ସମବାୟ ବ୍ୟାଙ୍କ ପ୍ରସଙ୍ଗ: ରିଜର୍ଭ ବ୍ୟାଙ୍କ-ରାଜ୍ୟ ସନ୍ତୁଳନ ବିଗିଡ଼ିବ, ଆପତ୍ତି ଉଠାଇଲା ମହାରାଷ୍ଟ୍ର

କ୍ଷମତା ଛାଡ଼ିବାକୁ ରାଜ୍ୟଗୁଡ଼ିକ ରାଜି ହେବେନି

ନୂଆଦିଲ୍ଲୀ: ଦେଶର ୧୫୦୦ରୁ ଅଧିକ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ଓ ମଲ୍‌ଟି-ଷ୍ଟେଟ୍‌ କୋଅପରେଟିଭ୍ ବ୍ୟାଙ୍କକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧୀନକୁ ଆଣିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବ୍ୟାଙ୍କଗୁଡ଼ିକର ସଠିକ୍ ପରିଚାଳନା ଲାଗି ଅଧ୍ୟାଦେଶ ଆଣି ରିଜର୍ଭ ବ୍ୟାଙ୍କକୁ ସରକାର ଅଧିକ କ୍ଷମତା ଦେଇଛନ୍ତି। ଏହି ଅଧ୍ୟାଦେଶରେ ରାଷ୍ଟ୍ରପତି ମୋହର ମାରିଛନ୍ତି। ତେବେ ଏହି ପଦକ୍ଷେପ ରାଜ୍ୟଗୁଡ଼ିକର କ୍ଷମତାକୁ ସଙ୍କୁଚିତ କରିବ ବୋଲି ଆଲୋଚନା ହେଉଛି। ରିଜର୍ଭ ବ୍ୟାଙ୍କକୁ ଅଧିକ କ୍ଷମତା ଦେବା ବିଷୟକୁ ମହାରାଷ୍ଟ୍ର ସରକାର ସହଜରେ ଗ୍ରହଣ କରିପାରିନାହିଁ। ଏହି ପରିବର୍ତ୍ତନକୁ ନେଇ ମହାରାଷ୍ଟ୍ର ଆପତ୍ତି ଉଠାଇଛି। ଏମିତିରେ ରିଜର୍ଭ ବ୍ୟାଙ୍କ ଓ ରାଜ୍ୟ ସରକାରଗୁଡ଼ିକ ମଧ୍ୟରେ ଅନେକ ସମୟରେ ମତଭେଦ ଦେଖାଦେଇଥାଏ। ଛୋଟ ବଡ଼ ପ୍ରସଙ୍ଗରେ କୋର୍ଟରେ ମାମଲାର ଫଇସଲା ହୋଇଥାଏ। ସରକାର ଯେଉଁ ଅଧ୍ୟାଦେଶ ଆଣିଛନ୍ତି। ତାହା ରାଜ୍ୟ ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ରହିଥିବା ସନ୍ତୁଳନକୁ ଆହୁରି ବିଗାଡ଼ି ଦେଇପାରେ ବୋଲି ବିଶେଷଜ୍ଞମାନେ ମତ ରଖିିଛନ୍ତି। ସମବାୟ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଅଧୀନକୁ ନେବା ଲାଗି ସରକାର ଯେଉଁ ଘୋଷଣା କରିଛନ୍ତି ତାହା ରାଜ୍ୟଗୁଡ଼ିକର କ୍ଷମତାରେ କେନ୍ଦ୍ରର ହସ୍ତକ୍ଷେପ ବୋଲି ମହାରାଷ୍ଟ୍ର ସରକାର ଭାବୁଛନ୍ତି। ମହାରାଷ୍ଟ୍ରର ସମବାୟ ମନ୍ତ୍ରୀ ବାଲାସାହେବ ପାଟିଲ୍ ଇଂରାଜି ସମ୍ବାଦପତ୍ର ଇକୋନମିକ୍ ଟାଇମସ୍‌କୁ କହିଛନ୍ତି, କିଛି ନିର୍ଦିଷ୍ଟ ମାମଲା ଆଧାରରେ ନିୟାମକ ବ୍ୟବସ୍ଥାରେ ପରିବର୍ତ୍ତନ କରିବା ଠିକ୍ ନୁ‌ହେଁ। କିଛି ହାତଗଣତି ସମବାୟ ବ୍ୟାଙ୍କକୁ ବାଦ ଦେଲେ ଅନ୍ୟ ସବୁ ସମବାୟ ବ୍ୟାଙ୍କ ଭଲ କାରବାର କରୁଛନ୍ତି। ଏବେ ସେମାନେ (କେନ୍ଦ୍ର ଉଦ୍ଦେଶ୍ୟରେ) ଦାବି କରୁଛନ୍ତି ଯେ ଯଦି କିଛି ଜାଲିଆତି ଦେଖାଦେବ ତେବେ ସେମାନେ ବ୍ୟାଙ୍କର ପରିଚାଳନା ନିଜ ହାତକୁ ନେଇଯିବେ। କିନ୍ତୁ ରାଜନୈତିକ ସ୍ବାର୍ଥ ଲାଗି ଆଗାମୀ ଦିନରେ ଏହି କ୍ଷମତାର ଅପବ୍ୟବହାର ହେବ। ଏହା ସମବାୟ ଆନ୍ଦୋଳନକୁ ପ୍ରଭାବିତ କରିବ। ଏହି ନିଷ୍ପତ୍ତି ଆମ ପାଇଁ ଠିକ୍ ନୁହେଁ ବୋଲି ଆମେ ସ୍ପଷ୍ଟ କରିଦେଇଛୁ ବୋଲି ସେ କହିଛନ୍ତି।

