ମହାପୁରୁଷ ମହମ୍ମଦଙ୍କ ସଂପର୍କରେ ବିବାଦୀୟ ମନ୍ତବ୍ୟ ପାଇଁ ନୂପୁର ଶର୍ମାଙ୍କୁ ସମନ ଜାରି କରିବ ମୁମ୍ବାଇ ପୁଲିସ!

ମୁମ୍ବାଇ: ମହାପୁରୁଷ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ମୁମ୍ବାଇ ପୁଲିସ ନିଲମ୍ବିତ ବିଜେପି ନେତା ତଥା ମୁଖପାତ୍ର ନୂପୁର ଶର୍ମାଙ୍କୁ ସମନ ପଠାଇବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ଜାଣିବାକୁ ମିଳିଛି।
ରିପୋର୍ଟରୁ ପ୍ରକାଶ, ଦକ୍ଷିଣ ମୁମ୍ବାଇର ପିଧୋନି ପୁଲିସ ପୂର୍ବରୁ ରଜା ଏକାଡେମୀର ମୁମ୍ବାଇ ୱିଙ୍ଗର ଯୁଗ୍ମ ସଚିବ ଇରଫାନ ଶେଖଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ନୁପୂର ଶର୍ମାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା।

ଶେଖ ତାଙ୍କ ଅଭିଯୋଗ କରିଥିଲେ ଯେ ସେ ଏକ ଟ୍ଵିିଟର ଲିଙ୍କ୍‌ ସହିତ ଏକ ବାର୍ତ୍ତା ପାଇଛନ୍ତି ଯେଉଁଥିରେ ଏକ ଟେଲିଭିଜନ୍‌ ବିତର୍କର ଭିଡିଓ କ୍ଲିପ୍‌ ରହିଛି। ଉକ୍ତ ଭିଡିଓ କ୍ଲିପ୍‌ରେ ନୂପୁର ଶର୍ମା ମହାପୁରୁଷ ମହମ୍ମଦ ଏବଂ ତାଙ୍କ ପତ୍ନୀ ଆୟେଶାଙ୍କ ବିରୋଧରେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି; ଯେଉଁମାନେକି ମୁସଲମାନମାନଙ୍କ ଆରାଧ୍ୟ ରୂପେ ପୂଜା ପାଆନ୍ତି।

ବିଜେପିର ପ୍ରବକ୍ତା ଥିବା ନୂପୁର ଶର୍ମାଙ୍କ ଏହି ବୟାନକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହେବାପରେ ରବିବାର ଦିନ ବିଜେପି ନୂପୁରଙ୍କ ଠାରୁ ନିଜକୁ ଦୂରେଇ ରଖି ତାଙ୍କୁ ଦଳରୁ ନିଲମ୍ବିତ କରିଛି।

ଇତିମଧ୍ୟରେ ଇରାନ, କୁଏତ, କାତାର ଏବଂ ପାକିସ୍ତାନ ସମେତ ଅନେକ ଦେଶ ବିଜେପି ନେତାଙ୍କ ଏହି ବିବାଦୀୟ ତଥା ଅଶାଳୀନ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର