ଡିଜିଟାଇଜେସନ୍‌କୁ ଆଇଏମ୍ଏଫ୍‌ର ପ୍ରଶଂସା

‘ଭାରତ ଲାଭବାନ ହୋଇଛି, ଦୁର୍ନୀତି କମିଛି’

ୱାସିଂଟନ: ଭାରତର ଡିଜିଟାଇଜେସନ୍‌ ଉଦ୍ୟମକୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପ୍ରଶଂସା କରିଛି। ଏହା କହିଛି ଯେ, ଡିଜିଟାଇଜେସନ୍‌ ଯୋଗୁ ଭାରତକୁ ଅନେକ ଲାଭ ମିଳିଛି। ଏହା ଦ୍ବାରା ଦେଶରେ ପକ୍ଷପାତିତା ଏବଂ ଦୁର୍ନୀତି କମ୍ ହୋଇଛି। ଆଇଏମ୍ଏଫ୍ ଜାରି କରିଥିବା ଏହାର ସଦ୍ୟତମ ରିପୋର୍ଟରେ ଜଣାଇଛି ଯେ, ଭାରତ ଏବଂ ଇଣ୍ଡୋନେସିଆରେ ଇ-ପ୍ରକ୍ୟୁରମେଣ୍ଟ୍‌କୁ ନେଇ ସୁବିଧା ଆରମ୍ଭ କରାଯିବାରୁ ପ୍ରତିଦ୍ବନ୍ଦ୍ବିତା ବଢ଼ିଛି ଏବଂ କନଷ୍ଟ୍ରକ୍ସନ କ୍ଷେତ୍ରରେ ମଧ୍ୟ ଗୁଣାତ୍ମକ ସୁଧାର ଦେଖିବାକୁ ମିଳିଛି। ଭାରତରେ ହୋଇଥିବା କେତେକ ସୁଧାର ବିଷୟରେ ଜଣାପଡ଼ିଛି। ଡିଜିଟାଇଜେସନ୍ ଯୋଗୁ ସେଠାରେ ପକ୍ଷପାତିତା ଏବଂ ହେରଫେର ପରିମାଣ ହ୍ରାସ ପାଇଛି ବୋଲି ଆଇଏମ୍ଏଫ୍‌ କହିଛି। ଉଦାହରଣ ଦେଇ ଆଇଏମ୍ଏଫ୍‌ ଜଣାଇଛି ଯେ, ଭାରତରେ ସାମାଜିକ କାର୍ଯ୍ୟକ୍ରମ ପାଇଁ ଏକ ଇଲେକ୍ଟ୍ରୋନିକ୍ସ ପ୍ଲାଟଫର୍ମ ଲାଗୁ କରାଯିବା ପରେ ଖର୍ଚରେ ୧୭% ହ୍ରାସ ହୋଇଛି। ଏହା ସହିତ ଏହି କାର୍ଯ୍ୟକ୍ରମଗୁଡ଼ିକ ଦ୍ବାରା ଯେଉଁ ଲାଭ ମିଳୁଥିଲା ସେଥିରେ କୌଣସି ହ୍ରାସ ହୋଇନାହିଁ। ଆନ୍ଧ୍ର ପ୍ରଦେଶରେ ସ୍ମାର୍ଟ ଆଇଡି କାର୍ଡ ପ୍ରଚଳନ କରାଯିବା ପରେ ପାଣ୍ଠି ବାଟମାରଣାରେ ୪୧% ହ୍ରାସ ହୋଇଛି। ସାମାଜିକ କଲ୍ୟାଣମୂଳକ ଯୋଜନାର ହିତାଧିକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ଏହି ଆଇଡି କାର୍ଡ ବା ପରିଚୟପତ୍ରକୁ ବ୍ୟବହାର କରାଯାଉଛି। ଭାରତର ଆର୍ଥିକ ସ୍ଥିତି ବିଷୟରେ ଆକଳନ କରି ଆଇଏମ୍ଏଫ୍‌ କହିଥିଲା ଯେ ୨୦୧୯-୨୦ରେ ଭାରତର ଅଭିବୃଦ୍ଧି ହାର ୭.୫% ହେବ। ବିଶ୍ବବ୍ୟାଙ୍କ ମଧ୍ୟ ସେହି ଆକଳନ କରିଥିଲା।

ସମ୍ବନ୍ଧିତ ଖବର