ସୁଲଭ ବାସଗୃହ ପାଇଁ ମିଳିବ ଅଧିକ ଋଣ

ମୁମ୍ବାଇ: ସୁଲଭ ବାସଗୃହ ପାଇଁ ଋଣ ସୀମାକୁ ବଢ଼ାଇ ଦିଆଯାଇଛି। ମେଟ୍ରୋ ସହରଗୁଡ଼ିକ ପାଇଁ ଗୃହ ଋଣ ସୀମାକୁ ୨୮ ଲକ୍ଷ ଟଙ୍କାରୁ ବଢ଼ାଇ ୩୫ ଲକ୍ଷ ଟଙ୍କା କରାଯାଇଛି। ସେହିପରି ଅନ୍ୟ ସ୍ଥାନଗୁଡ଼ିକ ପାଇଁ ଋଣର ଏହି ସୀମାକୁ ୨୦ ଲକ୍ଷ ଟଙ୍କାରୁ ବଢ଼ାଇ ୨୫ ଲକ୍ଷ ଟଙ୍କା କରାଯାଇଛି। ଅଗ୍ରାଧିକାର କ୍ଷେତ୍ରରେ ପ୍ରଦାନ କରାଯାଉଥିବା ଗୃହ ଋଣ ପାଇଁ ଏହି ସୀମା ବୃଦ୍ଧି କରାଯାଇଛି।ମେଟ୍ରୋ ସହରଗୁଡ଼ିକରେ ବାସଗୃହ ନିର୍ମାଣର ମୋଟ ଖର୍ଚ ୪୫ ଲକ୍ଷ ଟଙ୍କା ଓ ଅନ୍ୟ କେନ୍ଦ୍ରଗୁଡ଼ିକରେ ତାହା ୩୦ ଲକ୍ଷ ଟଙ୍କାରୁ ଅଧିକ ହୋଇପାରିବ ନାହିଁ। ଅଗ୍ରାଧିକାରୀ କ୍ଷେତ୍ରରେ ପ୍ରଦାନ କରାଯାଉଥିବା ଗୃହ ଋଣ ସୀମା ବୃଦ୍ଧି କରାଯାଇଥିବାରୁ ଏଭଳି ବ୍ୟାଙ୍କ ଋଣ ସୁବିଧାରେ ମିଳିପାରିବ ବୋଲି ଆର୍ଥିକ ସେବା ସଚିବ ରାଜୀବ କୁମାର କହିଛନ୍ତି। ସାଧାରଣ ବାସଗୃହ ଋଣ ତୁଳନାରେ ଅଗ୍ରାଧିକାର କ୍ଷେତ୍ରରେ ପ୍ରଦାନ କରାଯାଉଥିବା ଗୃହ ଋଣର ସୁଧ କମ୍‌ ରହିଥାଏ। ରୁଗ୍‌ଣ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ)ଗୁଡ଼ିକର ବଳକା ଜମିକୁ ସୁଲଭ ବାସଗୃହ ପ୍ରକଳ୍ପ ନିର୍ମାଣ ବାବଦରେ ବ୍ୟବହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି)ରେ ବାସଗୃହ ପ୍ରକଳ୍ପର ଗ୍ରାହକମାନଙ୍କୁ କ୍ରେଡିଟର୍‌ ବୋଲି ବିଚାର କରିବା ପାଇଁ ଯେଉଁ ଅଧ୍ୟାଦେଶ ଜାରି କରାଯାଇଥିଲା ସେଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ଲଗାଇଛନ୍ତି।

ସମ୍ବନ୍ଧିତ ଖବର