୨୧ ଦିନରେ ଡିଜେଲ୍‌ ୧୧ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ: ଦୀର୍ଘ ୨୧ ଦିନ ପରେ ପେଟ୍ରୋଲ୍ ଓ ଡିଜେଲ୍ ଦରବୃଦ୍ଧି ଧାରାରେ ‌ବ୍ରେକ୍ ଲାଗିଛି। ଚଳିତ ମାସ ୭ରୁ ଏହି ଦରବୃଦ୍ଧି ଆରମ୍ଭ ହୋଇଥିଲା। ବିଗତ ତିନି ସପ୍ତାହ ଭିତରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୯ ଟଙ୍କା ୧୨ ପଇସା ଓ ଡିଜେଲ୍ ଦାମ୍ ୧୧ ଟଙ୍କା ଏକ ପଇସା ବଢ଼ିଥିଲା। ଗତକାଲି ପେଟ୍ରୋଲ୍‌ ଦର ୨୧ ପଇସା ଓ ଡିଜେଲ୍‌ ୨୫ ପଇସା ବଢ଼ିଥିଲା। ଗତ ୨୧ ଦିନ ମଧ୍ୟରେ ପ୍ରତିଦିନ ଡିଜେଲ୍ ଦାମ୍ ବଢ଼ିଥିଲା। କିନ୍ତୁ ପେଟ୍ରୋଲ୍ ଦାମ୍ ୨୦ ଦିନ ବଢ଼ିଛି। ମଝିରେ ଗୋଟିଏ ଦିନ ପେଟ୍ରୋଲ୍ ଦର ଅପରିବର୍ତିତ ରହିଥିଲା। ଗତ ମାର୍ଚ୍ଚ ୨୫ରୁ ଦେଶ ଲକ୍‌ଡାଉନ୍ ହେବା ପରେ ଦୀର୍ଘ ୮୨ ଦିନ ପର୍ଯ୍ୟନ୍ତ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ ଅପରିବର୍ତି ରହିଥିଲା। ସେହି ସମୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦାମ୍ ୨୦ ଡଲାର ଭଳି ନିମ୍ନ ସ୍ତରକୁ ଖସିଆସିଥିଲା। ଅଶୋଧିତ ତେଲକୁ ବିଶୋଧନ କରି ସେଥିରୁ ପେଟ୍ରୋଲ୍, ଡିଜେଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ଉତ୍ପାଦନ କରାଯାଉଛି। ‌ଏହି ତେଲର ଦାମ୍ ହ୍ରାସ ପାଇଥିବା ବେଳେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ ଯେଉଁ ହାରରେ କମିବା କଥା କମିନଥିଲା। ଓଲଟା ଶସ୍ତା ଅଶୋଧିତ ତେଲ ଯୋଗୁଁ ଯେଉଁ ସ୍ଥିତି ସୃଷ୍ଟି ହୋଇଥିଲା ତାହାର ଲାଭ ନେବା ଲାଗି କେନ୍ଦ୍ର ସରକାର ଦୁଇ ଥରରେ ପେଟ୍ରୋଲ୍ ଉପରେ ୧୩ ଟଙ୍କା ଓ ଡିଜେଲ୍‌ରେ ୧୬ ଟଙ୍କାର ଟିକସ ବଢ଼ାଇ ଦେଇଥିଲେ। ଫଳରେ ତେଲର ଖୁଚୁରା ଦାମ୍‌ରେ ଟିକସର ଭାଗ ଦୁଇ ତୃତୀୟାଂଶ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର