କଳାଟଙ୍କା ସୂଚନା ବି ଦେବେନି, ସୂଚନା ଆୟୋଗ ନିର୍ଦେଶ ମାନିଲେନି

ନୂଆଦିଲ୍ଲୀ: ସ୍ବିସ୍‌ ବ୍ୟାଙ୍କରେ ଥିବା କଳାଧନ ଫେରାଇ ଆଣିବୁ। ବିଦେଶରେ ଏତେ କଳାଟଙ୍କା ଅଛି ଯେ ତାହା ଫେରିଲେ ସମସ୍ତଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା କରାଯିବ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ପ୍ରତିଶ୍ରୁୂତି ଦେଇଥିଲେ ନରେନ୍ଦ୍ର ମୋଦୀ। ୨୦୧୪ ନିର୍ବାଚନ ବେଳେ କଳାଧନକୁ ବିଜେପି କରିଥିଲା ଅନ୍ୟତମ ପ୍ରମୁଖ ଅସ୍ତ୍ର। ସବୁ ପ୍ରତିଶ୍ରୂତି କେବଳ ପ୍ରତିଶ୍ରୁତିରେ ରହିଯାଇଛି। କଳାଧନକୁ ନେଇ ଏତେ କଥା କହିଥିବା ମୋଦୀ ସରକାର ଏବେ କଳାଧନ ସମ୍ପର୍କିତ ତଥ୍ୟ ବି ଦେଉନାହାନ୍ତି। କିଛି ଦିନ ତଳେ କେନ୍ଦ୍ରୀୟ ସୂଚନା ଆୟୋଗ ଦେଇଥିବା ନିର୍ଦେଶକୁ ସରକାର ମାନିନାହାନ୍ତି। ବିଦେଶରୁ ସରକାର କେତେ କଳାଧନ ଫେରାଇ ଆଣିଛନ୍ତି ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ମନାକଲା। ତଦନ୍ତରେ ବାଧା ପହଞ୍ଚିବା ନେଇ ଆଶଙ୍କା ବ୍ୟକ୍ତ କରି ପିଏମଓ ଏହି ସୂଚନା ଦେବାକୁ ମନା କରିଛି। ସୂଚନା ଅଧିକାର ଆଇନର ଏକ ଧାରାରେ ଏ ପ୍ରକାର ସୂଚନା ନଦେବା ଲାଗି ବ୍ୟବସ୍ଥା ରହିଛି ବୋଲି କୁହାଯାଇଛି। ୧୫ ଦିନ ମଧ୍ୟରେ କଳା ଟଙ୍କା ସମ୍ପର୍କିତ ବିସ୍ତୃତ ସୂଚନା ଦେବା ଲାଗି ସିଆଇସି ପିଏମଓକୁ ଗତ ଅକ୍ଟୋବର ୧୬ ତାରିଖରେ ନିର୍ଦେଶ ଦେଇଥିଲା। ସିଆଇସିର ନିର୍ଦ୍ଦେଶ ପରିପ୍ରେକ୍ଷୀରେ ପିଏମଓ ଏହି ଉତ୍ତର ଦେଇଛି। ସୂଚନା ଅଧିକାର ଆଇନ ବଳରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, କଳାଟଙ୍କାର ଯାଞ୍ଚ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରାଯାଇଛି ଏବଂ ଏହି ସଂସ୍ଥା ତାହାର ତଦନ୍ତ ଜାରି ରଖିଛି। ‌ତେଣୁ ଏଭଳି ପରିସ୍ଥିତିରେ କୌଣସି ପ୍ରକାର ସୂଚନା ଦିଆଗଲେ ତାହା ସମଗ୍ର ତଦନ୍ତକୁ ପ୍ରଭାବିତ କରିବ। ତେଣୁ ସୂଚନା ଅଧିକାର ଆଇନର ଧାରା ୮(୧)(ଏଚ) ଅନୁଯାୟୀ ଏପ୍ରକାର ସୂଚନା ନଦେବାର ବ୍ୟବସ୍ଥା ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ଉତ୍ତରରେ କୁହାଯାଇଛି। ବରିଷ୍ଠ ପ୍ରଶାସନିକ ଅଧିକାରୀ ସଞ୍ଜୀବ ଚତୁର୍ବେଦୀଙ୍କ ପକ୍ଷରୁ ଏହି ଆରଟିଆଇ ଆବେଦନ କରାଯାଇଥିଲା। କଳାଟଙ୍କା ତଦନ୍ତ ଯେଉଁସବୁ ସଂସ୍ଥା ଗୁଡ଼ିକ ଦ୍ବାରା କରାଯାଉଛି ସେଗୁଡ଼ିକୁ ଆରଟିଆଇ ପରିସର ବାହାରେ ରଖାଯାଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି।

ସମ୍ବନ୍ଧିତ ଖବର