ବିବାହ ପୋଷାକରେ ଫ୍ୟୁଜନ୍‌ ଟ୍ରେଣ୍ଡ୍‌

ବାହାଘର ଆସିଲେ ନୂଆ ପୋଷାକ କଥା ମନକୁ ଆସିଥାଏ। ବର ଓ କନ୍ୟାଠାରୁ ଆରମ୍ଭ କରି ବନ୍ଧୁ ଓ ପରିବାର ଲୋକମାନେ ଏହି ଅବସରରେ ନୂଆ ପୋଷାକ ପିନ୍ଧିଥାନ୍ତି। ଏହା ଏକ ପରମ୍ପରା ହୋଇଥିଲେ ମଧ୍ୟ ଏବେ ଏଥିରେ ଫେସନ୍‌ ସାମିଲ ହୋଇଯାଇଛି। ଭାରତର ପାରମ୍ପରିକ ପୋଷାକ ସହିତ ପାଶ୍ଚାତ୍ୟ ଡିଜାଇନ୍‌ର ପୋଷାକ ଯୋଡ଼ି ହୋଇଗଲାଣି। ବର୍ତମାନ ଏହାକୁ ବିବାହ ପୋଷାକର ଫ୍ୟୁଜନ୍‌ ଟ୍ରେଣ୍ଡ୍‌ କୁହାଯାଉଛି। ବିଶେଷକରି ଇଣ୍ଡୋେଓ୍ଵଷ୍ଟର୍ଣ୍ଣ ପୋଷାକ ଗ୍ରାହକଙ୍କୁ ଆକୃଷ୍ଟ କରୁଛିି। ବିବାହ ବେଳେ କନ୍ୟାମାନେ ଉଭୟ ଶାଢ଼ି ଓ ଲେହଙ୍ଗା ପିନ୍ଧିବାକୁ ପସନ୍ଦ କରୁଛନ୍ତି। କେହି କେହି ଶାଢ଼ି ପିନ୍ଧୁଥିବାବେଳେ ଆଉ କେହି ଲେହଙ୍ଗା ପିନ୍ଧୁଛନ୍ତି। ଏତଦ୍‌ବ୍ୟତୀତ ବରଯାତ୍ରୀ ଦଳରେ ଯାଉଥିବା ମହିଳାମାନେ ଏବଂ ବିବାହ ଉତ୍ସବରେ କନ୍ୟା ପକ୍ଷର ମହିଳାମାନେ ବିଭିନ୍ନ ପ୍ରକାର କୁର୍ତ୍ତା, ଗାଉନ୍‌, ହାଇ ଲୋ, ଅଫ ସୋଲଡର ପୋଷାକ ଆଦି ପିନ୍ଧୁଛନ୍ତି। କେତେକ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଲେହଙ୍ଗା ବା ଏସ୍‌କେଡି (ସାଲଓ୍ଵାର କାମିଜ୍‌ ଦୁପଟ୍ଟା) କ୍ରୟ କରୁଥିବାବେଳେ ଆଉ କେତେକ ସ୍କଟ, କ୍ରପ୍‌ ଟପ୍‌ ସହିତ ଦୁପଟ୍ଟାକୁ କିଣି ତାହାକୁ ଲେହଙ୍ଗା ଭଳି ପିନ୍ଧୁଛନ୍ତି। ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହର ଗୁଡ଼ିକରେ ଥିବା ବଡ଼ ବଡ଼ ମଲ୍‌ ଓ ସୋ’ରୁମ୍‌ ଗୁଡ଼ିକରେ ଏଥିପାଇଁ ବିଭିନ୍ନ ବ୍ରାଣ୍ଡ୍‌ର ପୋଷାକ ମିଳିଯାଉଛି। ଏହି ବ୍ରାଣ୍ଡ୍‌ ଗୁଡ଼ିକ ମଧ୍ୟରେ ଲଭଲି ଲେଡି, ସୋଚ୍‌, ବେଦିକ୍‌, ବିନ୍ଦି, ଇନ୍ଦ୍ୟା, ଡବ୍ଲ୍ୟୁ, ଲମ୍ବାର୍ଡ ଏବଂ ବିବା ଆଦି ରହିଛି।

