ଜିଏସ୍‌ଟି ରିଟର୍ଣ୍ଣ ପଇଠ କରିନଥିଲେ ଇ-ୱେ ବିଲ୍ ମିଳିବନି

ନୂଆଦିଲ୍ଲୀ: ଜିଏସ୍‌ଟି ଠକେଇ ରୋକିବା ଲାଗି ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଯେଉଁମାନେ ଜୁନ୍ ପର୍ଯ୍ୟନ୍ତ ଦୁଇ ମାସ କିମ୍ବା ତ୍ରୟମାସର ଜିଏସ୍‌ଟି ରିଟର୍ଣ୍ଣ ଦାଖଲ କରିନଥିବେ ସେମାନେ ଅଗଷ୍ଟ ୧୫ ଠାରୁ ଇ-ୱେ ବିଲ୍ ସୃଷ୍ଟି କରିପାରିବେନି ବୋଲି ଜିଏସ୍‌ଟି ନେଟ୍‌ୱର୍କ ପକ୍ଷରୁ କୁହାଯାଇଛି। ଅଧିକରୁ ଅଧିକ ଟିକସଦାତା ଯେଭଳି ଜିଏସ୍‌ଟି ପଇଠ କରିବେ ତାହା ନିଶ୍ଚିତ କରିବା ଲାଗି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ଦ୍ବାରା ଜିଏସ୍‌ଟି ସଂଗ୍ରହ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ଅଗଷ୍ଟ ୧୫ ପରଠାରୁ ଯେଉଁମାନେ ଇ-ୱେଲ୍ ବିଲ୍ ସୃଷ୍ଟି ଲାଗି ଆବେଦନ କରିବେ ଜିଏସ୍‌ଟି ନେଟ୍‌ୱର୍କ ସେମାନଙ୍କ ରିଟର୍ଣ୍ଣ ପଇଠ ସ୍ଥିତି ଯାଞ୍ଚ କରିବ।

ଯଦି ରିଟର୍ଣ୍ଣ ଦାଖଲ ହୋଇନଥିବ ତେବେ ଇ-ୱେ ବିଲ୍ ସୃଷ୍ଟି ହେବ ନାହିଁ। ତେଣୁ ଯେଉଁମା‌ନେ ଜିଏସ୍‌ଟି ରିଟର୍ଣ୍ଣ ଦାଖଲ କରିନାହାନ୍ତି ସେମାନେ ତୁରନ୍ତ ତାହା ପଇଠ କରନ୍ତୁ ବୋଲି ‌ଜିଏସ୍‌ଟିଏନ୍ ନେଟ୍‌ୱର୍କ ପକ୍ଷରୁ କୁହାଯାଇଛି। ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସ୍ବୟଂକ୍ରିୟ କରାଯାଇଛି। ରାଜ୍ୟଗୁଡ଼ିକ ମଧ୍ୟରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ପରିବହନ ପାଇଁ ୨୦୧୮ ଏପ୍ରିଲ୍ ପରଠାରୁ ଇ-ୱେ ବିଲ୍ ବାଧ୍ୟତାମୂଳକ କରାଯାଇଛି। ଏଥିରୁ ସୁନାକୁ ବାଦ ଦିଆଯାଇଛି। କୌଣସି ସ୍ଥାନରେ ଯଦି ଜିଏସ୍‌ଟି ଇନ୍ସପେକ୍ଟର ଗାଡ଼ିକୁ ଯାଞ୍ଚ କରନ୍ତି ସେହି ଠା‌ରେ ବ୍ୟବସାୟୀ କିମ୍ବା ପରିବହନକାରୀଙ୍କୁ ଇ-ୱେ ବିଲ୍ ଦେଖାଇବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର