କରୋନା ସଙ୍କଟ ମୁକାବିଲା, ବାଟ ଦେଖାଇଲେ ରାଜନ

ରିଜର୍ଭ ବ୍ୟାଙ୍କ ଜରିଆରେ ପାଣ୍ଠି ଅଭାବ ଦୂର କରିବାକୁ ପରାମର୍ଶ

ନୂଆଦିଲ୍ଲୀ: କରୋନା ସଙ୍କଟର ମୁକାବିଲା କିଭଳି କରାଯାଇପାରିବ ସେନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରଘୁରାମ ରାଜନ ସରକାରଙ୍କୁ ବାଟ ଦେଖାଇଛନ୍ତି। ସେ ଦୁଇଟି ବିକଳ୍ପ ବିଷୟରେ ଆଲୋଚନା କରିଛନ୍ତି। ପ୍ରଥମଟି ହେଉଛି ରିଜର୍ଭ ବ୍ୟାଙ୍କ ଜରିଆରେ ପାଣ୍ଠିର ଯେଉଁ ଅଭାବ ରହିଛି ତାହାକୁ ପୂରଣ କରିବା। ଦ୍ବିତୀୟ ବିକଳ୍ପଟି ହେଉଛି ଋଣ ଜରିଆରେ ପାଣ୍ଠି ଯୋଗାଡ଼ କରିବା। ଏହି ଦୁଇଟି ବିକଳ୍ପ ସ୍ବତନ୍ତ୍ର ପରିସ୍ଥିତିରେ କିଭଳି କାର୍ଯ୍ୟ କରେ ତାହାକୁ ସେ ବିସ୍ତୃତ ଭାବେ ମଧ୍ୟ ବୁଝାଇଛନ୍ତି। ରିଜର୍ଭ ବ୍ୟାଙ୍କ ଜରିଆରେ ପାଣ୍ଠି ଯୋଗାଡ଼ କରିବା ସବୁଠୁ ଭଲ ‌ବିକଳ୍ପ ବୋଲି ସେ ଜଣାଇଛନ୍ତି।

ସାଧାରଣ ଦିନଗୁଡ଼ିକରେ ପାଣ୍ଠି ଯୋଗାଡ଼ କରିବା ଲାଗି ସରକାର ୬% ସୁଧ ହାରରେ ବଣ୍ଡ୍‌ ଜାରି କରନ୍ତି ଯାହାକୁ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ କିଣିଥାନ୍ତି। ଯଦି ସରକାର ଏକ ଲକ୍ଷ କୋଟି ଟଙ୍କା ଯୋଗାଡ଼ କରିବାକୁ ବାହାରିବେ ତେବେ ସରକାରଙ୍କୁ ସେହି ପରିମାଣର ବଣ୍ଡ୍‌ ଜାରି କରିବାକୁ ହେବ ଯାହାକୁ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ କିଣିବେ। ରିଜର୍ଭ ବ୍ୟାଙ୍କ ପାଖରେ ଉଭୟ ସରକାର ଏବଂ ବ୍ୟାଙ୍କଗୁଡ଼ିକର ଜମାରାଶି ରହିଛି। ଯଦି ବ୍ୟାଙ୍କଗୁଡ଼ିକ ସରକାରଙ୍କୁ ଏକ ଲକ୍ଷ ଟଙ୍କା ଦେବେ ତେବେ ରିଜର୍ଭ ବ୍ୟାଙ୍କର ହିସାବ ଖାତାରେ ବ୍ୟାଙ୍କ ପାଇଁ ତାହା ଏକ ଲକ୍ଷ ଟଙ୍କା (-)ବିଯୁକ୍ତ ହେବ ଏବଂ ସରକାରଙ୍କ ପାଇଁ ଏକ ଲକ୍ଷ ଟଙ୍କା ଯୋଡ଼ିହେବ(+)। ରିଜର୍ଭ ବ୍ୟାଙ୍କର ହିସାବ ଖାତା ପୂର୍ବଭଳି ଅପରିବର୍ତିତ ରହିବ। ସରକାର ଯେଉଁ ପାଣ୍ଠି ହାସଲ କରିବେ ତାହାକୁ କିଭଳି ବ୍ୟୟ କରିବେ? ସରକାର ତାହାକୁ ପ୍ରକଳ୍ପରେ ବିନିଯୋଗ କରିବେ କିମ୍ବା ଆୟ ସହାୟତା ରାଶି ଭାବେ ଲୋକମାନଙ୍କୁ ଦେବେ। ଲୋକଙ୍କ ପାଖରେ ଟଙ୍କା ପହଞ୍ଚିଲେ ସେମାନେ ବିଭିନ୍ନ ସାମଗ୍ରୀ କିଣିବା ଏବଂ ସେବା ବ୍ୟବହାର କରିବାରେ ତାହାକୁ ଖର୍ଚ୍ଚ କରିବେ ଯଦ୍ବାରା ଦେଶରେ ଉଭୟ ସାମଗ୍ରୀ ଓ ସେବାର ଚାହିଦା ବଢ଼ିବ। ଲୋକମାନେ ଖର୍ଚ୍ଚ କଲେ ସେହି ଟଙ୍କା ବ୍ୟବସାୟୀଙ୍କ ପାଖକୁ ଯିବ। ବ୍ୟବସାୟୀମାନେ ସେହି ଟଙ୍କାକୁ ନେଇ ବ୍ୟାଙ୍କରେ ଜମା କରିବେ। ବ୍ୟାଙ୍କ ଏହାର ଟଙ୍କା ରିଜର୍ଭ ବ୍ୟାଙ୍କ ପାଖରେ ଜମା ରଖିବ। ଏହିଭଳି ଭାବେ ଏକ ସମ୍ପୂର୍ଣ୍ଣ ଚକ୍ର ପୂର୍ଣ୍ଣ ହୋଇପାରିବ ବୋଲି ରାଜନ କହିଛନ୍ତି। ଏହା ପ୍ରକ୍ରିୟା କେବଳ ସ୍ବାଭାବିକ ଦିନଗୁଡ଼ିକରେ ସମ୍ଭବ ହୋଇଥାଏ।

ସଙ୍କଟ ସମୟରେ କାହିଁକି ଏହା ଭଲ ତାହା ବୁଝାଇଲେ

କିନ୍ତୁ, କରୋନା‌କୁ ନେଇ ସୃଷ୍ଟି ହୋଇଥିବା ସଙ୍କଟ ବେଳେ ଏହା କିଭଳି କାର୍ଯ୍ୟ କରିବ ତାହା ମଧ୍ୟ ରାଜନ ବୁଝାଇଛନ୍ତି। ସେ ଜଣାଇଛନ୍ତି ଯେ, ଯଦି ବର୍ତ୍ତମାନ ପରିସ୍ଥିତିରେ ସରକାର ଏକ ଲକ୍ଷ କୋଟି ଟଙ୍କା ଯୋଗାଡ଼ କରିବାକୁ ବାହାରିବେ ତେବେ ବଣ୍ଡ୍‌ ଜାରି କରିବେ। କିନ୍ତୁ, ବ୍ୟାଙ୍କଗୁଡ଼ିକ ତାହାକୁ କିଣିବା ଲାଗି ଆଗ୍ରହ ଦେଖାଇବେ ନାହିଁ। ଏଭଳି ସମସ୍ୟା ଦେଖାଦେଲେ ବଣ୍ଡ୍‌ଗୁଡ଼ିକୁ କିଣିବା ଲାଗି ରିଜର୍ଭ ବ୍ୟାଙ୍କକୁ ସରକାର ନିର୍ଦେଶ ଦେବେ। ସ୍ବାଭାବିକ ଦିନଗୁଡ଼ିକରେ ଏଭଳି କାରବାର ଉପରେ କଟକଣା ରହିଛି। ମନେକର ରିଜର୍ଭ ବ୍ୟାଙ୍କ ସେହି ଏକ ଲକ୍ଷ ଟଙ୍କାର ବଣ୍ଡ୍‌ କିଣି ସରକାରଙ୍କ ଖାତାରେ ଟଙ୍କା ଜମା କରିବ ତେବେ ତାହାକୁ ଅର୍ଥନୀତି ଭାଷାରେ କୁହାଯିବ ‘ମନେଟାଇଜେସନ’ ବା ‘ରିଭର୍ସ କ୍ରିଏସନ’। ବର୍ତ୍ତମାନ ପରିସ୍ଥିତିରେ ଏହା ସବୁଠୁ ଭଲ ବିକଳ୍ପ ବୋଲି ରାଜନ କହିଛନ୍ତି। ସରକାରଙ୍କ ହାତରେ ଏକ ଲକ୍ଷ କୋଟି ଟଙ୍କା ପହଞ୍ଚିଲେ ଯାହାକୁ ବେତନ ପ୍ରଦାନ ଏବଂ ପ୍ରକଳ୍ପ ଆଦି ପାଇଁ ଖର୍ଚ୍ଚ କରାଯିବ। ଏହା ହେଲେ ଦେଶରେ ଚାହିଦା ବଢ଼ିବ। ପରିଶେଷରେ ସେହି ସବୁ ଟଙ୍କା ବାଣିଜ୍ୟିକ ବ୍ୟାଙ୍କ ଖାତାକୁ ଯିବ। ସ୍ବାଭାବିକ ଦିନଗୁଡ଼ିକରେ ବ୍ୟାଙ୍କ ନିଜ ପାଖରେ ଥିବା ପାଣ୍ଠିକୁ ଋଣ ଦେବାରେ ବ୍ୟବହାର କରିଥାଏ ଅନ୍ୟଥା ଅନ୍ୟ ଯେକୌଣସି ବ୍ୟାଙ୍କକୁ ଋଣ ଆକାରରେ ଦେଇଥାଏ। ବର୍ତ୍ତମାନ ପରିସ୍ଥିତିରେ ଏହି ଉଭୟ କାର୍ଯ୍ୟ ହେବାର କମ୍ ସମ୍ଭାବନା ରହିଛି। ଋଣ ରାଶି ବୁଡ଼ିଯିବାର ଆଶଙ୍କା ଥିବାରୁ ବ୍ୟାଙ୍କଗୁଡ଼ିକ ବ୍ୟବସାୟୀଙ୍କୁ ଋଣ ଦେବେ ନାହିଁ। ଅନ୍ୟ ବ୍ୟାଙ୍କ ମଧ୍ୟ କୌଣସି ବ୍ୟାଙ୍କର ପାଣ୍ଠି ନେବାକୁ ଚାହିବେ ନାହିଁ। ଏଭଳି ପରିସ୍ଥିତିରେ ବାଧ୍ୟ ‌ହୋଇ ବ୍ୟାଙ୍କଗୁଡ଼ିକ ୩.୭୫ ପ୍ରତିଶତ ପଶ୍ଚାତଗାମୀ ରେପୋ ହାରରେ ଟଙ୍କାଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ପାଖରେ ଜମା କରିବାକୁ ହେବ। ଯଦି ରିଜର୍ଭ ବ୍ୟାଙ୍କ ଜରିଆରେ ସରକାର ନିଜର ପାଣ୍ଠି ଆବଶ୍ୟକତା ପୂରଣ କରିବେ ତେବେ ତାହା ୩.୭୫% ପଶ୍ଚାତଗାମୀ ରେପୋ ହାର ଅନୁସାରେ ସୁବିଧାରେ ହୋଇଯିବ। ସାଧାରଣତଃ ୬% ହାରରେ ଜାରି ହେଉଥିବା ବଣ୍ଡ୍‌ ତୁଳନାରେ ଏହା ନିଶ୍ଚିତ ରୂପେ କମ୍ ‌ବୋଲି ରାଜନ ଜଣାଇଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ‌ଯେତେଦିନ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକ ବ୍ୟବସାୟୀ ଓ ଗ୍ରାହକମାନଙ୍କୁ ଋର ବାଣ୍ଟିବା ଲାଗି କୁଣ୍ଠା ପ୍ରକାଶ କରୁଥିବେ ସେତେଦିନ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ଜରିଆରେ ସରକାର ପାଣ୍ଠି ଯୋଗାଡ଼ କଲେ ମୁଦ୍ରାସ୍ଫୀତି ଉପରେ ତାହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଏହା ସାମଗ୍ରୀ କିମ୍ବା ସେବା ଦରବୃଦ୍ଧିର କାରଣ ହେବନାହିଁ।

ସମ୍ବନ୍ଧିତ ଖବର