ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୮-୧୯: ଅଭିବୃଦ୍ଧି ୮.୪%, ଦେଶଠୁ ଅଧିକ

ଭୁବନେଶ୍ୱର: ରାଜ୍ୟର ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ୨୦୧୭-୧୮ ତୁଳନାରେ ଅଭିବୃଦ୍ଧି ହାର ଅଧିକ ହୋଇଛି। ୨୦୧୮-୧୯ରେ ଓଡ଼ିଶାର ଅଭିବୃଦ୍ଧି ହାର ୮.୪% ହୋଇଛି ଯାହା ୨୦୧୭-୧୮ର ୭.୪% ଅଭିବୃଦ୍ଧି ତୁଳନାରେ ଅଧିକ ବୋଲି ବିଧାନସଭାରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୮-୧୯ରେ କୁହାଯାଇଛି। ଓଡ଼ିଶାର ଅଭିବୃଦ୍ଧି କେବଳ ଅନେକ ରାଜ୍ୟ ନୁହେଁ, ବରଂ ଜାତୀୟ ହାର ଠାରୁ ମଧ୍ୟ ଅଧିକ ରହିଛି। ରାଜ୍ୟର ମୁଣ୍ଡପିଛା ଆୟ ମଧ୍ୟ ବହୁ ରାଜ୍ୟ ତୁଳନାରେ ଅଧିକ ରହିଛି। ୨୦୧୮-୧୯ରେ ରାଜ୍ୟର ମୁଣ୍ଡପିଛା ଆୟ ୯୨,୬୯୧ ଟଙ୍କାକୁ ବୃଦ୍ଧି ପାଇଛି। ମୁଣ୍ଡପିଛା ଆୟ ବାର୍ଷିକ ୯.୮% ହାରରେ ବଢ଼ୁଛି। ମୁଣ୍ଡପିଛା ଆୟ କ୍ଷେତ୍ରରେ ଓଡ଼ିଶା ୧୯୯୬-୯୭ରେ ୨୫ତମ ସ୍ଥାନରେ ଥିଲା। ୨୦୧୬-୧୭ ସୁଦ୍ଧା ଏହା ୧୬ତମ ସ୍ଥାନରେ ପହଂଚିପାରିଛି।

ରାଜ୍ୟର ୪୮% ଲୋକ କୃଷି କ୍ଷେତ୍ରରେ ନିୟୋଜିତ ହୋଇଥିବା ବେଳେ କୃଷି ପରିବାରର ମାସିକ ହାରାହାରି ଆୟ ୨୦୧୬-୧୭ରେ ୭୭୩୧ ଟଙ୍କାକୁ ବୃଦ୍ଧି ପାଇଛି। କମ୍ ମୌସୁମୀ ବୃଷ୍ଟିପାତ ଓ ଫସଲରେ ରୋଗ ପୋକ ଆକ୍ରମଣ ଯୋଗୁ ୨୦୧୭-୧୮ରେ କୃଷି ଉତ୍ପାଦନ ପ୍ରଭାବିତ ହୋଇଥିଲା। ୨୦୧୮-୧୯ରେ ସେଥିରେ ଉନ୍ନତି ହୋଇଛି। କାଳିଆ ସ୍କିମ୍ ଜରିଆରେ କୃଷି କ୍ଷେତ୍ରକୁ ଆବଶ୍ୟକ ବଳ ପ୍ରଦାନ କରିବାକୁ ଉଦ୍ୟମ କରାଯାଇଛି। ଏହା ରାଜ୍ୟରେ ନିରନ୍ତର କୃଷି ବିକାଶ ଦିଗରେ ସହାୟକ ହେବ ବୋଲି ସର୍ଭେରେ କୁହାଯାଇଛି। ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)କୁ ଖଣି କ୍ଷେତ୍ରର ଅବଦାନ ବୃଦ୍ଧି ପାଇ ୧୦.୮% ହୋଇଛି। ମାନୁଫାକ୍‌ଚରିଂ କ୍ଷେତ୍ରରେ ମଧ୍ୟ ୨୦୧୮-୧୯ରେ ଉଲ୍ଲେଖନୀୟ ଉନ୍ନତି ଦେଖିବାକୁ ମିଳିଛି। ଫଳରେ ରାଜ୍ୟ ଅର୍ଥନୀତିକୁ ଏହି କ୍ଷେତ୍ରର ଅବଦାନ ୧୮.୫%କୁ ବୃଦ୍ଧି ପାଇଛି। ସବୁ କ୍ଷେତ୍ର ଠାରୁ ସେବା କ୍ଷେତ୍ରରେ ବହୁତ ଆଗରେ ରହିଛି ରାଜ୍ୟ ଜିଡିପିକୁ ସେବା କ୍ଷେତ୍ରର ଅବଦାନ ସର୍ବାଧିକ ୪୧.୬% ରହିଛି। ଦ୍ୱିତୀୟ ସ୍ଥାନରେ ରହିଛି ଶିଳ୍ପ କ୍ଷେତ୍ର ଯାହାର ଅବଦାନ ୩୯.୫% ରହିଛି। ସେବା କ୍ଷେତ୍ରରେ କାରବାର କରୁଥିବା ସଂସ୍ଥା ହାର (୩୨%) ଜାତୀୟ ହାର (୨୯%) ଠାରୁ ଅଧିକ ରହିଛି।

ଓଡ଼ିଶା ୨.୨% ରାଜସ୍ବ ବଳକା ରାଜ୍ୟ ହୋଇ ରହିଥିବା ବେଳେ ଏହାର ମୋଟ ବିତ୍ତୀୟ ନିଅଣ୍ଟ ୨.୯% ଧାର୍ଯ୍ୟ ସୀମା ଭିତରେ ରହିଛି। ମୋଟ ଘରୋଇ ଉତ୍ପାଦକୁ ଋଣର ଅନୁପାତ ୨୫% ସୀମା ଭିତରେ ରହିଛି। ରାଜ୍ୟର ପୁଞ୍ଜି ଅଟକଳ ଜିଡିପିର ୪.୯% ରହିଛି ଯାହା ଅନ୍ୟ ଅନେକ ରାଜ୍ୟ ତୁଳନାରେ ସର୍ବାଧିକ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।ଶିଶୁ ମୃତ୍ୟୁ ହାର ଓ ମାତୃ ମୃତ୍ୟୁ ହାର କମାଇବାରେ ଓଡ଼ିଶା ବହୁତ ଭଲ ପ୍ରଦର୍ଶନ କରିଥିବା ବେଳେ ରାଜ୍ୟର ସାକ୍ଷରତା ହାର ୭୨.୯%କୁ ବୃଦ୍ଧି ପାଇଛି। ରାଜ୍ୟ ପାଇଁ ରହିଥିବା ଆହ୍ବାନଗୁଡ଼ିକ ହେଉଛି ପ୍ରତି ଏକ ଲକ୍ଷ ଲୋକଙ୍କ ତୁଳନାରେ କମ୍ ଏଟିଏମ୍ ରହିଛି। ସରକାରୀ ବ୍ୟାଙ୍କଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଇଥିବା ମୁଣ୍ଡପିଛା ଋଣ ପରିମାଣ ରାଜ୍ୟରେ ୨୪,୦୬୨ ଟଙ୍କା ରହିଛି। ଯାହା ଜାତୀୟ ହାରର ଏକ ତୃତୀୟାଂଶରୁ ମଧ୍ୟ କମ୍‌। ବ୍ୟ‌ାଙ୍କିଙ୍ଗ୍‌ କ୍ଷେତ୍ରରେ ଅନେକ ଉନ୍ନତି ଆଣିବାର ଆବଶ୍ୟକତା ରହିଛି ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।

