ଚୀନ୍‌ ସାମଗ୍ରୀ ବର୍ଜନ ଦାବି ତେଜିଲା, ୫୦୦ ସାମଗ୍ରୀର ତାଲିକା ଦେଲା ବ୍ୟବସାୟୀ ସଂଘ

ନୂଆଦିଲ୍ଲୀ: ସୀମାରେ ଭାରତ ଓ ଚୀନ୍‌ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦେଶ ଭିତରେ ଚୀନ୍‌ ସାମଗ୍ରୀଗୁଡ଼ିକର ବର୍ଜନ ଦାବି ଜୋର ଧରିଛି। ଚୀନ୍‌ ସାମଗ୍ରୀ ନକିଣିବା ଲାଗି କିଛିଦିନ ଧରି ଆହ୍ବାନ ଦେଉଥିବା ସର୍ବଭାରତୀୟ ବ୍ୟବସାୟୀ ସଂଘ (ସିଏଆଇଟି) ଏହାର ଦାବିକୁ ଜୋରଦାର କରିଛି। ଚୀନ୍‌ର କେଉଁ ସବୁ ସାମଗ୍ରୀ ବର୍ଜନ କରାଯିବା ଦରକାର ତାହାର ଏକ ତାଲିକା ସଂଘ ପକ୍ଷରୁ ଜାରି କରାଯାଇଛି। ସେହି ତାଲିକାରେ ଏଫ୍‌ଏମ୍‌ସିଜି ଠାରୁ ଆରମ୍ଭ କରି କଞ୍ଜ୍ୟୁମର ଡ୍ୟୁରେବଲ୍‌, ଖେଳନା, ଫର୍ଣ୍ଣିସିଂ ଫେବ୍ରିକ୍‌, ବସ୍ତ୍ର, ବିଲ୍‌ଡର୍‌ ହାର୍ଡଓୟାର, ଜୋତା, ପୋଷାକ, ରୋଷେଇ ଘର ସାମଗ୍ରୀ ପର୍ଯ୍ୟନ୍ତ ୫୦୦ରୁ ଅଧିକ ସାମଗ୍ରୀ ରହିଛି। ଚୀନ୍‌ ସାମଗ୍ରୀ ବର୍ଜନ କରି ଆମଦାନିରେ ହେଉଥିବା ବ୍ୟୟ ୧ ଲକ୍ଷ କୋଟି ଟଙ୍କା କମ୍ କରିବାକୁ ବ୍ୟବସାୟୀ ସଂଘ ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟକୁ ୨୦୨୧ ଡିସେମ୍ବର ସୁଦ୍ଧା ହାସଲ କରିବାକୁ ସଂଘ ଆହ୍ବାନ ଦେଇଛି। ଭାରତୀୟ ବ୍ୟାଙ୍କ ସଂଘ ଅଧୀନରେ ୭ କୋଟି ବେପାରି ଓ ୪୦,୦୦୦ରୁ ଅଧିକ ଆଞ୍ଚଳିକ ସଂଘ ରହିଛି। ସଂଘର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ସରକାରଙ୍କ ସହିତ ଆମେ କେତେକ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛୁ।