ପୂର୍ବରୁ ସମବାୟ ବ୍ୟାଙ୍କ ଦୁଇ ପ୍ରକାର ବ୍ୟବସ୍ଥା ଦ୍ବାରା ପରିଚାଳିତ ହେଉଥିଲା। ଉଭୟ ରିଜର୍ଭ ବ୍ୟାଙ୍କ ଓ ରାଜ୍ୟ ସରକାରଙ୍କ ଦ୍ବାରା ସମବାୟ ବ୍ୟାଙ୍କ ପରିଚାଳିତ ହେଉଥିଲା। ସେଥିପାଇଁ ରିଜର୍ଭ ବ୍ୟାଙ୍କ କେବେବି ଏହାର ଅନୁଧ୍ୟାନ ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିନଥିଲା। ମାତ୍ର ପଞ୍ଜାବ ଆଣ୍ଡ୍ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କ (ପିଏମ୍‌ସି ବ୍ୟାଙ୍କ) ବିଫଳ ହେବା ପରେ ସମବାୟ ବ୍ୟାଙ୍କଗୁଡ଼ିକର ପରିଚାଳନା ଲାଗି ରିଜର୍ଭ ବ୍ୟାଙ୍କକୁ ଅଧିକ କ୍ଷମତା ଦେବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏହି ପ୍ରସଙ୍ଗରେ ମତ ରଖି କେୟାର ରେଟିଙ୍ଗସ୍‌ର ବରିଷ୍ଠ ନିର୍ଦେଶକ ସଞ୍ଜୟ ଅଗ୍ରୱାଲ୍ କହିଛନ୍ତି, ରିଜର୍ଭ ବ୍ୟାଙ୍କକୁ ଅଧିକ କ୍ଷମତା ଦେବା ଏକ ସଠିକ୍ ପଦକ୍ଷେପ। ଏହା ଦ୍ବାରା ସମବାୟ ବ୍ୟାଙ୍କଗୁଡ଼ିକର ପରିଚାଳନାରେ ଉନ୍ନତି ଆସିବ। ମାତ୍ର ଏଠାରେ ରାଜ୍ୟ ସରକାର ପରୀକ୍ଷାର ସମ୍ମୁଖୀନ ହେବେ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସହ ଯୋଗାଯୋଗ କରାଯିବ। ରାଜ୍ୟ ସହ ଆଲୋଚନା କରି ଯାହା କିଛି ନିଷ୍ପତ୍ତି ନେବାକୁ ହେବ। ଏହି ସମୟରେ ରାଜ୍ୟ ନିଜର କ୍ଷମତାକୁ କେତେ ଛାଡ଼ିବାକୁ ପ୍ରସ୍ତୁତ ହେ‌େବ ତାହା ଉପରେ ସବୁ କିଛି ପଦକ୍ଷେପର ସଫଳତା ନିର୍ଭର କରିବ।

ସମ୍ବନ୍ଧିତ ଖବର