ରାଜ୍ୟରେ ପ୍ରତି ୧୦୦ ଲୋକଙ୍କ ମଧ୍ୟରୁ ୮୦ ଜଣଙ୍କ ପାଖରେ ଦୂରସଂଚାର ସେବା ପହଂଚିଛି। ରାଜ୍ୟରେ ଥିବା ମୋଟ ୫୧,୩୧୧ଟି ଗ୍ରାମ ମଧ୍ୟରୁ ଏବେବି ୧୧ ହଜାର ଗ୍ରାମରେ ମୋବାଇଲ୍ ସଂଯୋଗ ପହଂଚି ନାହିଁ। ରେଳ ଧାରଣା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ଠାରୁ ପଛରେ ରହିଛି। ଅନ୍ୟ ରାଜ୍ୟଗୁଡ଼ିକର ହାରାହାରି ରେଳ ସାନ୍ଧ୍ରତା ୨୦ କିମି ରହିଥିବା ବେଳେ ଓଡ଼ିଶାରେ ତାହା ୧୬ କିମି ରହିଛି। କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟରେ ରେଳ ଧାରଣା ପରିମାଣ ବହୁତ କମ୍ ରହିଛି। ଜାତୀୟ ରାଜପଥରେ ଓଡ଼ିଶାର ଭାଗ ହେଉଛି ମାତ୍ର ୪.୮% ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି।

ସେବା କ୍ଷେତ୍ରର ଅବଦାନ ସର୍ବାଧିକ, ଦ୍ୱିତୀୟରେ ଶିଳ୍ପ
ଲକ୍ଷେ ଲୋକ ପିଛା ଏଟିଏମ୍ ସଂଖ୍ୟା କମ୍
ମୁଣ୍ଡପିଛା ଆୟ ୯୨ ହଜାର ୬୯୧ ଟଙ୍କା
ରେଳ ସାନ୍ଧ୍ରତାରେ ଓଡ଼ିଶା ଅନ୍ୟମାନଙ୍କଠାରୁ ପଛୁଆ

୮୩% ଗାଁକୁ ସବୁଦିନିଆ ସଡ଼କ
ଭୁବନେଶ୍ବର: ରାଜ୍ୟର ୮୨.୯୭% ଗାଁକୁ ସବୁଦିନିଆ ସଡ଼କ ସହିତ ସଂଯୋଗ କରାଯାଇଛି। ଏ କ୍ଷେତ୍ରରେ ଓଡ଼ିଶା ଜାତୀୟ ହାର ୬୦% ଠାରୁ ବହୁତ ଆଗରେ ରହିଛି। ୧୬,୧୩୩ଟି ଜନବସତିକୁ ସବୁଦିନିଆ ସଡ଼କ ସଂଯୋଗ ପ୍ରଦାନ କରିବାର କାର୍ଯ୍ୟ ଜାରି ରହିଛି। ଗ୍ରାମାଞ୍ଚଳରେ ମୋଟ ୧.୬୨ ଲକ୍ଷ କିମି ସଡ଼କ ରହିଥିବା ବେଳେ ସେଥି ମଧ୍ୟରୁ ୪୪% ହେଉଛି କଙ୍କ୍ରିଟ୍ ସଡ଼କ। ଗ୍ରାମାଞ୍ଚଳରେ ବେକାରି ହାର ୬.୯% ରହିଥିବା ବେଳେ ୭୪% ଲୋକ କୃଷି କିମ୍ବା ନିର୍ମାଣ କ୍ଷେତ୍ରରେ ଶ୍ରମିକ ଭାବେ କାମ କରୁଛନ୍ତି ତଥା ଆତ୍ମନିର୍ଭରଶୀଳ ରହିଛନ୍ତି। ଗ୍ରାମୀଣ ଓଡ଼ିଶାରେ ଦାରିଦ୍ର୍ୟ ହାର ୩୫.୬୯% ରହିଛି।

୧୧ ହଜାର ଗାଁରେ ପହଞ୍ଚିନି ମୋବାଇଲ୍‌ ସେବା
ଭୁବନେଶ୍ବର: ରାଜ୍ୟରେ ଥିବା ୫୧,୩୧୧ଟି ଗାଁ ମଧ୍ୟରୁ ୧୧ ହଜାରଟି ଗ୍ରାମରେ ମୋବାଇଲ୍ ସଂଯୋଗ ପହଞ୍ଚି ନାହିଁ। ସେଥି ମଧ୍ୟରୁ ୧୦ ହଜାର ଗ୍ରାମ ନକ୍ସଲ ଉପଦୃତ ଅଞ୍ଚଳରେ ରହିଛି। ଗଜପତି, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାର ଗ୍ରାମାଞ୍ଚଳରେ ମୋବାଇଲ୍‌ ଟାୱାର ବସାଇବାକୁ କଂପାନିଗୁଡ଼ିକ ଆଗ୍ରହ ଦେଖାଉନାହାନ୍ତି।

