ନିରାଶ କଲା ଏଲ୍‌ଆଇସି ସେୟାର, ସେୟାର ମୂଲ୍ୟ ୮% ହ୍ରାସ

ନିବେଶକ ହରାଇଲେ ୪୨,୫୦୦ କୋଟି

ମୁମ୍ବାଇ: ବହୁ ପ୍ରତିକ୍ଷୀତ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ସେୟାର ଆଜି ଷ୍ଟକ ବଜାରରେ ଲିଷ୍ଟିଂ (ତାଲିକାଭୁକ୍ତ) ହେବା ସହ ତାହାର କାରବାର ଆରମ୍ଭ ହୋଇଛି। ପ୍ରାୟ ୮% ରିହାତିରେ ସେୟାର ଲିଷ୍ଟିଂ ହେବାରୁ ନିବେଶକମାନଙ୍କୁ ୪୨,୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଏଲ୍‌ଆଇସି ଏହାର ନିବେଶକମାନଙ୍କୁ ୯୪୯ ଟଙ୍କା ମୂଲ୍ୟରେ ସେୟାର ଆବଣ୍ଟନ କରିଥିଲା। କିନ୍ତୁ ଷ୍ଟକ ବଜାରରେ କାରବାରର ପ୍ରଥମ ଦିନରେ ସେୟାର ମୂଲ୍ୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ରେ ୮୬୭.୨୦ ଟଙ୍କା ଓ ନ୍ୟା‌ସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ରେ ୮୭୨ ଟଙ୍କାକୁ ଖସିଯାଇଥିଲା। ତେଣୁ ନିବେଶକମାନେ ଏଲ୍‌ଆଇସି ସେୟାର ଉପରେ ଲିଷ୍ଟିଂ ବେଳେ ହେବାକୁ ଥିବା ଲାଭ ପାଇବାରୁ ବଞ୍ଚିତ ହୋଇଛନ୍ତି। ଚଳିତ ବର୍ଷ ଯେଉଁ ୧୧ଟି ଲିଷ୍ଟିଂ ହୋଇଛି ସେଥିରୁ ଏଲ୍‌ଆଇସିର ଲିଷ୍ଟିଂ ଦ୍ବିତୀୟ ଦୁର୍ବଳ ବୋଲି ଜଣାପଡ଼ିଛି।

ଏଲ୍‌ଆଇସି ଏହାର ଇନିସିଆଲ୍‌ ପବ୍ଲିକ୍ ଅଫର (ଆଇପିଓ) ଜରିଆରେ ୩.୫% ଅଂଶଧନ ବିକ୍ରି କରିଛି। ସେୟ‌ାର ପିଛା ୯୪୯ ଟଙ୍କାରେ ବିକ୍ରି ହୋଇଥିବା ଅଂଶଧନରୁ ସରକାର ୨୦,୫୫୭ କୋଟି ଟଙ୍କା ହାସଲ କରିଛନ୍ତି। ସେୟାର ମୂଲ୍ୟ ଅନୁସାରେ ଷ୍ଟକ ବଜାରରେ ଏଲ୍‌ଆଇସିର ମୂଲ୍ୟ ୬,୦୦,୨୪୨ କୋଟି ଟଙ୍କା ନିର୍ଧାରଣ କରାଯାଇଛି। କିନ୍ତୁ ଲିଷ୍ଟିଂ ଦିନ ସେୟାର ସେୟାର ଦାମ୍ ହ୍ରାସ ପାଇବାରୁ ଏହାର ବଜାର ମୂଲ୍ୟ ୪୨,୫୦୦ କୋଟି ଟଙ୍କା ହ୍ରାସ ପାଇ ୫,୫୭,୬୭୫ କୋଟି ଟଙ୍କା ହୋଇଯାଇଛି। ଏହା ସତ୍ତ୍ବେ ଏଲ୍‌ଆଇସି ଦେଶର ପଞ୍ଚମ ବୃହତ କଂପାନି ଭାବେ ଆବିର୍ଭୁତ ହୋଇଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଆଜି ଷ୍ଟକ ବଜାରରେ କାରବାର ବେଶ ଉତ୍ସାହଜନକ ରହିଥିଲା। ସେନ୍‌ସେକ୍ସ ଆଜି ୧,୩୪୫ ପଏଣ୍ଟ୍‌ ବୃଦ୍ଧି ପାଇ ୫୪,୩୧୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୪୧୭ ପଏଣ୍ଟ୍‌ ବୃଦ୍ଧି ପାଇ ୧୬,୨୫୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ବଜାରରେ ଏଭଳି ଉତ୍ସାହ ଥିବା ସତ୍ତ୍ବେ ଏଲ୍‌ଆଇସିର ଲିଷ୍ଟିଂ ଦୁର୍ବଳ ରହିଥିଲା।

