ନିବେଶ ବଢ଼ାଇଲେ ବିଦେଶୀ ନିବେଶକ: ୭ ଦିନରେ ୧୪ ହଜାର କୋଟି ନିବେଶ କଲେ

ମୁମ୍ବାଇ: ଆମେରିକୀୟ ଡଲାର ଶକ୍ତିଶାଳୀ ହେବା ପରେ ଭାରତୀୟ ଷ୍ଟକ ବଜାରରୁ ମୁହଁ ଫେରାଇ ନେଇଥିବା ବିଦେଶୀ ନିବେଶକମାନେ ଜୁଲାଇ ମାସ ଶେଷ ସପ୍ତାହରୁ ପୁଣି ଫେରିଛନ୍ତି। ଜୁଲାଇ ମାସର ଶେଷ ଦିନଗୁଡ଼ିକରେ ସେମାନେ ଷ୍ଟକ ବଜାରରେ ୫,୦୦୦ କୋଟି ଟଙ୍କା ନିବେଶ କରିଥିଲେ। ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ବିଦେଶୀ ନିବେଶକମାନେ ନିବେଶ ୧୪ ହଜାର କୋଟି ଟଙ୍କା ନିବେଶ କରିଛନ୍ତି। ୨୦୨୧ ଅକ୍ଟୋବର ପରଠାରୁ ବିଦେଶୀ ନିବେଶକମାନେ ଭାରତୀୟ ସେୟାରକୁ ବିକ୍ରି କରି ପାଣ୍ଠି ପ୍ରତ୍ୟାହାର କରିବା ଆରମ୍ଭ କରିଥିଲେ। ଲଗାତାର ୯ ମାସ ପର୍ଯ୍ୟନ୍ତ ସେହି ଧାରା ଜାରି ରହିଥିଲା। ଏହି ସମୟ ଭିତରେ ସେମାନେ ପ୍ରାୟ ୨.୪୬ ଲକ୍ଷ କୋଟି ଟଙ୍କାର ଇକ୍ବିଟି ସେୟାର ବିକ୍ରି କରିଥିଲେ। ଜୁନ୍ ମାସ ସବୁଠୁ ଖରାପ ସମୟ ସାବ୍ୟସ୍ତ ହୋଇଥିଲା। ଏହି ମାସରେ ବିଦେଶୀ ନିବେଶକମାନେ ପ୍ରାୟ ୪୫ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। ଡଲାର ତୁଳନାରେ ଏହି ମାସରେ ଟଙ୍କା ମୂଲ୍ୟ ଏହାର ସର୍ବନିମ୍ନ ସ୍ତରକୁ ଖସିଯାଇଥିଲା ଓ ଅଧିକାଂଶ ସମୟ ‌୮୦ ଟଙ୍କା ପାଖାପାଖି ସ୍ତରରେ ରହିଥିଲା।

ଦରଦାମ୍ ସ୍ଥିତିର ମୁକାବିଲା ଲାଗି ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭର ଅଧ୍ୟକ୍ଷ ଜେରୋମି ପାୱେଲ୍ ସୁଧ ବଢ଼ାଇବା ପରେ ସାରା ବିଶ୍ବର ଷ୍ଟକ ବଜାର ଅଧିକ ଅସ୍ଥିର ହୋଇଥିଲା। ଆମେରିକା ଅର୍ଥନୀତି ମାନ୍ଦାବସ୍ଥା କବଳରେ ପଡ଼ିଥିବା ଆଶଙ୍କା ସୃଷ୍ଟି ହୋଇଥିଲା‌। ସେହି ଆଶଙ୍କାକୁ ପାୱେଲ ଖଣ୍ଡନ କରିବା ପରେ ଷ୍ଟକ ବଜାର କାରବାରରେ ସ୍ଥିରତା ଫେରିଥିଲା। ଏବେ ଷ୍ଟକ ବଜାରରେ ଯେଉଁ ସୁଧାର ଦେଖାଦେଇଛି ସେଥିରେ କିଛି ଭଲ କଂପାନିର ସେୟ‌ାର ସୁଲଭ ମୂଲ୍ୟରେ ମିଳୁଛି। ସେଗୁଡ଼ିକୁ କିଣିବା ସୁଯୋଗକୁ ବିଦେଶୀ ନିବେଶକମାନେ ହାତ ଛଡ଼ା କରିବାକୁ ଚାହୁନାହାନ୍ତି। ସେମାନେ କ୍ୟାପିଟାଲ୍‌ ଗୁଡ୍‌ସ, ଏଫ୍ଏମ୍‌ସିଜି, କନଷ୍ଟ୍ରକ୍ସନ ଓ ଶକ୍ତି କଂପାନିର ସେୟାର ଅଧିକ କିଣୁଛନ୍ତି। ଉତ୍ସବ ଋତୁରେ ଏହି ସଂସ୍ଥାଗୁଡ଼ିକ ଭଲ ପ୍ରଦର୍ଶନ କରିବାର ସମ୍ଭାବନା ରହିଥିବା ବେଳେ ଭିତ୍ତିଭୂମି ବିକାଶ ଯୋଗୁଁ କନଷ୍ଟ୍ରକ୍ସନ କଂପାନିଗୁଡ଼ିକ ଉପକୃତ ହେବେ।

ସମ୍ବନ୍ଧିତ ଖବର