ଭାରତରେ ଡି‌ଜେଲ ଦାମ୍ ଏସିଆର ଅନ୍ୟତମ ସର୍ବାଧିକ, ବଜାର ଦାମ୍‌ରେ ଦୁଇ ତୃତୀୟାଂଶ ଟିକସ

ପରିବହନଠୁ ଚାଷ କାର୍ଯ୍ୟ ପର୍ଯ୍ୟନ୍ତ ସବୁ କିଛି ପ୍ରଭାବିତ, ନିମ୍ନ ମଧ୍ୟବିତ୍ତ ବାଇକ୍‌ରେ ତେଲ ପକାଇବାକୁ ଅଧିକ ଗଣୁଛନ୍ତି

ନୂଆଦିଲ୍ଲୀ: ଡିଜେଲ୍‌କୁ ଭାରତୀୟ ଅର୍ଥନୀତିର ଜୀବନରେଖା କୁହାଯାଏ। ଟ୍ରେନ୍, ବସ୍, ଟ୍ରକ୍, ଟ୍ରାକ୍ଟରଠାରୁ ଆରମ୍ଭ କରି ମୋବାଇଲ୍ ଟାୱାର ଓ ଚାଷ କ୍ଷେତରେ ବ୍ୟବହାର କରାଯାଉଥିବା ପାୱାର ଟିଲର୍‌ ପର୍ଯ୍ୟନ୍ତ ସବୁଥିଲେ ଇନ୍ଧନ ଭାବେ ଡିଜେଲ୍‌କୁ ବ୍ୟବହାର କରାଯାଏ। ମାତ୍ର କେନ୍ଦ୍ର ସରକାର ଏହା ଉପରେ ଟିକସ ମାତ୍ରା ଏତେ ବଢ଼ାଇଦେଇଛନ୍ତି ଯେ ଡିଜେଲ୍ ଦାମ୍ ପେଟ୍ରୋଲ୍ ଦର ସହ ପ୍ରାୟ ସମାନ ହୋଇଯାଇଛି। କିଛିଦିନ ତଳେ ଏହାର ମୂଲ୍ୟ ପେଟ୍ରୋଲ୍ ଠାରୁ ଅଧିକ ହୋଇଥିଲା। ଟିକସ ରାଜସ୍ବ ବଢ଼ାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଡିଜେଲ୍‌ ଓ ପେଟ୍ରୋଲ୍ ଉପରେ ମାତ୍ରାଧିକ ଟିକସ ଲଗାଇଛନ୍ତି। କିନ୍ତୁ ଏହା ଅର୍ଥନୀତିର ସୁଧାରକୁ ମନ୍ଥର କରୁଥିବା ଅଭିଯୋଗ ହେଉଛି।

ଯଦି କମ୍ ଦାମ୍‌ରେ ଡିଜେଲ୍‌ ବିକ୍ରି ହୁଅନ୍ତା ତେବେ ଏହା ବ୍ୟବହାର ହେଉଥିବା କ୍ଷେତ୍ରଗୁଡ଼ିକ ଅଧିକ ଚଳଚଞ୍ଚଳ ହୋଇପାରନ୍ତା ବୋଲି ବିଶେଷଜ୍ଞମା‌‌ନେ କହୁଛନ୍ତି। ଭାରତରେ ଡିଜେଲ୍‌ର ଦାମ୍ ଏସିଆ ମହାଦେଶର ଅନ୍ୟତମ ସର୍ବାଧିକ ଦର ଭାବେ ବିଚାର କରାଯାଉଛି। ପାକିସ୍ତାନ, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ୍‌, ଚୀନ୍, ବାଲାଂଦେଶ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଓ ଜାପାନରେ ଭାରତ ଠାରୁ କମ୍ ଦାମ୍‌ରେ ଡିଜେଲ୍ ବିକ୍ରି ହେଉଛି ବୋଲି ‘ଗ୍ଲୋବାଲ୍ ପେଟ୍ରୋଲ୍ ପ୍ରାଇସେସ୍‌ ଡଟ୍‌ କମ୍’ ସୂତ୍ରରୁ ଜଣାପଡ଼ିଛି। ଅଶୋଧିତ ତେଲ ଦାମ୍ ହ୍ରାସ ପାଇବା ପରେ ସାରା ବିଶ୍ବରେ ପେଟ୍ରୋଲ୍ ପମ୍ପ୍‌ରେ ଦାମ୍ ହ୍ରାସ ପାଇଥିଲା। ମାତ୍ର ଭାରତରେ ଏହାର ଓଲଟା ପ୍ରତିଫଳନ ଦେଖିବାକୁ ମିଳିଥିଲା। ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ କମିବା ବଦଳରେ ବଢ଼ିଥିଲା।

ଓଡ଼ିଶାରେ ପେଟ୍ରୋଲ୍‌ ଦାମ୍ ୮୧ ଟଙ୍କାରୁ ଅଧିକ ରହିଥିବା ବେଳେ ଡିଜେଲ୍ ଦର ୮୦ ଟଙ୍କା ପାଖାପାଖି ରହିଛି। ଉଭୟ ଇନ୍ଧନ ମୂଲ୍ୟର ଦୁଇ ତୃତୀୟାଂଶ ଭାଗ ହେଉଛି ଟିକସ ଯାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲାଗୁ କରିଛନ୍ତି। କେନ୍ଦ୍ର ଅଧିକ ଟିକସ ପାଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ମୋଟା ଅଙ୍କର ଟିକସ ନେଉଛନ୍ତି। ଡିଜେଲ୍ ଦାମ୍ ବୃଦ୍ଧି ପାଇଥିବାରୁ ପରିବହନ ଖର୍ଚ୍ଚ ବଢ଼ିଛି। ଦେଶର ଦୁଇ ତୃତୀୟାଂଶ ସାମଗ୍ରୀ ଟ୍ରକ୍ ଜରିଆରେ ପରିବହନ କରାଯାଇଥାଏ।

ସମ୍ବନ୍ଧିତ ଖବର