୍ତାଧାରାରେ ମଧ୍ୟ ଆମେ ଅନୁପ୍ରାଣୀତ। ଉଦ୍ୟମ ଭିତରେ ସନ୍ତୋଷ ରହିଥାଏ। ପୂରା ଉଦ୍ୟମ ହେଉଛି ପୂରା ବିଜୟ ବୋଲି ଶକ୍ତିକାନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର