‘ଜନସନ ଆଣ୍ଡ ଜନସନ’ କମ୍ପାନିକୁ ପାଉଡର ଉତ୍ପାଦନ ପାଇଁ ଅନୁମତି ଦେଲେ ଅଦାଲତ; କିନ୍ତୁ ବିକ୍ରି ପାଇଁ ନୁହଁ

ମୁମ୍ବାଇ: ବମ୍ବେ ହାଇକୋର୍ଟ ଆଜି (ବୁଧବାର) ‘ଜନସନ ଆଣ୍ଡ ଜନସନ’ କମ୍ପାନି ଦ୍ୱାରା ପ୍ରସ୍ତୁତ ବେବି ପାଉଡର ନମୁନାର ନୂତନ ପରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ବେବି ପାଉଡର ଉତ୍ପାଦନ କରିବାକୁ କୋର୍ଟ କମ୍ପାନିକୁ ଅନୁମତି ଦେଇଥିଲେ ମଧ୍ୟ ମହାରାଷ୍ଟ୍ର ସରକାରଙ୍କ ଆଦେଶ ଅନୁଯାୟୀ ଏହାକୁ ବିକ୍ରି ନକରିବାକୁ କମ୍ପାନିକୁ କହିଛନ୍ତି।

କମ୍ପାନି ରାଜ୍ୟ ସରକାରଙ୍କ ଦୁଇଟି ଆଦେଶକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲା। ପ୍ରଥମଟି ସେପ୍ଟେମ୍ବର ୧୫ ତାରିଖରେ କରାଯାଇଥିବା ଲାଇସେନ୍‌ସ ବାତିଲ ସଂପର୍କରେ ଥିବାବେଳେ ଦ୍ୱିତୀୟଟି ସେପ୍ଟେମ୍ବର ୨୦ ତାରିଖରେ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ପକ୍ଷରୁ କମ୍ପାନିର ବେବି ପାଉଡରର ଉତ୍ପାଦନ ଏବଂ ବିକ୍ରୟ ତୁରନ୍ତ ବନ୍ଦ କରିବାକୁ ଜାରି କରିଥିବା ନିର୍ଦ୍ଦେଶ ବିରୋଧରେ ଥିଲା।

 

ମହାରାଷ୍ଟ୍ର ରାଜ୍ୟ ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ)ର ଯୁଗ୍ମ କମିଶନର ଏବଂ ଲାଇସେନ୍‌ସ କର୍ତ୍ତୃପକ୍ଷ ଏହି ଆଦେଶନାମା ଜାରି କରିଥିଲେ। କୋଲକାତାର କେନ୍ଦ୍ରୀୟ ଔଷଧ ପରୀକ୍ଷାଗାରର ରିପୋର୍ଟ ଆଧାରରେ ସରକାର କମ୍ପାନି ବିରୋଧରେ ଏହି ଏହି ଆଦେଶନାମା ଜାରି କରିଥିଲେ। ଯେଉଁଥିରେ କମ୍ପାନି ନିର୍ଦ୍ଧାରିତ ମାତ୍ରା ଠାରୁ ଅଧିକ ପିଏଚ ସ୍ତର ଥିବା ପାଉଡର ଉତ୍ପାଦନ କରୁଥିବା ଜାଣିବାକୁ ମିଳିଥିଲା।

ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ ଭି ଗଙ୍ଗାପୁରୱାଲା ଏବଂ ଜଷ୍ଟିସ ଏସ ଜି ଡିଗେଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ବୁଧବାର ଦିନ ଏହି ମାମଲାର ଶୁଣାଣି କରି ଏଫଡିଏକୁ ତିନି ଦିନ ମଧ୍ୟରେ ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳରେ ଥିବା କମ୍ପାନିର କାରଖାନାରୁ ନୂତନ ନମୁନା ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସଂଗୃହୀତ ନମୁନାକୁ ପରୀକ୍ଷା ପାଇଁ ତିନିଟି ପରୀକ୍ଷାଗାରକୁ- ଦୁଇଟି ସରକାରୀ ଏବଂ ଗୋଟିଏ ଘରୋଇ ପରୀକ୍ଷାଗାର- ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ନମୁନାଗୁଡ଼ିକୁ ପରୀକ୍ଷା ପାଇଁ କେନ୍ଦ୍ରୀୟ ଔଷଧ ପରୀକ୍ଷଣ ପରୀକ୍ଷାଗାର, ପଶ୍ଚିମ ଜୋନ୍‌, ଏଫଡିଏ ଲ୍ୟାବ୍‌ ଏବଂ ଇଣ୍ଟରଟେକ୍‌ ଲାବୋରେଟୋରିକୁ ପଠାଯିବ। ଲ୍ୟାବ୍‌ଗୁଡ଼ିକ ଏକ ସପ୍ତାହ ମଧ୍ୟରେ ସେମାନଙ୍କ ପରୀକ୍ଷା ରିପୋର୍ଟ ଦାଖଲ କରିବେ।

ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ କମ୍ପାନି ଯଦି ପାଉଡର ଉତ୍ପାଦନ କରିବାକୁ ପସନ୍ଦ କରେ ତେବେ ଏହା କରିପାରିବ। କିନ୍ତୁ ପାଉଡରକୁ ଅଦାଲତ ଏବଂ ରାଜ୍ୟ ସରକାରଙ୍କ ଅନୁମତି ନମିଳିବା ପର୍ଯ୍ୟନ୍ତ ବଜାରରେ ବିକ୍ରୟ କରିପାରିବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୩୦କୁ ଧାର୍ଯ୍ୟ ହୋଇଛି।

ଆଜିର ଶୁଣାଣି କାଳରେ କମ୍ପାନି କୋର୍ଟଙ୍କୁ କହିଛି ଯେ ଲାଇସେନ୍‌ସ ପ୍ରତ୍ୟାହାର ହେତୁ ବିକ୍ରି ହେଉଥିବା ସାମଗ୍ରୀର ବଜାର ମୂଲ୍ୟ ଆଧାରରେ ଏହା ଦୈନିକ ୨.୫ କୋଟି ଟଙ୍କାର କ୍ଷତି ସହିଛି।

ସମ୍ବନ୍ଧିତ ଖବର