ବରଙ୍କ ପସନ୍ଦ ସେରଓ୍ଵାନି
କନ୍ୟାଙ୍କ ପ୍ରିୟ ଲେହଙ୍ଗା

ରହିଛି ସ୍ୱତନ୍ତ୍ର ସୋ’ରୁମ୍‌
ମୋହେ ଓ ମାନ୍ୟବର ଭଳି ବିବାହ ପୋଷାକର ସ୍ୱତନ୍ତ୍ର ସୋ’ରୁମ୍‌ ରାଜ୍ୟରେ ଖୋଲିଲାଣି। ଏତଦ୍‌ବ୍ୟତୀତ ଅନ୍ୟାନ୍ୟ ପ୍ରମୁଖ ସୋ’ରୁମ୍‌ ଗୁଡ଼ିକରେ ବିବାହ ପୋଷାକ ପାଇଁ ସ୍ୱତନ୍ତ୍ର ସେକ୍ସନ ମଧ୍ୟ ରହିଛି। ଏକ୍ସକ୍ଲୁସିଭ ସୋ’ରୁମ୍‌ ଗୁଡ଼ିକରେ ବରଙ୍କ ପାଇଁ ସେର୍‌ଓ୍ଵାନି, ଇଣ୍ଡୋ େଓ୍ଵଷ୍ଟର୍ଣ୍ଣ ପୋଷାକ, କୁର୍ତ୍ତା ପାଇଜାମା ଆଦି ମିଳି ଯାଉଥିବାବେଳେ କନ୍ୟାଙ୍କ ପାଇଁ ବିଭିନ୍ନ ପ୍ରକାରର ଫ୍ୟାନସି ଶାଢ଼ି, କୁର୍ତ୍ତା, ଗାଉନ୍‌ ଆଦି ମିଳିଯାଉଛି।

କେଉଁ ପୋଷାକ ଦାମ୍‌ କେତେ
ଏକ୍ସକ୍ଲୁସିଭ ସୋ’ରୁମ୍‌ରେ ଲେହଙ୍ଗାର ମୂଲ୍ୟ ୪୫୦୦ ଟଙ୍କାରୁ ଆରମ୍ଭ ହୋଇ ୧ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିବାବେଳେ କୁର୍ତ୍ତା ଓ ଗାଉନ୍‌ ଆଦିର ମୂଲ୍ୟ ୧୫୦୦ ଟଙ୍କାରୁ ଆରମ୍ଭ କରି ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ଫ୍ୟାନ୍‌ସି ଶାଢ଼ିର ମୂଲ୍ୟ ୧୫୦୦ ଟଙ୍କାରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଅନ୍ୟପକ୍ଷରେ ପୁରୁଷଙ୍କ ପାଇଁ ଇଣ୍ଡୋ େଓ୍ଵଷ୍ଟର୍ଣ୍ଣ ବିବାହ ପୋଷାକର ମୂଲ୍ୟ ୧୨ ହଜାର ଟଙ୍କାରୁ ୧୯ ହଜାର ଟଙ୍କା ମଧ୍ୟରେ ରହିଥିବାବେଳେ ଇଣ୍ଡୋ େଓ୍ଵଷ୍ଟର୍ଣ୍ଣ ସେର୍‌ଓ୍ଵାନିର ମୂଲ୍ୟ ୧୨ ହଜାର ଟଙ୍କାରୁ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ସୁଟ୍‌ (ବ୍ଲେଜର ଓ ପ୍ୟାଣ୍ଟ୍‌) ମୂଲ୍ୟ ୭ ହଜାର ଟଙ୍କାରୁ ୧୫ ହଜାର ଟଙ୍କା ମଧ୍ୟରେ ରହିଥିବାବେଳେ ଥ୍ରି ପିସ୍‌ (ବ୍ଲେଜର, ପ୍ୟାଣ୍ଟ ଓ ସାର୍ଟ)ର ମୂଲ୍ୟ ୧୩ ହଜାର ଟଙ୍କାରୁ ୨୨ ହଜାର ଟଙ୍କା ମଧ୍ୟରେ ରହିଛି। ଏଥିସହିତ ଦୁଇ ହଜାର ଟଙ୍କାରୁ ୮ ହଜାର ଟଙ୍କା ମଧ୍ୟରେ କୁର୍ତ୍ତା ମଧ୍ୟ ମିଳିଯାଉଛି, ଯାହାକୁ ନିର୍ବନ୍ଧ ସହିତ ବିବାହ ଉତ୍ସବରେ ପିନ୍ଧାଯାଇ ପାରୁଛି।

ତିଆରି ହେଉଛି ମନପସନ୍ଦର ପୋଷାକ
ଏତଦ୍‌ବ୍ୟତୀତ ଉତ୍ସବ ଭଳି ସୋ’ରୁମ୍‌ରେ ବର ଓ କନ୍ୟାଙ୍କ ପାଇଁ କେବଳ ରେଡିମେଡ୍‌ ପୋଷାକ ମିଳୁନାହିଁ ସେମାନଙ୍କ ମନମୁତାବକ ଡିଜାଇନ୍‌ର ପୋଷାକ ତିଆରି ପାଇଁ ଆକର୍ଷଣୀୟ କପଡ଼ା ମଧ୍ୟ ମିଳିଯାଉଛି। ଯେଉଁଥିରେ ବିଭିନ୍ନ ଡିଜାଇନ୍‌ର ଲେହଙ୍ଗା, କୁର୍ତ୍ତି ଓ ଗାଉନ୍‌ ଆଦି ପ୍ରସ୍ତୁତ ହୋଇପାରୁଛି। ଭାରତୀୟ କପଡ଼ାରେ ପାଶ୍ଚାତ୍ୟ ଡିଜାଇନ୍‌ର ଛାପ ଦେବାକୁ ଗ୍ରାହକମାନେ ଭଲ ପାଉଛନ୍ତି । ଗ୍ରାହକମାନେ ଇଣ୍ଡୋ େଓ୍ଵଷ୍ଟର୍ଣ୍ଣ ଡିଜାଇନ୍‌ର ପୋଷାକକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ଡିଜାଇନର୍‌ ଏସ. ସ୍ୱାଗତିକା ସିଂହ କୁହନ୍ତି। ୧୦ ଦିନ ପୂର୍ବରୁ ଏଥିପାଇଁ ପ୍ରାୟତଃ ଅର୍ଡର ଦେବାକୁ ପଡ଼ିଥାଏ । କାମ ଅନୁସାରେ ସିଲେଇ ଖର୍ଚ ଗ୍ରାହକଙ୍କୁ ବହନ କରିବାକୁ ପଡ଼ିଥାଏ ବୋଲି ସେ କୁହନ୍ତି।

ସୋ’ରୁମ୍‌ରେ ମିଳୁଛି ଆସେସୋରିଜ୍‌
ପୋଷାକ ସହିତ ଅନ୍ୟାନ୍ୟ ବରମାନେ ବିବାହରେ ପିନ୍ଧୁଥିବା ଅନ୍ୟ ଆସେସୋରିଜ୍‌ ବା ସହାୟକ ସାମଗ୍ରୀ ମଧ୍ୟ ଏକ୍ସକ୍ଲୁସିଭ ସୋ’ରୁମ୍‌ ସହିତ ଅନ୍ୟ ସୋ’ରୁମ୍‌ରେ ମିିଳିଯାଉଛି। ଏଗୁଡ଼ିକ ମଧ୍ୟରେ ପଗଡ଼ି, ଜୁତି, ଦୁପଟ୍ଟା, ଫ୍ୟାନ୍‌ସି ମାଳି, କିଲାଙ୍ଗି ଆଦି ରହିଛି। ପଗଡ଼ିର ମୂଲ୍ୟ ୨୯୯ ଟଙ୍କାରୁ ଆରମ୍ଭ ହୋଇ ୭୦୦୦ ଟଙ୍କା ପର୍ଯ୍ୟନ୍ତ ଥିବାବେଳେ ଜୁତିର ମୂଲ୍ୟ ହଜାରେ ଟଙ୍କାରୁ ଅଢ଼େଇ ହଜାର ଟଙ୍କା, ଦୁପଟ୍ଟାର ମୂଲ୍ୟ ହଜାରେ ଟଙ୍କାରୁ ୧୦ ହଜାର ଟଙ୍କା, କିଲାଙ୍ଗିର ମୂଲ୍ୟ ୧୫୦୦ ଟଙ୍କାରୁ ୩ ହଜାର ଟଙ୍କା ମଧ୍ୟରେ ରହିଛି।

ବଢ଼ୁଛି ବଜାର ଆକାର
ବିବାହ ପୋଷାକର ବଜାର ଆକାର ନିର୍ଦ୍ଦିଷ୍ଟ ଭାବେ କେତେ ତାହା କହିବା କଷ୍ଟକର ହୋଇଥିଲେ ମଧ୍ୟ ଏହି ବଜାରର ଆକାର ଦିନକୁ ଦିନ ବୃଦ୍ଧି ପାଉଛି ବୋଲି ବ୍ୟବସାୟୀମାନେ ମତ ଦିଅନ୍ତି। ପୂର୍ବରୁ ଗୋଟିଏ ପ୍ରକାରର ବିବାହ ପୋଷାକ ବର ଓ କନ୍ୟାମାନେ ପିନ୍ଧୁଥିବାବେଳେ ଏବେ ବିଭିନ୍ନ ପ୍ରକାର ରଙ୍ଗ ଓ ଡିଜାଇନର ପୋଷାକ ପିନ୍ଧିବାକୁ ଭଲ ପାଉଛନ୍ତି ବୋଲି ବ୍ୟବସାୟମାନେ କୁହନ୍ତି।

ସମ୍ବନ୍ଧିତ ଖବର