ଜାଣିଶୁଣି ସ୍ପାମ ଆକାଉଣ୍ଟର ତଥ୍ୟ ଲୁଚାଉଛି ଟ୍ବିଟର, ଡିଲ୍ ବାତିଲ କରିବାକୁ ପ୍ରସ୍ତୁତ ହେଲେଣି ମସ୍କ !

ନୂଆଦିଲ୍ଲୀ: ଟ୍ବିଟର ଡିଲ୍ ବାତିଲ କରିପାରନ୍ତି ଟେସଲାର ସିଇଓ ଏଲନ୍ ମସ୍କ। ଟ୍ୱିଟର ଜାଣିଶୁଣି ସ୍ପାମ ଆକାଉଣ୍ଟର ତଥ୍ୟ ଲୁଚାଉଛି ବୋଲି ଅଭିଯୋଗ କରିବା ସହ ମସ୍କ ଏବେ ଏହି ଡିଲକୁୁ ବାତିଲ କରିବାର‌ ଯୋଜନା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ମସ୍କଙ୍କୁ ସ୍ପାମ୍ ଏବଂ ନକଲି ଆକାଉଣ୍ଟର ରିପୋର୍ଟ ନଦେଇ ଟ୍ୱିଟର ଚୁକ୍ତିନାମାର ନିୟମକୁ ଉଲ୍ଲଂଘନ କରୁଛି। ଯଦି ଟ୍ବିଟର ରିପୋର୍ଟ ଦାଖଲ କରିବାରେ ବିଫଳ ହୁଏ, ତେବେ ମସ୍କ ଟ୍ବିଟର କିଣିବେ ନାହିଁ ବୋଲି ସୋମବାର ଏକ ଚିଠି ଲେଖି ଟ୍ବିଟରକୁ ସ୍ପଷ୍ଟ କରିଛନ୍ତି।

ଏହା ପୂର୍ବରୁ ମଧ୍ୟ ମସ୍କ ଟ୍ବିଟରକୁ ତାଗିଦ୍ କରିସାରିଛନ୍ତି। ଗତ ମାସରେ ମସ୍କ ସ୍ପଷ୍ଟ କରିଥିଲେ ଯେ, ଟ୍ବିଟରରେ ସ୍ପାମ ଆକାଉଣ୍ଟର ସଂଖ୍ୟା ୫ ପ୍ରତିଶତରୁ କମ୍ ନହେବା ପର୍ଯ୍ୟନ୍ତ ଟ୍ୱିଟର ଡିଲକୁ ଆଗକୁ ନେବେ ନାହିଁ। ମସ୍କ ଟ୍ବିଟରରେ ୨୦% ସ୍ପାମ ବଟ୍ସ ରହିଥିବାର ଦାବି କରି ଏହି ପ୍ରତିଶତ କମ ହେବା ପରେ ହିଁ ସେ ଟ୍ବିଟର କିଣିବେ ବୋଲି ସର୍ତ୍ତ ରଖିଥିଲେ।

indiatoday

ଟ୍ବିଟର୍‌ ପକ୍ଷରୁ ନିୟାମକ ସଂସ୍ଥାଙ୍କୁ ଦିଆଯାଉଥିବା ତଥ୍ୟରେ ଉଲ୍ଲେଖ କରାଯାଇଥିଲା ଯେ ୨୦୧୩ ପରଠାରୁ କ୍ରମାଗତ ଭାବେ ନକଲି ଆକାଉଣ୍ଟ୍‌ ପରିମାଣ ୫%ରୁ କମ୍ ରହୁଛି। ଏବେ କାହିଁକି ମସ୍କ ତାହାକୁ ଏକ ପ୍ରସଙ୍ଗ କରିଛନ୍ତି ତାହା ବୁଝାପଡ଼ୁନାହିଁ। କେବଳ ଟ୍ବିଟର୍‌ ସେୟାର ମୂଲ୍ୟକୁ ‌ଯେକୌଣସି ପ୍ରକାରରେ ଆହୁରି ତଳକୁ ଖସାଇ କମ୍ ଦାମ୍‌ରେ ତାହାକୁ ଅଧିଗ୍ରହଣ କରିବା ଲାଗି ମସ୍କଙ୍କ ଏହା ଯୋଜନା ହୋଇଥା‌ଇପାରେ ବୋଲି ମଧ୍ୟ କିଛି ବିଶେଷଜ୍ଞ କହୁଛନ୍ତି। ଟ୍ବିଟର୍ ମସ୍କଙ୍କ ମାଲିକାନାକୁ ଯିବ ନା ନାହିଁ ତାହା ଆଗାମୀ ଦିନରେ ଜଣାପଡ଼ିବ। କିନ୍ତୁ ଯଦି ସେ ଏହି ବୁଝାମଣା ରଦ୍ଦ କରିବେ ତେବେ ସେ ଟ୍ବିଟର୍‌କୁ ୧୦୦ କୋଟି ଡଲାର କ୍ଷତିପୂରଣ ଦେବେ। ବୁଝାମଣା‌ର ସର୍ତ୍ତାବଳୀରେ ତାହା ସ୍ପଷ୍ଟ ଉଲ୍ଲେଖ ରହିଛି। ଚୁକ୍ତି ଅନୁସାରେ ଟ୍ବିଟର୍‌କୁ କିଣିବା ଲାଗି ମସ୍କଙ୍କୁ ଜଣେ ବିଚାରପତି ବାଧ୍ୟ ବି କରିପାରିବେ।

ସମ୍ବନ୍ଧିତ ଖବର