ପ୍ରାରମ୍ଭିକ ପର୍ଯ୍ୟାୟରେ ଏଲ୍‌ଆଇସିର ୫% ଅଂଶଧନ ବିକ୍ରି କରିବାକୁ ସରକାର ଚାହୁଥିଲେ। ମାତ୍ର ୟୁକ୍ରେନ୍ ଉପରେ ରୁଷ୍‌ର ଆକ୍ରମଣ ଓ ବିଶ୍ବରେ ‌ଦରଦାମ୍ ସ୍ଥିତି ବେଲଗାମ ହୋଇପଡ଼ିବାରୁ ସରକାର ଶେଷରେ କଂପାନିର ୩.୫% ଅଂଶଧନ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ଆଇପିଓ ଜରିଆରେ ଯେଉଁ ୨୨.୧୩ କୋଟି ସେୟାର ଜାରି କରାଯାଇଥିଲା ତା’ଠାରୁ ଅଧିକ ବିଡ୍‌ ଆସିଥିଲା। ଅର୍ଥାତ ଉପଲବ୍ଧ ଥିବା ସେୟାର ତୁଳନାରେ କିଣିବା ଲାଗି ଅଧିକ ଆବେଦନ ଆସିଥିଲା। ପଲିସିଧାରକମାନଙ୍କ ‌ପାଇଁ ‌ଯେତିକି ସେୟାର ଉପଲବ୍ଧ ଥିଲା ତା’ଠାରୁ ଛଅ ଗୁଣା ଅଧିକ ଆବେଦନ ଆସିଥିଲା। ୨୦୨୦ ଫେବ୍ରୁଆରିରେ ଏଲ୍‌ଆଇସି ଅଂଶଧନ ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ମାତ୍ର କୋଭିଡ୍‌ ମହାମାରୀ ବ୍ୟାପିବା ପରେ ସେହି ଯୋଜନାକୁ ସ୍ଥଗିତ ରଖାଗଲା। ୨୦୨୨ ମାର୍ଚ୍ଚ ସୁଦ୍ଧା‌ ଏଲ୍‌ଆଇସିର ୧୦% ଅଂଶଧନ ବିକ୍ରି କରିବାକୁ ୨୦୨୧ ଫେବ୍ରୁଆରିରେ ଯୋଜନା ପ୍ରସ୍ତୁତ ହୋଇଥିଲା। ୨୦୨୨ ଫେବ୍ରୁଆରିରେ ତାହାକୁ ୫%କୁ ହ୍ରାସ କରାଗଲା। ପରର୍ବତୀ ସମୟରେ ୩.୫% ସେୟାର ବିକ୍ରି କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଗଲା। ଏଲ୍‌ଆଇସିର ଆଇପିଓ ନିବେଶକମାନଙ୍କ ସବ୍‌ସ୍କ୍ରିପ୍‌ସନ୍ ପାଇଁ ମେ’ ୪ରେ ଉପଲବ୍ଧ ହୋଇଥିଲା।

ଏଲ୍‌ଆଇସିର ଦୁର୍ବଳ ପ୍ରଦର୍ଶନ ସମ୍ପର୍କରେ ପୁଞ୍ଜି ପ୍ରତ୍ୟାହାର ଦାୟିତ୍ବରେ ଥିବା ଦିପମ୍‌ ବିଭାଗର ସଚିବ ତୁହିନକାନ୍ତ ପାଣ୍ଡେ କହିଛନ୍ତି ଯେ ବଜାର ଅନିଶ୍ଚିତତା ଯୋଗୁଁ ଲିଷ୍ଟିଂ ଦୁର୍ବଳ ରହିଛି। ଏହା ହେଉଛି ଦେଶର ସବୁଠୁ ବଡ଼ ଆପିଓ। ଦେଶ ପାଇଁ ଏହା ଏକ ଐତିହାସିକ କାର୍ଯ୍ୟକ୍ରମ। ଏହା ହେଉଛି ଆତ୍ମନିର୍ଭର ପ୍ରସଙ୍ଗ। ବିଦେଶୀ ନିବେଶକ ବିନା ଷ୍ଟକ ବଜାର ଚାଲିପାରିବ ବୋଲି ଏହା ଜଣାଇଛି।

ସମ୍ବନ୍ଧିତ ଖବର