ଫୋର୍ବସ ଇଣ୍ଡିଆର ଧନୀ ଭାରତୀୟ ତାଲିକା: ଆଦାନି ପ୍ରଥମ, ଅମ୍ବାନି ଦ୍ବିତୀୟ

ନୂଆଦିଲ୍ଲୀ: ଫୋର୍ବସ ଇଣ୍ଡିଆ ପକ୍ଷରୁ ଆଜି ଭାରତର ଶୀର୍ଷ ୧୦୦ ଧନୀ ଭାରତୀୟଙ୍କ ତାଲିକା ପ୍ରକାଶ କରାଯାଇଛି। ଏଥିରେ ଆଦାନି ଗ୍ରୁପ୍‌ ମୁଖ୍ୟ ଗୌତମ ଆଦାନି ପ୍ରଥମ ସ୍ଥାନରେ ଥିବାବେଳେ ଦ୍ବିତୀୟ ସ୍ଥାନରେ ମୁକେଶ ଅମ୍ବାନି ଅଛନ୍ତି। ଚଳିତବର୍ଷ ଭାରତର ୧୦୦ ଶୀର୍ଷ ଧନୀଙ୍କ ସଂପତ୍ତି ୨୫ ବିଲିଅନ ଡଲାର ବୃଦ୍ଧି ଘଟି ୮୦୦ ବିଲିଅନ ଡଲାର ଛୁଇଁଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୧୦ ପ୍ରତିଶତ ହ୍ରାସ ସତ୍ତ୍ବେ ଧନୀମାନଙ୍କ ସଂପତ୍ତିରେ ବୃଦ୍ଧି ଘଟିଛି। ସେହିଭଳି ଟପ୍‌ ଟେନ୍‌ ଧନୀଙ୍କ ମୋଟ ସଂପତ୍ତି ୩୮୫ ବିଲିଅନ ଡଲାର ରହିଛି।

୧.୯ ବିଲିଅନ ଡଲାର କିମ୍ବା ତାଠାରୁ ଅଧିକ ସଂପତ୍ତି ଥିବା ବ୍ୟକ୍ତିମାନଙ୍କୁ ଉକ୍ତ ତାଲିକାରେ ରଖାଯାଇଛି। ଗୌତମ ଆଦାନିଙ୍କ ନିଟ ସଂପତ୍ତି ୧୨,୧୧,୪୬୦.୧୧ କୋଟି ଟଙ୍କା ରହିଛି। ୨୦୨୧ରେ ତାଙ୍କ ସଂପତ୍ତି ୩ ଗୁଣା ବୃଦ୍ଧି ପାଇଛି ଏବଂ ୨୦୨୨ରେ ପ୍ରଥମ ଥର ପାଇଁ ସେ ଭାରତର ଶୀର୍ଷ ଧନୀ ବ୍ୟକ୍ତିରେ ପରିଣତ ହୋଇଛନ୍ତି।

‌ଅନ୍ୟପକ୍ଷରେ ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନିଙ୍କ ସଂପତ୍ତି ରାଶି ୭,୧୦,୭୨୩.୨୬ କୋଟି ଟଙ୍କା ରହିଛି ଏବଂ ୨୦୧୩ ମସିହାଠାରୁ ପ୍ରଥମ ଥର ଲାଗି ସେ ପ୍ରଥମ ସ୍ଥାନରୁ ଖସି ଦ୍ବିତୀୟ ସ୍ଥାନକୁ ଆସିଛନ୍ତି। ତୃତୀୟ ସ୍ଥାନରେ ଡିମାର୍ଟ ମୁଖ୍ୟ ରାଧାକୃଷ୍ଣ ଡମାନି ରହିଛନ୍ତି। ତାଙ୍କର ନିଟ୍‌ ସଂପତ୍ତି ୨,୨୨,୯୦୮.୬୬ କୋଟି ଟଙ୍କା ରହିଛି। ୨୦୦୨ ମସିହାରେ ଗୋଟିଏ ଡିମାର୍ଟ ଷ୍ଟୋରରୁ ବ୍ୟବସାୟ ଆରମ୍ଭ କରିଥିବା ଡମାନିଙ୍କ ଷ୍ଟୋର ସଂଖ୍ୟା ଏବେ ୨୭୧ରେ ପହଞ୍ଚିଛି। ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ସାଇରସ ପୁନାୱାଲା ଚତୁର୍ଥ ସ୍ଥାନରେ ରହିଛନ୍ତି। ତାଙ୍କର ନିଟ ସଂପତ୍ତି ୧,୭୩,୬୪୨.୪୨ କୋଟି ଟଙ୍କା ରହିଛି। ପଞ୍ଚମ ସ୍ଥାନରେ ଏଚସିଏଲର ସେବାନିବୃତ୍ତ ଅଧ୍ୟକ୍ଷ ଶିବ ନାଦର ରହିଛନ୍ତି। ତାଙ୍କର ନିଟ୍‌ ସଂପତ୍ତି ୧,୭୨,୮୩୪.୯୭ କୋଟି ଟଙ୍କା ରହିଛି।

ଷଷ୍ଠ ସ୍ଥାନରେ ଓପି ଜିନ୍ଦଲ ଗ୍ରୁପର ସେବାନିବୃତ୍ତ ଅଧ୍ୟକ୍ଷା ସାବିତ୍ରୀ ଜିନ୍ଦଲ ଅଛନ୍ତି। ତାଙ୍କର ସଂପତ୍ତି ୧,୩୨,୪୫୨.୯୭ କୋଟି ଟଙ୍କା । ଏମାନଙ୍କ ପଛକୁ ଯଥାକ୍ରମେ ସନ ଫାର୍ମାସ୍ୟୁଟିକାଲ୍ସର ପ୍ରତିଷ୍ଠାତା ଦିଲୀପ ସାଂଘଭି (୧,୨୫,୧୮୪.୨୧ କୋଟି ଟଙ୍କା), ହିନ୍ଦୁଜା ଭ୍ରାତା (୧,୨୨,୭୬୧.୨୯ କୋଟି), ବଜାଜ ପରିବାର (୧,୧୭,୯୧୫.୪୫ କୋଟି ଟଙ୍କା) ରହିଛନ୍ତି। ଏବର୍ଷ ୯ ଜଣ ନୂଆ ମୁହଁ ୧୦୦ ଧନୀଙ୍କ ଭିତରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଫାଲଗୁନି ନାୟାର, ରବି ମୋଦୀ, ରଫିକ ମଲିକ ଆଦି ରହିଛନ୍ତି।

ସମ୍ବନ୍ଧିତ ଖବର