କଳାଧନରେ କିଣା ସୁନା ବାହାର କରିବେ ସରକାର

ଟିକସ ଦେଇ ଲୋକେ ସ୍ବଚ୍ଛ ହୋଇପାରିବେ

ନୂଆଦିଲ୍ଲୀ : ସୁନାକୁ ନିବେଶର ଏକ ସୁରକ୍ଷିତ ମାଧ୍ୟମ ଭାବେ ବିଚାର କରାଯାଏ। ସେଥିପାଇଁ ଅନେକ ଲୋକ ସୁନା କିଣି ତାହାକୁ ମହଜୁଦ ରଖିଛନ୍ତି। କଳାଧନକୁ ବ୍ୟବହାର କରି ଅନେକ ପରିମାଣର ସୁନା କିଣାଯାଇଥିବା ସରକାର ଭାବୁଛନ୍ତି। ଯେଉଁମାନେ ସେଭଳି ସୁନା ରଖିଛନ୍ତି ସେମାନଙ୍କୁ ସ୍ବଚ୍ଛ ହେବା ଲାଗି ସରକାର ଏକ ସୁଯୋଗ ଦେବେ। ସୁନା ମହଜୁଦକାରୀଙ୍କ ପାଇଁ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହେଉଛି। କଳାଧନକୁ ବ୍ୟବହାର କରି ଲୋକମାନେ ଯେଉଁ ସୁନା କିଣିଛନ୍ତି ତାହାକୁ ଅଳ୍ପ କିଛି ପରିମାଣର ଟିକସ ଦେଇ ସ୍ବଚ୍ଛ କରିପାରିବେ। ଅତୀତରେ କଳାଧନ ରଖିଥିବା ବ୍ୟକ୍ତିଙ୍କ ଲାଗି ଯେଉଁ ଭଳି ଯୋଜନା ଆସିଥିଲା, ସୁନା ପାଇଁ ଠିକ୍ ସେହି ଧରଣର ଯୋଜନା ପ୍ରସ୍ତୁତ କରାଯାଉଛି। ଲୋକମା‌‌ନେ ଯେତିକି ମୂଲ୍ୟର ସୁନା ବିଷୟରେ ଘୋଷଣା କରିବେ କେବଳ ତାହା ଉପରେ ଟିକସ ଦେବେ। ସୁନା ମହଜୁଦକାରୀଙ୍କୁ ସ୍ବଚ୍ଛ ହେବା ଲାଗି ୩୦% ଟିକସ ଦେବାକୁ ପଡ଼ିବ। ସୁନାକୁ ନେଇ ପ୍ରସ୍ତୁତ କରାଯାଉଥିବା ଯୋଜନା ଯଦିଓ ଆକର୍ଷଣୀୟ ମନେ ହେଉଛି ମାତ୍ର ତାହାକୁ କାର୍ଯ୍ୟକାରୀ କରିବା ଏତେ ସହଜ ହେବନାହିଁ। କୌଣସି ବ୍ୟକ୍ତି ନିଜ ଆଡ଼ୁ ପାଖରେ ଥିବା ସୁନା ବିଷୟରେ ସୂଚନା ଦେଇନପାରନ୍ତି। ସୁନା ସମ୍ପତ୍ତି ବିଷୟରେ ଘୋଷଣା କଲେ ଟିକସ ଅଧିକାରୀଙ୍କ ହଇରାଣ କରିପାରନ୍ତି। ଏଭଳି ଭାବନା ଲୋକଙ୍କ ମନକୁ ଆସିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଆକଳନରୁ ଜଣାପଡ଼ିଛି ଯେ ଭାରତୀୟଙ୍କ ପାଖରେ ପ୍ରାୟ ୨୦ ହଜାର ଟନ୍ ସୁନା ରହିଛି। ମାତ୍ର ଲୁଚାଇ ରଖାଯାଇଥିବା ସୁନାକୁ ଯଦି ବିଚାରକୁ ନିଆଯିବ ତେବେ ଦେଶ ଭିତରେ ୨୫-୩୦ ହଜାର ଟନ୍ ପର୍ଯ୍ୟନ୍ତ ସୁନା ରହିଛି ବୋଲି କୁହାଯାଇପାରିବ।

ସମ୍ବନ୍ଧିତ ଖବର