ବିପଦରେ ମୁକ୍ତ, ଅବାଧ ଇଣ୍ଟରନେଟ୍: ପିଚ୍ଚାଇ

ନୂଆଦିଲ୍ଲୀ: ଗୁଗୁଲ୍‌ର ସିଇଓ ସୁନ୍ଦର ପିଚ୍ଚାଇ କହିଛନ୍ତି ଯେ ମୁକ୍ତ ଓ ଅବାଧ ଇଣ୍ଟରନେଟ୍ ପ୍ରତି ବିପଦ ସୃଷ୍ଟି ହୋଇଛି। ବିଶ୍ବର ବିଭିନ୍ନ ଦେଶରେ ଏହା ଉପରେ ଆକ୍ରମଣ ହେଉଛି। ବିବିସି ସହିତ ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି। ପିଚ୍ଚାଇ କହିଛନ୍ତି ଯେ ସୂଚନାର ପ୍ରବାହକୁ ରୋକିବା, ସୀମାବଦ୍ଧ କରିବା କିମ୍ବା କଟକଣା ଭିତରେ ରଖିବା ଲାଗି ଉଦ୍ୟମ କରାଯାଉଛି। ଇଣ୍ଟରନେଟ୍ ମୁକ୍ତ ଓ ଅବାଧ ବୋଲି ଯେଉଁ ଧାରଣା ଥିଲା ତାହା ବଦଳିବାରେ ଲାଗିଛି। ନିରବଚ୍ଛିନ୍ନ ଇଣ୍ଟରନେଟ୍ ଏକ ବହୁତ ବଡ଼ ଶକ୍ତି ଯାହା ଜରିଆରେ ଅନେକ ଭଲ କାମ ହୋଇପାରିବ। ମାତ୍ର ଅନ୍‌ଲାଇନ୍ ବିଷୟବସ୍ତୁକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି ବହୁ ଦେଶ ଆଇନ ଆଣତିବା ଉପରେ କାର୍ଯ୍ୟ କରୁଛନ୍ତି। ଯେଉଁ ମନ୍ତବ୍ୟ ଠିକ୍ ଓ କ’ଣ ଭୁଲ ତାହାକୁ ନେଇ ସବୁ ଦେଶରେ ବିତର୍କ ଚାଲିଛି। କେଉଁ ମନ୍ତବ୍ୟକୁ ଅନୁମତି ପ୍ରଦାନ କରାଯିବା ଉଚିତ ତାହାକୁ ନେଇ ଚର୍ଚ୍ଚା ହେଉଛି। ମୁକ୍ତ ଓ ଅବାଧ ଇଣ୍ଟରନେଟ୍‌ର ଯେଉଁ ବୃହତ୍ତର ଚିତ୍ର ରହିଥିଲା ତାହା ସଙ୍କୁଚିତ ହେବାରେ ଲାଗିଛି। ସାରା ଦୁନିଆରେ ଏବେ ସୂଚନାର ଅବାଧ ପ୍ରବାହ ଉପରେ ରୋକ ଲଗାଯାଉଛି। କଠିନ ପାଚେରି ତିଆରି କରାଯାଉଛି ବୋଲି ସେ କହିଛନ୍ତି।

ଗଣତାନ୍ତ୍ରିକ ପରମ୍ପରା ଓ ମୂଲ୍ୟବୋଧ ଉପରେ ବିଶ୍ବାସ କରୁଥିବା ଦେଶଗୁଡ଼ିକ ଇଣ୍ଟରନେଟ୍‌ ‌ଉପରେ ହେଉଥିବା ଆକ୍ରମଣ ବିରୋଧରେ ଏକଜୁଟ ହେବାର ଆବଶ୍ୟକତା ରହିଛି ବୋଲି ପିଚ୍ଚାଇ କହିଛନ୍ତି। ସେ ଏଭଳି ଏକ ସମୟରେ ମନ୍ତବ୍ୟ ଦେଇଛନ୍ତି ଯେତେବେଳେ ଫେସବୁକ୍, ଟ୍ବିଟର୍‌, ହ୍ବାଟସ୍‌ଆପ୍ ଭଳି ସୋସିଆଲ୍ ମିଡିଆ; ନେଟ୍‌ଫ୍ଲିକ୍ସ ଓ ଆମାଜନ୍ ପ୍ରାଇମ୍‌ ଭଳି ଓଟିଟି ପ୍ଲାଟଫର୍ମ ଓ ନିଉଜ୍ ପୋର୍ଟାଲ୍‌ଗୁଡ଼ିକ ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ଭାରତ ସରକାର ନୂଆ ସୂଚନା ପ୍ରଯୁକ୍ତି ନୀତି ୨୦୨୧ ପ୍ରଣୟନ କରିଛନ୍ତି। ଏ ସମ୍ପର୍କରେ ଦେଶର ନୂଆ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଏହି ନୀତି ବ୍ୟବହାରକାରୀମାନଙ୍କୁ ସଶକ୍ତ କରିବ ଏବଂ ସେମାନଙ୍କୁ ସୁରକ୍ଷା ଦେବ। କିନ୍ତୁ ବିଶେଷଜ୍ଞମାନେ ଏହି ନୂଆ ନିୟମକୁ ନେଇ ଭିନ୍ନ ମତ ଦେଇଛନ୍ତି।

ସେମାନେ କହିଛନ୍ତି ଯେ ନୂଆ ଆଇନରେ ଏଭଳି କିଛି ବ୍ୟବସ୍ଥା ରହିଛି ଯାହା ଲୋକମାନଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ଭାବ ପ୍ରକାଶ କରିବା ଲାଗି ରହିଥିବା ସ୍ବାଧୀନତା ଅଧିକାରର ଖୋଲାଖୋଲି ଉଲ୍ଲଂଘନ ସଦୃଶ। ପୋଷ୍ଟ୍‌ ବା ଚାଟ୍‌ର ଉତ୍ସ ଜଣାଇବା ଲାଗି ସରକାର ଏହି ଆଇନ ଜରିଆରେ କଂପାନିଗୁଡ଼ିକ ଉପରେ ଚାପ ସୃଷ୍ଟି କରିଛନ୍ତି। ହ୍ବାଟସ୍‌ଆପ୍ ତରଫରୁ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇଛି। ନୂଆ ଆଇଟି ନିୟମରେ ଥିବା ବ୍ୟବସ୍ଥାକୁ ପାଳନ ନକରି ବହୁ ଦିନ ପର୍ଯ୍ୟନ୍ତ ଟ୍ବିଟର୍‌ ଚର୍ଚ୍ଚାରେ ରହିବା ପରେ ଶେଷରେ ପଛଘୁଞ୍ଚା ଦେଇଛି। ଏହା ଚିଫ୍‌ ଗ୍ରିଭାନ୍ସ ଅଫିସର ନିଯୁକ୍ତ କରିବାକୁ ବାଧ୍ୟ ହୋଇଛି। ଏହା ସହିତ କଂପାନି ପ୍ରଥମ ନିୟମ ପାଳନ ରିପୋର୍ଟ ମଧ୍ୟ ଜାରି କରିଛି।

ସମ୍ବନ୍ଧିତ ଖବର