କରୋନା କଟକଣା ନମାନିଲେ ବିମାନରୁ ଓହ୍ଲାଇ ଦିଆଯିବ: ବିଜ୍ଞପ୍ତି ପ୍ରକାଶ କରି ସୂଚାଇ ଦେଲା ଡିଜିସିଏ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଶନିବାର କରୋନା କଟକଣାକୁ ନେଇ ଯାତ୍ରୀମାନଙ୍କ ସକାଶେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଯାତ୍ରୀମାନେ ବିମାନ ମଧ୍ୟରେ ଫେସ୍‌ମାସ୍କ ପିନ୍ଧିବା ସହ ସାମାଜିତ ଦୂରତ୍ବ ନ ରକ୍ଷା କଲେ ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ ବୋଲି ଡିଜିସିଏ ତା’ର ବିଜ୍ଞପ୍ତିରେ ପ୍ରକାଶ କରିଛି। କୋଭିଡ୍‌ ନିୟମ ପାଳନ ନକରୁଥିବା ଯାତ୍ରୀମାନଙ୍କ ପାଇଁ ଏପରି କଠୋର ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ।

ଯଦି କୌଣସି ଯାତ୍ରୀ ଏହି ନିୟମ ପ୍ରତି ବେଖାତିର ମନୋଭାବ ପ୍ରଦର୍ଶନ କରନ୍ତି କିମ୍ବା ଏହାକୁ ଅବମାନନା କରନ୍ତି ତେବେ ବିମାନା ଉଡ଼ାଣ ପୂର୍ବରୁ ସେମାନଙ୍କୁ ଓହ୍ଲାଇ ଦିଆଯିବ ବୋଲି ସୂଚନା ରହିଛି।

 

ଡିଜିସିଏ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଆହୁରି ବି କୁହାଯାଇଛି ଯେ ନାକ ତଳକୁ ମାସ୍କ ପିନ୍ଧିଥିବା ଯାତ୍ରୀମାନଙ୍କୁ ମଧ୍ୟ ବିମାନରେ ପ୍ରବେଶ ଅନୁମତି ମିଳିବ ନାହିଁ। ଯାତ୍ରୀମାନେ ନିୟମ ପାଳନ କରୁଛନ୍ତି କି ନାହିଁ ତାହାର ତଦାରଖ କରିବା ପାଇଁ ବିମାନ ବନ୍ଦରରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ।

ଡିଜିସିଏର ଏହି ବିଜ୍ଞପ୍ତିରେ ଯାତ୍ରୀମାନଙ୍କୁ ଯାତ୍ରା କାଳରେ ଫେସ୍‌ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି। ଆହୁରି ବି କୁହାଯାଇଛି ଯେ ଯଦି ସାମାନ୍ୟ ବି ଅସୁସ୍ଥତା ଅନୁଭବ କରୁଛନ୍ତି ତେବେ ଯାତ୍ରା କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର