‘ମହାମାରୀ ପୂର୍ବରୁ ପ୍ରବାସୀ ରାଜ୍ୟକୁ ଫେରିବା ଭଲ’

ଭୁବନେଶ୍ବର : ଆସନ୍ତା ଜୁନ୍‌ ମାସରେ ଦେଶରେ କରୋନା ମହାସଂକ୍ରମଣର ରୂପ ନେବ ବୋଲି ଆଶଙ୍କା କରାଯାଉଛି। ଏଭଳି ପରିସ୍ଥିତିରେ ମହାସଂକ୍ରମଣ ପୂର୍ବରୁ ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରିଆସିବା ଭଲ। ଆଜିର ପରିସ୍ଥିତିରେ କିଛି ଶହ ସଂକ୍ରମିତ ବ୍ୟକ୍ତି ଓଡ଼ିଶା ଆସିପାରନ୍ତି। ମାତ୍ର ବୈଜ୍ଞାନିକ/ବାସ୍ତବତା ଦୃଷ୍ଟି କୋଣରେ ବିଚାର କଲେ ମହାସଂକ୍ରମଣ ସମୟରେ ହଜାର ହଜାର ବ୍ୟକ୍ତି ସଂକ୍ରମିତ ହୋଇ ରାଜ୍ୟକୁ ଫେରିଲେ ପରିସ୍ଥିତି କ’ଣ ହେବ ଅନୁମାନ କରିବା ମୁସ୍କିଲ ବୋଲି କହିଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ ଯେ ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶା ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ରାଜ୍ୟବାସୀଙ୍କ ମନରେ ଆଶଙ୍କା ଦେଖାଦେଇଛି। ତେବେ ନିଜ ଇଚ୍ଛାରେ ଘରକୁ ଫେରିବା ଜଣେ ବ୍ୟକ୍ତିର ସ୍ବାଧୀନତା। ଏହାକୁ ମନା କରାଯାଇ ପାରିବନାହିଁ। ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କୁ ମାନବିକତା/ନୈତିକତା ଦୃଷ୍ଟିରେ ଦେଖିବା ଲାଗି ନିଦେବନ କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ଘରକୁ ଫେରିବା ସେମାନଙ୍କର ଆଇନଗତ ଅଧିକାର। ୨୫ମାର୍ଚରେ ଦେଶବ୍ୟାପୀ ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ବାହାର ରାଜ୍ୟରେ ଫସି ରହିଥିବା ଲୋକଙ୍କ ଉପରେ କଟକଣା ଜାରି କରାଯାଇଥିଲା। ମାତ୍ର ନିକଟରେ କେନ୍ଦ୍ର ସରକାର ପ୍ରବାସୀ ଭାରତୀୟଙ୍କ ପାଇଁ ଶ୍ରମିକ ଏକ୍ସପ୍ରେସ୍‌ ଚଳାଇବା ଆରମ୍ଭ କରିଛନ୍ତି।

୨୦୧୧ ମସିହା ଜନଗଣନା ଅନୁସାରେ, ୧୪ରୁ ୨୦ କୋଟି ପ୍ରବାସୀ ଶ୍ରମିକ ରହିଛନ୍ତି। ତହିଁରୁ ୯୨ ପ୍ରତିଶତ ଲୋକ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରନ୍ତି। ଦେଶରେ ୧୦୦ ପରିବାରଙ୍କ ମଧ୍ୟରୁ ୧୬ ପରିବାର ବାହାରକୁ କାମ ପାଇଁ ଯାଇଥାନ୍ତି। ରାଜ୍ୟର ୧୨.୭ ଲକ୍ଷ ବାହାରକୁ ଯାଇଥିବା ବେଳେ ୮.୬ ଲକ୍ଷ ଅନ୍ୟ ରାଜ୍ୟର ଲୋକ ଓଡ଼ିଶା ଆସିଛନ୍ତି। ଭାରତ ଏକ ପ୍ରବାସୀଙ୍କ ଦେଶ କହିଲେ ଅତ୍ୟୁକ୍ତି ହେବନାହିଁ। ତେଣୁ ଓଡ଼ିଶା ଫେରିବାକୁ ଚାହୁଁଥିବା ଲୋକମାନଙ୍କୁ ସରକାର ମାନବିକତା/ନୈତିକତା, ଆଇନଗତ ଓ ବୈଜ୍ଞାନିକ/ବାସ୍ତବତା ଦୃଷ୍ଟିରେ ‌ଦେଖୁଛନ୍ତି। ଏହାକୁ ଏକ ସନ୍ତୁଳିତ ଆଭିମୁଖ୍ୟ ବୋଲି କୁହାଯାଉଛି। ତେବେ ଯେଉଁ ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରୁଛନ୍ତି ସେମାନେ ସଙ୍ଗରୋଧରେ ରହିବା ସମୟରେ ହିଁ ଚିହ୍ନଟ ହେଲେ ଭଲ ବୋଲି ଶ୍ରୀ ବାଗଚୀ କହିଛନ୍ତି।

ସମ୍ବନ୍ଧିତ ଖବର