ବିଦ୍ୟୁତ ବ୍ୟବହାର ଘରେ ଅଧିକ, ଶିଳ୍ପରେ କମ୍
ଭୁବନେଶ୍ବର: ଶିଳ୍ପ ସଂସ୍ଥାଗୁଡ଼ିକରେ ବିଦ୍ୟୁତ ବ୍ୟବହାର ପରିମାଣ ହ୍ରାସ ପାଇଛି। ରାଜ୍ୟର ବ୍ୟବହାର ହେଉଥିବା ମୋଟ ବିଦ୍ୟୁତର ୩୬.୨% ଶିଳ୍ପ ସଂସ୍ଥାଗୁଡ଼ିକୁ ବ୍ୟବହାର କରୁଛନ୍ତି। ୨୦୧୦ରେ ଶିଳ୍ପ ସଂସ୍ଥାଗୁଡ଼ିକ ୫୧.୬% ବିଦ୍ୟୁତ ବ୍ୟବହାର କରୁଥିଲେ। ତେବେ ଘରେ ଘରେ ବ୍ୟବହାର ହେଉଥିବା ବିଦ୍ୟୁତ ପରିମାର ୨୦୧୦ର ୨୭%ରୁ ବୃଦ୍ଧି ପାଇ ୩୮.୧%ରେ ପହଞ୍ଚିଛି।

ଭୁବନେଶ୍ବର ‌ଜନସଂଖ୍ୟା ୯ ଲକ୍ଷ, କଟକର ୬ ଲକ୍ଷ
ଭୁବନେଶ୍ବର: ଅର୍ଥନୈତିକ ସର୍ଭେ ରିପୋର୍ଟ‌ରେ କୁହାଯାଇଛି ଯେ ଓଡ଼ିଶାରେ ଗୋଟିଏ ବି ମେଟ୍ରୋ ସହର ନାହିଁ। ୧୦ ଲକ୍ଷରୁ ଅଧିକ ଲୋକ ବାସ କରୁଥିବା ଗୋଟିଏ ବି ସହର ଓଡ଼ିଶାରେ ନାହିଁ। ଭୁବନେଶ୍ବରରେ ୯ ଲକ୍ଷ ଲୋକ ବାସ କରୁଥିବା ବେ‌ଳେ କଟକରେ ଛଅ ଲକ୍ଷ ଲୋକ ବସବାସ କରୁଛନ୍ତି। ଏହି ଦୁଇ ସହର ନିକଟ ଭବିଷ୍ୟତରେ ମେଟ୍ରୋ ସହର ବର୍ଗରେ ସାମିଲ ହେବାର ସମ୍ଭାବନା ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ଓଡ଼ିଶାରେ ସହରାଞ୍ଚଳ ଭାଗ ବଢ଼ୁଥିଲେ ମଧ୍ୟ ସହରରେ ଗରିବ ଲୋକଙ୍କ ସଂଖ୍ୟା ଚିନ୍ତାର କାରଣ ହୋଇ ରହିଛି। ସହରର ୧୭% ଲୋକ ଦାରିଦ୍ର୍ୟ ସୀମା ରେଖା ତଳେ ବାସ କରୁଛନ୍ତି।

ବିମାନରେ ଉଡ଼ିଛନ୍ତି ୩.୨୪ ଲକ୍ଷ ଯାତ୍ରୀ
ଭୁବନେଶ୍ବର: ରାଜ୍ୟରେ ବିମାନ ଯାତ୍ରୀଙ୍କ ସଂଖ୍ୟା ବଢ଼ିଛି। ୨୦୧୭-୧୮ରେ ୩ ଲକ୍ଷ ୨୪ ହଜାର ଯାତ୍ରୀ ବିମାନରେ ଯାତ୍ରା କରିଛନ୍ତି। ବିମାନ ବନ୍ଦରରୁ ଆୟ ମଧ୍ୟ ଦୁଇ ଗୁଣା ବୃଦ୍ଧି ପାଇ ୯୪ କୋଟି ଟଙ୍କା ହୋଇଛି। ରାଜ୍ୟରେ ୧୯ଟି ଏୟାରଷ୍ଟ୍ରିପ୍, ୧୬ ହେଲିପ୍ୟାଡ୍ ଓ ଦୁଇଟି ବଡ଼ ବିମାନ ବନ୍ଦର ରହିଛି।