ଚୀନ୍‌ କଂପାନିକୁ ମିଳିଥିବା ଦିଲ୍ଲୀ-ମିରଟ୍‌ ଆର୍‌ଆର୍‌ଟିଏସ୍‌ର କାର୍ଯ୍ୟ ବରାଦ ରଦ୍ଦ କରିବାକୁ କହିଛୁ। ଚୀନ୍‌ କଂପାନି ଠାରୁ ଏହି ପ୍ରକଳ୍ପ ଛଡ଼ାଇ ଆଣି କୌଣସି ଭାରତୀୟ କଂପାନିକୁ ଦେବା ଲାଗି ଅନୁରୋଧ କରିଛୁ। ପେଟିଏମ୍ ଓ ବିଗ୍‌ ବାସ୍କେଟ୍ ଭଳି ବଡ଼ ବଡ଼ ଭାରତୀୟ ଷ୍ଟାର୍ଟଅପ୍‌ ସଂସ୍ଥାଗୁଡ଼ିକରେ ଚୀନ୍‌ କଂପାନିଗୁଡ଼ିକର ବିପୁଳ ପରିମାଣର ପୁଞ୍ଜିନିବେଶ ଉପରେ ନଜର ପକାଇବାକୁ ମଧ୍ୟ ସରକାରଙ୍କୁ ଅନୁରୋଧ କରିଛୁ। ନିକଟରେ ଦେଶର ସର୍ବବୃହତ ଅଣ ବ୍ୟାଙ୍କିଙ୍ଗ୍‌ ସଂସ୍ଥା ଏଚ୍‌ଡିଏଫ୍‌ସିରେ ପିପୁଲସ୍‌ ବ୍ୟାଙ୍କ ଅଫ୍ ଚାଇନା ଏହାର ଅଂଶଧନ ବଢ଼ାଇଥିଲା। ସେହି ପ୍ରସଙ୍ଗରେ ମଧ୍ୟ ସରକାରଙ୍କ ସହ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି। ଚୀନ୍‌ ଉତ୍ପାଦଗୁଡ଼ିକର ପ୍ରଚାର ନକରିବା ‌ଲାଗି ସେ ସିନେ ତାରକାମାନଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ମୁଁ ସୀମାକୁ ଯାଇନପାରେ, କିନ୍ତୁ ମୋ ଦେଶ ଓ ଆମର ସେବାକୁ ସହାୟତା ଦେବା ଲାଗି ଚୀନ୍‌ ଉତ୍ପାଦକୁ ବର୍ଜନ କରିପାରିବି। ଚୀନ୍‌ ସାମଗ୍ରୀଗୁଡ଼ିକର ବର୍ଜନକୁ ନେଇ ବ୍ୟବସାୟୀ ସଂଘ ପକ୍ଷରୁ ଏକ ସର୍ବଭାରତୀୟ ଅଭିଯାନ ଆରମ୍ଭ କରାଯାଇଥିଲା। ‌ଆମଦାନି ହେଉଥିବା ପ୍ରାୟ ୩୦୦୦ ପ୍ରକାର ସାମଗ୍ରୀ ଦେଶ ଭିତରେ ତିଆରି ହୋଇପାରିବ ବୋଲି ଏହା ଜଣାଇଥିଲା। ସଂଘ ମତରେ ଏହି ସବୁ ସାମଗ୍ରୀ ଉତ୍ପାଦ ଲାଗି କୌଣସି ଅତ୍ୟାଧୁନିକ ଜ୍ଞାନକୌଶଳ ଦରକାର ନାହିଁ।

ଦୁଇ ଦେଶର ବ୍ୟବସାୟ ସମ୍ପର୍କ
ନୂଆଦିଲ୍ଲୀ: ଚୀନ୍‌ ହେଉଛି ଭାରତର ସବୁଠୁ ବଡ଼ ବାଣିଜ୍ୟ ସହଯୋଗୀ। ଭାରତ ସର୍ବାଧିକ ପରିମାଣର ସାମଗ୍ରୀ ଚୀନ୍‌ରୁ ଆମଦାନି କରୁଛି। ଇଲେକ୍ଟ୍ରିକାଲ୍ ସରଞ୍ଚାମ ଠାରୁ ଆରମ୍ଭ କରି ମେଡିକାଲ୍ ଉପକରଣ, ସାର ଓ ପ୍ଲାଷ୍ଟିକ୍ ସାମଗ୍ରୀ ପର୍ଯ୍ୟନ୍ତ ବହୁତ କିଛି ସାମଗ୍ରୀ ଚୀନ୍‌ରୁ ଆସୁଛି। ଲାଦାଖର ଗଲ୍‌ୱାନ ଉପତ୍ୟାକାରେ ଦୁଇ ଦେଶର ସେନା ଭିତରେ ଘଟିଥିବା ସଂଘର୍ଷ ଉଭୟ ଦେଶର ବାଣିଜ୍ୟ ସମ୍ପର୍କ ପ୍ରତି ବିପଦ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର