ଫ୍ରିଡମ୍‌ ବ୍ରାଣ୍ଡ୍‌ର ଖାଇବା ତେଲ ବିକ୍ରି କରୁଥିବା ସଂସ୍ଥା ‘ଜେମିନି ଏଡିବଲସ୍‌ ଆଣ୍ଡ୍‌ ଫ୍ୟାଟସ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌’ର ଉପସଭାପତି-ବିକ୍ରି ଏବଂ ମାର୍କେଟିଂ ପି ଚନ୍ଦ୍ରଶେଖର ରେଡ୍ଡିଙ୍କ ସାକ୍ଷାତକାରକୁ ଏଠାରେ ଉପସ୍ଥାପନ କରାଯାଇଛି
ଓଡ଼ିଶାର ଖାଇବା ତେଲ ବଜାର କେତେ ବଡ଼?
ଓଡ଼ିଶାରେ ବିଶେଷ କରି ପାମୋଲିନ୍‌, ସନ୍‌ଫ୍ଲାଓ୍ଵାର, ସୋରିଷ ଏବଂ ରାଇସ୍‌ ବ୍ରାନ୍‌ ତେଲ ଅଧିକ ବିକ୍ରି ହୁଏ। ମାସକୁ ଏଠାରେ ୫୦ ହଜାର ଟନ୍‌ରୁ ଅଧିକ ଖାଇବା ତେଲ ବିକ୍ରି ହେଉଛି। ସେଥି ମଧ୍ୟରୁ ଅଧା ଅର୍ଥାତ ୨୫-୩୦ ହଜାର ଟନ୍‌ ପାମୋଲିନ୍‌ ତେଲ ବିକ୍ରି ହେଉଛି। ୧୫ ହଜାର ଟନ୍‌ ପାଖାପାଖି ସୋରିଷ ତେଲ ବିକ୍ରି ହେଉଥିବା ବେଳେ ୬୦୦୦ ଟନ୍‌ର ସନ୍‌ଫ୍ଲାଓ୍ଵାର ତେଲ ବିକ୍ରି ହେଉଛି।
ବଜାରରେ ଆପଣଙ୍କ କଂପାନିର ପ୍ରଦର୍ଶନ କିଭଳି?
ଖାଇବା ତେଲ ଶିଳ୍ପର ଅଭିବୃଦ୍ଧି ୫% ସ୍ତରରେ ରହିଥିବା ବେଳେ ପ୍ୟାକେଟ୍‌ରେ ବିକ୍ରି ହେଉଥିବା ଖାଇବା ତେଲ ବଜାର ୧୫% ହାରରେ ଆଗକୁ ବଢ଼ୁଛି। ଓଡ଼ିଶାରେ ଆମର ଅଭିବୃଦ୍ଧି ମଧ୍ୟ ୧୫%ରୁ ଅଧିକ ରହିଛି। ରାଜ୍ୟର ୫୦%ରୁ ଅଧିକ ସନ୍‌ଫ୍ଲାଓ୍ଵାର ବଜାର ଆମ କବ୍‌ଜାରେ ରହିଛି।
ଭାରତର ଖାଇବା ତେଲ ଆବଶ୍ୟକତା କେତେ? ତେଲ କେଉଁଠାରୁ ଆସୁଛି?
ଭାରତର ବାର୍ଷିକ ଖାଇବା ତେଲ ଆବଶ୍ୟକତା ହେଉଛି ୧୮ ନିୟୁତ ଟନ୍‌। ସେଥି ମଧ୍ୟରୁ ଦୁଇ ତୃତୀୟାଂଶ ଅର୍ଥାତ ୧୨ ନିୟୁତ ଟନ୍‌ ଆମଦାନି କରାଯାଇଥାଏ। ଇଣ୍ଡୋନେସିଆ, ମାଲେସିଆ, ରୁଷିଆ, ୟୁକ୍ରେନ୍‌ ଏବଂ ବ୍ରାଜିଲ୍‌ ଭଳି ଦେଶରୁ ବିଭିନ୍ନ ପ୍ରକାର ଖାଇବା ତେଲ ଆମଦାନି କରାଯାଏ। ଏହା ବ୍ୟତୀତ ଦେଶ ଭିତରେ ଖାଇବା ତେଲ ଉତ୍ପାଦନରେ ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନ ଭଳି ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରୁଛନ୍ତି।
ମୁଣ୍ଡପିଛା ଖାଇବା ତେଲ ବ୍ୟବହାର କେଉଁ ସ୍ତରରେ ରହିଛି?
ଭାରତରେ ମୁଣ୍ଡପିଛା ଖାଇବା ତେଲ ବ୍ୟବହାର ପରିମାଣ ୧୬ କେଜି ରହିଛି। ଆମେରିକା ଏବଂ ଚୀନ୍‌ଠାରୁ ଭାରତ ପଛରେ ରହିଛି। ଚୀନ୍‌ର ମୁଣ୍ଡପିଛା ଖାଇବା ତେଲ ବ୍ୟବହାର ପରିମାଣ ୨୧ କେଜି ରହିଛି।
ଓଡ଼ିଶା ପାଇଁ କଂପାନିର କ’ଣ ଯୋଜନା ରହିଛି?
ଆମର କଟକ ଜଗତପୁରଠାରେ ମାସିକ ୩୦୦୦ ଟନ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ସୋରିଷ ତେଲ କାରଖାନା ରହିଛି। ଧାମରା ବନ୍ଦର ନିକଟରେ ଆମେ ଏକ ବଡ଼ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛୁ। ଆମେ ସେଠାରେ ଜମି ସନ୍ଧାନ କରୁଛୁ। ତେବେ ଏହି ପ୍ରକଳ୍ପକୁ ନେଇ ଏ ପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ତେଣୁ ପ୍ରକଳ୍ପ ବିଷୟରେ ଅଧିକ କିଛି ସୂଚନା ଦିଆଯାଇପାରିବ ନାହିଁ।