ପୂର୍ଣ୍ଣାଙ୍ଗ ବଜେଟ୍‌ ଜୁଲାଇ ୫ରେ:ମୋଦୀଙ୍କ ମାନସମନ୍ଥନ

ଅର୍ଥନୀତିଜ୍ଞ, ସରକାରୀ ବ୍ୟାଙ୍କ ମୁଖ୍ୟଙ୍କୁ ଭେଟି‌ବେ ସପ୍ତାହବ୍ୟାପୀ ଚାଲିବ ଅାଲୋଚନା ବୈଠକ

ନୂଆଦିଲ୍ଲୀ,: ବଜେଟ୍‌କୁ ନେଇ ଖୋଦ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ମାନସମନ୍ଥନ ଆରମ୍ଭ କରିଛନ୍ତି। ଗତ ମଙ୍ଗଳବାର ସେ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କରିଥିଲେ। ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ବଢ଼ାଇବା ଓ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ବ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ଏହି ବୈଠକରେ ଆହ୍ବାନ ଦେଇଥିଲେ।
ଆଗାମୀ ଦିନରେ ସେ ଅର୍ଥନୀତିଜ୍ଞ, ବ୍ୟାଙ୍କ ପ୍ରତିନିଧି ଓ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସପ୍ତାହବ୍ୟାପୀ ସେ ପ୍ରାକ୍ ବଜେଟ୍‌ ଆଲୋଚନା ଜାରି ରଖିବେ ବୋଲି ଜଣାପଡ଼ିଛି। ବିଶେଷ କରି କୃଷି କ୍ଷେତ୍ରରେ ରହିଥିବା ସମସ୍ୟାକୁ ଦୂର କରିବା, ସଂସ୍କାର ପଦକ୍ଷେପ ଆଗକୁ ବଢ଼ାଇବା ଏବଂ କେନ୍ଦ୍ର ସରକାରଙ୍କ ପ୍ରମୁଖ ସ୍କିମ୍‌ଗୁଡ଼ିକ ଯେଭଳି ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିବ ତାହା ଉପରେ ଗୁରୁତ୍ବ ଦିଆଯାଉ ବୋଲି ପ୍ରଧାନମନ୍ତ୍ରୀ ଚାହୁଛନ୍ତି। ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ବୈଠକ ପାଞ୍ଚ ବିଭାଗର ସଚିବ, ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଏବଂ ନିତି ଆୟୋଗର ପ୍ରତିନିଧି ଉପସ୍ଥିତ ଥିଲେ। ବୈଠକରେ ପିଏମ୍-କିସାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସମସ୍ତଙ୍କ ପାଇଁ ପାଇପ୍‌ରେ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ସେବା ସମ୍ପର୍କରେ ଆଲୋଚନା ହୋଇଥିଲା। ଆସନ୍ତାକାଲି (ଗୁରୁବାର) ପ୍ରଧାନମନ୍ତ୍ରୀ ଅର୍ଥ ମନ୍ତ୍ରଣାଳୟର କିଛି ଅଧିକାରୀଙ୍କୁ ଭେଟି ବଜେଟ୍ ଉପରେ ଆଲୋଚନା କରିବେ। ସେହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ସବୁ ବିଭାଗର ସଚିବ ଏବଂ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତି ସୁବ୍ରମଣିଅନ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ସରକାରୀ ବ୍ୟାଙ୍କର ମୁଖ୍ୟମାନଙ୍କୁ ଭେଟିବେ। ଶନିବାର ଅର୍ଥନୀତିଜ୍ଞଙ୍କ ସହ ଦେଶର ଅର୍ଥନୈତିକ ସ୍ଥିତି ଉପରେ ଆଲୋଚନା କରିବେ। ନିତି ଆୟୋଗ ପକ୍ଷରୁ ଏହି ଦୁଇ ବୈଠକ ଆୟୋଜନ କରାଯିବ।

ବଡ଼ କମ୍ପାନିଙ୍କ ଟିକସ କମିନପ‌ାରେ
ବଡ଼ କମ୍ପାନି ଏବଂ ବିଦେଶୀ କମ୍ପାନିଙ୍କ ଟିକସ ହାର ସରକାର ଆସନ୍ତା ବଜେଟରେ କମାଇବା ଆଶା ନାହିଁ। ରାଜସ୍ବ ସ୍ଥିତି ସରକାରଙ୍କୁ ଏହା କରିବାକୁ ସୁଯୋଗ ଦେଉନାହିଁ। ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କର୍ପୋରେଟ୍ ଟିକସ ହାରକୁ ୪ ବର୍ଷ ମଧ୍ୟରେ ୩୦%ରୁ ୨୫%କୁ କମାଇବା ନେଇ ଘୋଷଣା କରିଥିଲେ। ଜେଟଲି ଟିକସ ହ୍ରାସ ନେଇ ଯେଉଁ ୪ ବର୍ଷିଆ ନକ୍ସା ପ୍ରସ୍ତୁତ କରିଥିଲେ ତାହାକୁ ଆସନ୍ତାମାସ ୫ ତାରିଖରେ ଆଗତ ହେବାକୁ ଥିବା ବଜେଟରେ କାର୍ଯ୍ୟକାରୀ କରାଯିବାର ସମ୍ଭାବନା ନାହିଁ।
ଆୟକର ହାର କମିପାରେ
ବଜେଟ୍‌ରେ ଦେଶରେ ଆୟକର ହାର ହ୍ରାସ କରିବା ଲାଗି ବେତନଭୋଗୀମାନେ ଦାବି କରି ଆସୁଛନ୍ତି। ବିଶ୍ବବ୍ୟାଙ୍କର ରିପୋର୍ଟ ଅନୁଯାୟୀ, ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ସୁଧାର ଆଣିବା ଲାଗି ଭାରତକୁ ବାର୍ଷିକ ୮୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ହେବ। ଦେଶରେ ନିଯୁକ୍ତି ବୃଦ୍ଧି କରିବା ଲାଗି ଅର୍ଥମନ୍ତ୍ରୀ ମେକ୍ ଇନ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ ଭଳି କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ବ ଦେବେ ବୋଲି ଆଶା କରାଯାଉଛି।
ବରିଷ୍ଠ ନାଗରିକଙ୍କୁ ମିଳିପାରେ ଟିକସ ରିହାତି
ବଜେଟ୍‌ରେ ବରିଷ୍ଠ ନାଗରିକଙ୍କୁ ଟିକସ ରିହାତି ପ୍ରଦାନ କରିବାକୁ ଶିଳ୍ପ ସଂଘ ଆସୋଚାମ ଦାବି କରିଛି। ଷାଠିଏ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କ ପାଇଁ ସର୍ବନିମ୍ନ ଟିକସ ରିହାତି ସୀମାକୁ ବର୍ତ୍ତମାନର ତିନି ଲକ୍ଷ ଟଙ୍କାରୁ ବଢ଼ାଇ ସାଢ଼େ ସାତ ଲକ୍ଷ ଟଙ୍କା କରିବାକୁ ଆସୋଚାମ୍ ପ୍ରସ୍ତାବ ଦେଇଛି। ୮୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ସାଢ଼େ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ରିହାତି ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧିତ ଖବର