କରୋନା ମୃତ୍ୟୁକୁ ନେଇ ମନରେ ଭୟ: ଇଚ୍ଛାପତ୍ର ଲେଖିବାକୁ ଭିଡ଼, ପୁରୁଣା ଇଚ୍ଛାପତ୍ରରେ ହେଉଛି ପରିବର୍ତ୍ତନ

ଅଧିକ ସମ୍ପତ୍ତି ଥିବା ଲୋକ ବେଶି ଚିନ୍ତିତ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହରରେ ମୃତ୍ୟୁ ସଂଖ୍ୟା ଅଧିକ ରହୁଥିବାରୁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଅନେକ କାମ ଆଗୁଆ କରିବାକୁ ମନ ସ୍ଥିର କରିଛନ୍ତି। ଦେଶରେ ଇଚ୍ଛାପତ୍ର ଲେଖିବା ଲୋକଙ୍କ ସଂଖ୍ୟା ଇତି ମଧ୍ୟରେ ବହୁତ ବଢ଼ିଥିବା ଜଣାପଡ଼ିଛି। ଯେଉଁମାନଙ୍କ ପାଖରେ ବିପୁଳ ପରିମାଣର ସମ୍ପତ୍ତି ଅଛି ତାହାର ଭାଗବଣ୍ଟାରେ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ‌‌ଯେଳଭି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ତାହାକୁ ନିଶ୍ଚିତ କରିବା ଲାଗି ଆଗୁଆ ଇଚ୍ଛାପତ୍ର ତିଆରି କରୁଛନ୍ତି। ମୁମ୍ବାଇର ଏକ କଂପାନିର ଜଣେ ପ୍ରତିଷ୍ଠାତା ନିଜର ଇଚ୍ଛାପତ୍ରରେ ପରିବର୍ତ୍ତନ କରିଛନ୍ତି। ନିଜ ପତ୍ନୀଙ୍କ ନାମରେ କିଛି ସମ୍ପତ୍ତି କରିଥିବା ବେଳେ ସନ୍ତାନମାନଙ୍କୁ ଅନ୍ୟ ସବୁ ସମ୍ପତ୍ତି ଦେଇଛନ୍ତି। କରୋନାରେ ଯେଉଁଭଳି ଭାବେ ଲୋକଙ୍କ ଅକସ୍ମାତ ମୃତ୍ୟୁ ହେଉଛି ତାହାକୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଦିଲ୍ଲୀର ଆଉ ଜଣେ ବ୍ୟବସାୟୀ ଭାରତରେ ଥିବା ସମ୍ପତ୍ତି ପାଇଁ ଇଚ୍ଛାପତ୍ର ପ୍ରସ୍ତୁତ କରିସାରିବା ପରେ ଏବେ ନିଜର ବ୍ରିଟେନ୍‌ରେ ଥିବା ସମ୍ପତ୍ତି ପାଇଁ ଇଚ୍ଛାପତ୍ର ତିଆରି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସେଥିପାଇଁ ସେ ବ୍ରିଟେନ୍‌ର ଆଇନଜୀବୀଙ୍କୁ ‌ଯୋଗାଯୋଗ କରିଛନ୍ତି।

ଭାରତରେ ସମ୍ପତ୍ତି କିଣିଥିବା ଜଣେ ଆମେରିକୀୟ ଏଠାକାର ଟିକସ ବ୍ୟବସ୍ଥା ବିଷୟ‌ରେ ପଚାରି ବୁଝିଛନ୍ତି। ତାଙ୍କ ପରିବାର ବର୍ଗ ଯେଭଳି ସମ୍ପତ୍ତିର ମାଲିକାନା ପାଇପାରିବେ ସେଥିପାଇଁ ବ୍ୟବସ୍ଥା କରୁଛନ୍ତି। ସେଥିପାଇଁ ସେ ଉଭୟ ଭାରତ ଓ ଆମେରିକାରେ ଥିବା ନିୟମ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେହି ଅନୁସାରେ ସେ ନିଜର ଇଚ୍ଛାପତ୍ର ପ୍ରସ୍ତୁତ କରିବେ। ନୂଆ ଇଚ୍ଛାପତ୍ର ତିଆରି କରିବା ଓ ପୁରୁଣାରେ ପରିବର୍ତ୍ତନ ଆଣିବା ଲାଗି ଅନେକ ଆବେଦନ ଆଇନ ସେବା ପ୍ରଦନ କରୁଥିବା ସଂସ୍ଥା ଓ ଆଇନଜୀବୀଙ୍କ ପାଖରେ ପହଞ୍ଚୁଛି। କେବଳ କରୋନା ଜନିତ ମୃତ୍ୟୁ ନୁହେଁ ବ୍ୟବସାୟରେ ଅବନତିକୁ ଦୃଷ୍ଟିରେ ରଖି ଧନୀ ଭାରତୀୟମାନେ ନିଜ ସମ୍ପର୍କୀୟଙ୍କ ସୁରକ୍ଷା ଲାଗି ଆଗୁଆ ଇଚ୍ଛାପତ୍ର ପ୍ରସ୍ତୁତ କରୁଛନ୍ତି। ଇଚ୍ଛାପତ୍ର ପ୍ରସ୍ତୁତ କରୁଥିବା ମୁମ୍ବାଇର ଏକ ସଂସ୍ଥା ୱିଲ୍‌ଜିନି ପାଖରେ ୨୦୧୯-୨୦ରେ ୧୫,୬୦୦ ଅନୁସନ୍ଧାନ ପହଞ୍ଚିଥିଲା।

୨୦୨୦-୨୧ରେ ସେହି ସଂଖ୍ୟା ୪୦୦% ବୃଦ୍ଧି ପାଇ ୫୮,୦୦୦‌ରେ ପହଞ୍ଚିଛି। ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ୪୦ ଦିନରେ ସଂସ୍ଥା ପାଖରେ ୧୯,୫୦୦ ଅନୁସନ୍ଧାନ ପହଞ୍ଚିଛି। ସ୍ଥାବର, ଅସ୍ଥାବର ସମ୍ପତ୍ତି ଠାରୁ ଆରମ୍ଭ କରି ବହୁମୂଲ୍ୟ ଚିତ୍ରକଳା, ବ୍ୟାଙ୍କ ଜମା ଆଦିକୁ ନେଇ ଲୋକମାନେ ଇଚ୍ଛାପତ୍ର ଲେଖିବାକୁ ଚାହୁଛନ୍ତି। ଅଧିକ ସମ୍ପତ୍ତି ଥିବା ଲୋକମାନେ ବେଶି ଚିନ୍ତିତ ଅଛନ୍ତି। ସେମାନେ ଶୀଘ୍ର ଇଚ୍ଛାପତ୍ର ପ୍ରସ୍ତୁତ କରିବାକୁ ଚାହୁଛନ୍ତି।

ସମ୍ବନ୍ଧିତ ଖବର