ଶିଳ୍ପକୁ ଖଣିର ଅବଦାନ ଅଧିକ
ଭୁବନେଶ୍ବର: ବିଗତ ସାତ ବର୍ଷ ଭିତରେ ଶିଳ୍ପ କ୍ଷେତ୍ରର ହାରାହାରି ଅଭିବୃଦ୍ଧି ହାର ୯% ରହିଛି। ୨୦୧୮-୧୯ରେ ଏହି କ୍ଷେତ୍ର ୯.୩% ହାରରେ ଆଗକୁ ବଢ଼ିବ ବୋଲି ଆକଳନ କରାଯାଇଛି। ଶିଳ୍ପକୁ ଖଣି କ୍ଷେତ୍ରର ଅବଦାନ ସର୍ବାଧିକ ରହିଛି। ୨୦୦୩ରୁ ୨୦୦୯ ମଧ୍ୟରେ ସର୍ବାଧିକ ଶିଳ୍ପ ବିକାଶ ହୋଇଥିଲା। ଖଣି ଓ ମାନୁଫାକ୍‌ଚରିଂ କ୍ଷେତ୍ରର ବିକାଶ ଯୋଗୁ ତାହା ସମ୍ଭବ ହୋଇଥିଲା। ମାନୁଫାକ୍‌ଚରିଂ କ୍ଷେତ୍ର ଦୁଇ ଅଙ୍କ ବିଶିଷ୍ଟ ହାରରେ ଆଗକୁ ବଢ଼ୁଛି। ୨୦୧୨-୧୩ ପରଠାରୁ ମାନୁଫାକ୍‌ଚରିଂ କ୍ଷେତ୍ରର ହାରାହାରି ଅଭିବୃଦ୍ଧି ୧୧.୨% ରହିଥିବା ବେଳେ ଖଣି ଅଭିବୃଦ୍ଧି ୧୦.୭% ରହିଛି।

ସେବା କ୍ଷେତ୍ରରେ ୨୪.୮% ଲୋକ କାମ କରୁଛନ୍ତି
ଭୁବନେଶ୍ବର: ‌ରାଜ୍ୟର ମୋଟ ଘରୋଇ ଉତ୍ପାଦକୁ ସେବା କ୍ଷେତ୍ରର ଅବଦାନ ସର୍ବାଧିକ ରହିଛି। ରାଜ୍ୟର ୨୪.୮% ଶ୍ରମ ଶକ୍ତି ଏହି କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି। ଲୋକମାନଙ୍କ ଆୟରେ ବୃଦ୍ଧି ହୋଇଥିବାରୁ ବ୍ୟାଙ୍କ, ପର୍ଯ୍ୟଟନ, ପରିବହନ, ଯୋଗାଯୋଗ ଓ ବାଣିଜ୍ୟର ଚାହିଦା ବଢ଼ିଛି। ୨୦୧୭ ସୁଦ୍ଧା ରାଜ୍ୟର ମୋଟ ହୋଟେଲ୍ ଓ ରେସ୍ତୋରାଁ ସଂଖ୍ୟା ୧୮୫୮କୁ ବୃଦ୍ଧି ପାଇଛି। ପର୍ଯ୍ୟଟକଙ୍କ ପାଇଁ ରାଜ୍ୟରେ ୩୮,୭୬୫ ହୋଟେଲ୍ କୋଠରି ଓ ୭୭,୩୫୪ ଶଯ୍ୟା ରହିଛି। ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ତୁଳନାରେ ସ୍ଥାନୀୟ ପର୍ଯ୍ୟଟକ ଅଧିକ ଆସିଛନ୍ତି। ବିଦେଶୀ ପର୍ଯ୍ୟଟକମାନେ ହାରାହାରି ୧୧ ଦିନ ରହୁଥିବା ବେଳେ ମୁଣ୍ଡପିଛା ୪୧୬୭ ଟଙ୍କା ଖର୍ଚ କରନ୍ତି।

ସମ୍ବନ୍ଧିତ ଖବର